
ପୁରୀ, ୪ ଅକ୍ଟୋବର (ହି.ସ.)- ରାଜ୍ଯରେ ନିମାପଡା ରାଜନୀତି ଏବେ ପଡୁଛି ଉଠୁଛି । ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ବୀରଗୋବିନ୍ଦପୁର ଦକ୍ଷିଣକାଳୀଙ୍କ ନିକଟରେ ସମୀର ଦାଶଙ୍କ ସହ ଶହେ ଯୁବକ ମାଙ୍କୁ ମୁଣ୍ଡିଆ ମାରି ଏକ ଗୁପ୍ତ ବୈଠକରେ ଯୋଗ ଦେଇଥିଲେ । ବୀରଗୋବିନ୍ଦପୁର ଗ୍ରାମ ପ୍ରବେଶ ପଥରେ ଥିବା ଇଣ୍ଡିଆନ ଅଏଲ ର କମ୍ୟୁନିଟ ହଲ ର ଦ୍ବିତୀୟ ମହଲାରେ ସମୀରଙ୍କ ସହ ଯୁବକମାନେ ଏହି ଗୁପ୍ତ ବୈଠକରେ ଯୋଗ ଦେଇଥିଲେ । ନିମାପଡାର ସ୍ବାଭିମାନ ରକ୍ଷା କରିବା, ସମୀରଙ୍କ ୫୦ ବର୍ଷର ରାଜନୈତିକ ଜୀବନକୁ ପାଥେୟ କରି ପ୍ରତି ପଞ୍ଚାୟତ ଓ ବୁଥରୁ ଆସିଥିବା ଯୁବକମାନେ ନିମାପଡା ମାଟିର ଲଢୁଆ ନେତା ସମୀର ଦାଶଙ୍କ ପାଇଁ କାର୍ଯ୍ୟ କରିବେ ବୋଲି ମତ ପ୍ରକାଶ ପାଇଥିଲା। ଅନ୍ଯପକ୍ଷରେ ସେହି ଦିନ କୋଣାର୍କ ଠାରେ ପୁରୀ ଜିଲ୍ଲା ସଭାପତି ବିଜେପିର ଡାକ୍ତର ଦେବେନ୍ଦ୍ର ନାଥ ତରାଇଙ୍କ ନେତୃତ୍ବରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ଯ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ବିଧାୟକ ଓ କାର୍ଯ୍ୟକାରୀ ସଭ୍ଯ ମାନେ ଯୋଗ ଦେଇଥିଲେ । ଏହି ବୈଠକରେ ସମୀର ଯୋଗ ଦେଇନଥିଲେ । ସମୀର ସେନା ଏବେ ଫୁଲ୍ ଦମ୍ ରେ ପ୍ରତି ପଞ୍ଚାୟତ ବୁଥସ୍ତରରେ କାର୍ଯ୍ୟ ଆରମ୍ଭ କରିଛି | ଏହି ଘଟଣାକୁ ନେଇ ଏବେ ନିମାପଡାର ରାଜନୈତିକ ପରିସ୍ଥିତି ଉଷ୍ମ ହୋଇ ଉଠିଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ