କାଳିକାପ୍ରସାଦ କ୍ଲଷ୍ଟରରେ ସୁରଭି ଶିଶୁ ପ୍ରତିଭାର ଅନ୍ୱେଷଣ ସହ ଏଫ୍ ଏଲ ଏନ ରେ କୃତୀ ଦୁଇ ଶିକ୍ଷକଙ୍କୁ ସମ୍ମାନ
ଚମ୍ପୁଆ, ୦୫ ଅକ୍ଟୋବର (ହି.ସ.) - ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭାର ଅନ୍ୱେଷଣ, ସୃଜନଶୀଳତାର ପରିପ୍ରକାଶ ଏବଂ ଆତ୍ମବିଶ୍ୱାସର ବିକାଶ ପାଇଁ କାଳିକାପ୍ରସାଦ କ୍ଲଷ୍ଟରରେ ଆୟୋଜିତ ହୋଇଛି ଶିଶୁ ମହୋତ୍ସବ ‘ସୁରଭି’। କାର୍ଯ୍ୟକ୍ରମଟି ଶିଶୁଙ୍କ ପ୍ରତିଭା ପ୍ରଦର୍ଶନ ସହ ଶିକ୍ଷକଙ୍କ ସୃଜନଶୀଳ ଅବଦାନକୁ ସ୍ୱୀକ
କାଳିକାପ୍ରସାଦ କ୍ଲଷ୍ଟରରେ ସୁରଭି ଶିଶୁ ପ୍ରତିଭାର ଅନ୍ୱେଷଣ ସହ ଏଫ୍ ଏଲ ଏନ ରେ କୃତୀ ଦୁଇ ଶିକ୍ଷକଙ୍କୁ ସମ୍ମାନ


ଚମ୍ପୁଆ, ୦୫ ଅକ୍ଟୋବର (ହି.ସ.) - ଶିଶୁଙ୍କ ଅନ୍ତର୍ନିହିତ ପ୍ରତିଭାର ଅନ୍ୱେଷଣ, ସୃଜନଶୀଳତାର ପରିପ୍ରକାଶ ଏବଂ ଆତ୍ମବିଶ୍ୱାସର ବିକାଶ ପାଇଁ କାଳିକାପ୍ରସାଦ କ୍ଲଷ୍ଟରରେ ଆୟୋଜିତ ହୋଇଛି ଶିଶୁ ମହୋତ୍ସବ ‘ସୁରଭି’। କାର୍ଯ୍ୟକ୍ରମଟି ଶିଶୁଙ୍କ ପ୍ରତିଭା ପ୍ରଦର୍ଶନ ସହ ଶିକ୍ଷକଙ୍କ ସୃଜନଶୀଳ ଅବଦାନକୁ ସ୍ୱୀକୃତି ଦେବାର ଏକ ସ୍ୱତନ୍ତ୍ର ମଂଚରେ ପରିଣତ ହୋଇଥିଲା।

ଏହି ଅବସରରେ ଏବିଓ ମୁକୁନ୍ଦ ଚରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା ଯୁବ ଶିଶୁ ସାହିତ୍ୟିକ କ୍ଷମାକର ବେହେରା ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ କାଳିକାପ୍ରସାଦ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଭଦ୍ରା ନାଏକ ଏବଂ ସିଆରସିସି କୈଳାସ ଚନ୍ଦ୍ର ଜେନା ଉପସ୍ଥିତ ଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭିକାରୀ ଚରଣ ମହନ୍ତଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଅଧିକ ଗରିମାମୟ କରିଥିଲା।

ମୁଖ୍ୟ ବକ୍ତା ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ, “ପ୍ରତ୍ୟେକ ଶିଶୁ ଭିତରେ ଏକ ଅନନ୍ୟ ସୃଜନଶୀଳତା ନିହିତ ରହିଛି। ସେହି ସୃଜନଶୀଳତାକୁ ଚିହ୍ନଟ କରିବା, ତାହାକୁ ପ୍ରକାଶ କରିବାର ସୁଯୋଗ ଦେବା ଏବଂ ପ୍ରତିଭାକୁ ପ୍ରୋତ୍ସାହନ ଦେବାର ଏକ ସାର୍ଥକ ମଂଚ ହେଉଛି ‘ସୁରଭି’। ଶିଶୁର ପ୍ରତିଭାକୁ କେବଳ ଦେଖିବା ନୁହେଁ, ତାହାକୁ ଉଡ଼ାଣ ଦେବା ହେଉଛି ଏହି ଆୟୋଜନର ପ୍ରକୃତ ଲକ୍ଷ୍ୟ।”

କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ଏଫ୍ ଏଲଏନ୍ କ୍ଷେତ୍ରରେ କୃତୀ ଶିକ୍ଷକ ସମ୍ମାନ। ସିଆରସିସି କୈଳାସ ଚନ୍ଦ୍ର ଜେନାଙ୍କ ଏହି ଅଭିନବ ପ୍ରୟାସରେ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗିରିଧାରୀପୁରର ଶିକ୍ଷୟିତ୍ରୀ ସସ୍ମିତା ନାଏକ ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଚତୁରୀସାହିର ଶିକ୍ଷକ ସାଗର କୁମାର ନାଏକଙ୍କୁ ଏଫ୍ ଏଲ ଏନ୍ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କୃତୀ ଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ପଦକ୍ଷେପ ଶିକ୍ଷକମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଓ କାର୍ଯ୍ୟପ୍ରେରଣା ସୃଷ୍ଟି କରିଥିଲା।

ମଂଚ ପରିଚାଳନା କରିଥିଲେ ଉମାକାନ୍ତ ଦାସ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଦୀପକ କୁମାର ମିଶ୍ର ବ୍ରହ୍ମା, ସାଗର କୁମାର ନାଏକ, ଦେବଶ୍ରୀ କର, ଚୌଧୁରୀ ମହାନ୍ତ, ସୌମ୍ୟଜିତ ପାତ୍ର, ଦେବାଶିଷ ପାତ୍ର, ଶୋଭାରାଣୀ ପୂର୍ତି, ଆରତୀ ସେଠୀ, ରଶ୍ମିତା ସ୍ୱାଇଁଙ୍କ ସମେତ ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

ଶିଶୁ ପ୍ରତିଭାର ପ୍ରଦର୍ଶନ, ଶିକ୍ଷକଙ୍କୁ ସମ୍ମାନ ଓ ସୃଜନଶୀଳ ଶିକ୍ଷାର ବାର୍ତାଏହି ତିନିଟିର ସମନ୍ୱୟରେ କାଳିକାପ୍ରସାଦ କ୍ଲଷ୍ଟରର ‘ସୁରଭି’ ଏକ ସ୍ୱତନ୍ତ୍ର ଓ ସ୍ମରଣୀୟ ଶିକ୍ଷାମୂଳକ ଆୟୋଜନର ରୂପ ନେଇଥିଲା।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande