
ଭୁବନେଶ୍ୱର, ୦୫ ଅକ୍ଟୋବର (ହି.ସ.) - ବିଧାନସଭାରେ ଉପସ୍ଥାପିତ ସିଏଜିର ୬ଟି ରିପୋର୍ଟକୁ ଆଧାର କରି ପୂର୍ବତନ ବିଜେଡି ସରକାର ବିରୋଧରେ ବ୍ୟାପକ ଆର୍ôଥକ ଅନିୟମିତତା ଓ ଅବ୍ୟବସ୍ଥାର ଅଭିଯୋଗ ଆଣିଛି ବିଜେପି। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ତଥା ଶିଳ୍ପ ପ୍ରକୋଷ୍ଠ ମୁଖ୍ୟ ଡ. ତପନ ଚାନ୍ଦ କହିଛନ୍ତି ଯେ, ଡିଏମ୍ଏଫ୍ ଓ ପର୍ଯ୍ୟଟନ ସମେତ ବିଭିନ୍ନ କ୍ଷେତ୍ରରେ ସିଏଜି ଅଡିଟ୍ରେ ଅନେକ ଅନିୟମିତତା ସାମ୍ନାକୁ ଆସିଛି।
ଅଭିଯୋଗ ଅନୁଯାୟୀ, ଡିଏମ୍ଏଫ୍ ପାଣ୍ଠିର ନିୟମିତ ବ୍ୟବହାର ହୋଇନଥିଲା। ଖଣି ଦ୍ୱାରା ପ୍ରଭାବିତ ନ ଥିବା ଗ୍ରାମଗୁଡ଼ିକରେ ୯୮୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୫୮୪ଟି ପ୍ରଭାବିତ ଗ୍ରାମରେ କୌଣସି ଡିଏମ୍ଏଫ୍ ପ୍ରକଳ୍ପ ହୋଇନଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି। କେନ୍ଦୁଝର ଡିଏମ୍ଏଫ୍ ରେ ନିବେଶ ନିଷ୍ପତିରେ ବିଳମ୍ବ ଯୋଗୁଁ ୮୪.୫୧ କୋଟି ଟଙ୍କା ସୁଧ ହାନି ହୋଇଥିବାବେଳେ ଢେଙ୍କାନାଳରେ ୨.୪୪ କୋଟି, ମୟୂରଭଞ୍ଜରେ ୬.୮୫ କୋଟି ଓ ନବରଙ୍ଗପୁରରେ ୦.୨୦ କୋଟି ଟଙ୍କା ହାନି ହୋଇଥିବା ସେ କହିଛନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ସିଏଜି ରିପୋର୍ଟରେ ଆର୍ôଥକ ଅବ୍ୟବସ୍ଥାର ଚିତ୍ର ରହିଛି ବୋଲି ଡ. ଚାନ୍ଦ ଦାବି କରିଛନ୍ତି। ତାଙ୍କ ଅନୁଯାୟୀ, ୧୦୩.୩୫ କୋଟି ଟଙ୍କା ଅବ୍ୟବହୃତ ହୋଇ ଫେରିଥିବାବେଳେ ୮୯୮.୪୮ କୋଟି ଟଙ୍କା ବିଭିନ୍ନ ଏଜେନ୍ସିର ବ୍ୟାଙ୍କ ଖାତାରେ ପଡ଼ିରହିଥିଲା। ଇକୋ ରିଟ୍ରିଟ୍ ରେ ୨୦୭.୬୮ କୋଟି ଟଙ୍କାର କ୍ଷତି ଏବଂ ପୁରୀ ପ୍ରସାଦ ପ୍ରକଳ୍ପରେ ୬.୪୯ କୋଟି ଟଙ୍କାର ଅପବ୍ୟୟ ହୋଇଥିବା ସେ ଅଭିଯୋଗ କରିଛନ୍ତି। ବିନ୍ଦୁସାଗର ପ୍ଲୋଟିଂ ମ୍ୟୁଜିକାଲ ଫାଉେଂଟନ୍ ପାଇଁ ୮.୧୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ପ୍ରକଳ୍ପଟି ଅଧାପନ୍ତରିଆ ରହିଥିବା ସେ କହିଛନ୍ତି।
ଏହାସହ ୨୦୦୫ରୁ ୨୦୧୫ ମଧ୍ୟରେ ଖଣି ନିଲାମ ବ୍ୟବସ୍ଥା ଲାଗୁ ନ ହେବାରୁ ରାଜ୍ୟ ପ୍ରାୟ ୧.୭୦ ଲକ୍ଷ କୋଟି ଟଙ୍କାର ରାଜସ୍ୱ ହରାଇଥିବା ଡ. ଚାନ୍ଦ ଦାବି କରିଛନ୍ତି। ୨୦୧୫ ପୂର୍ବରୁ ରାଜ୍ୟର ଖଣି ରାଜସ୍ୱ ୫ ହଜାର କୋଟିରୁ କମ୍ ଥିବାବେଳେ ୨୦୨୫-୨୬ରେ ଏହା ୫୧ ହଜାର କୋଟିରେ ପହଞ୍ଚିଛି ବୋଲି ସେ କହିଛନ୍ତି।
ଡ. ଚାନ୍ଦ କହିଛନ୍ତି, ସିଏଜି ରିପୋର୍ଟ ପୂର୍ବତନ ସରକାରଙ୍କ ଆର୍ôଥକ ପରିଚାଳନା ଉପରେ ଗୁରୁତର ପ୍ରଶ୍ନ ଉଠାଇଛି। ଏହି ତଥ୍ୟ ଏବେ ସାର୍ବଜନୀନ ଚର୍ଚ୍ଚାର ବିଷୟ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି ଓ ରାଜ୍ୟ ପ୍ରବକ୍ତା ସଞ୍ଜୟ ରଥ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା