
ନୂଆପଡ଼ା,୫ ଅକ୍ଟୋବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଦ୍ୟୁତ୍ ସବ୍ଡିଭିଜନ୍ ଅଧୀନରେ କାର୍ଯ୍ୟରତ ବିଦ୍ୟୁତ୍ ବିଲ୍ ସଂଗ୍ରହ କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ସୋମବାର ଆନ୍ଦୋଳନ କରାଯାଇଛି। କର୍ମଚାରୀମାନେ ଏକ ଶୋଭାଯାତ୍ରାରେ ଖଡ଼ିଆଳ ନଗର ପରିକ୍ରମା କରିବା ପରେ ଟାଟା ପାୱାର ଖଡ଼ିଆଳ ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ସଂଘ ପକ୍ଷରୁ ୪ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ବିଦ୍ୟୁତ୍ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। କାର୍ଯ୍ୟାଳୟରେ ଉପସ୍ଥିତ ଘରୋଇ ସଂସ୍ଥାର କର୍ମଚାରୀମାନେ ଆନ୍ଦୋଳନ ସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିଥିଲେ। ଦାବିଗୁଡ଼ିକ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବା ସହ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ। ସଂଘର ମୁଖ୍ୟ ଦାବିଗୁଡ଼ିକ ମଧ୍ୟରେ ଏମ୍ଆର୍ ଲକ୍ଷ ସଂଶୋଧନ, ଅନଲାଇନ୍ ପୈଠକୁ କର୍ମଚାରୀଙ୍କ ନାମରେ ଗଣନା, ମାସିକ ପେଟ୍ରୋଲ୍ ଭତ୍ତା ବୃଦ୍ଧି, କର୍ମଚାରୀଙ୍କ ସୁରକ୍ଷା ଓ ବୀମା ବ୍ୟବସ୍ଥାରେ ସୁଧାର ଏବଂ ମାସିକ ୪ ଦିନ ଛୁଟି ମଞ୍ଜୁର ଆଦି ରହିଛି। ଦାବିପତ୍ର ଗ୍ରହଣ କରି ଅଧିକାରୀମାନେ ସମସ୍ୟାର ସମାଧାନ ନେଇ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବାର ପ୍ରତିଶ୍ରୁତି ଦେବା ପରେ ବିଲ୍ ସଂଗ୍ରହ କର୍ମଚାରୀମାନେ ଆନ୍ଦୋଳନ ସ୍ଥଳରୁ ଫେରିଥିଲେ। ତେବେ ଦାବିଗୁଡ଼ିକ ପୂରଣ ନହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଦାବିଗୁଡ଼ିକୁ ନେଇ ଟାଟା ପାୱାରର ଉପରିସ୍ଥ ଅଧିକାରୀଙ୍କ ସହ ବୈଠକ ଅନୁଷ୍ଠିତ ହେଉଥିବା ଜଣାପଡ଼ିଛି।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ