
ମାଲକାନଗିରି , ୫ ଅକ୍ଟୋବର (ହି.ସ.)
ବନ୍ୟଜନ୍ତୁଙ୍କ ପ୍ରତି ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ସମ୍ବେଦନଶୀଳତା ଓ ସଚେତନତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରାସ୍ତା ଉପରେ ଚାଲୁଥିବା ଏକ କଇଁଚକୁ ଦେଖି ତାହାର ସୁରକ୍ଷା ପାଇଁ ଚିନ୍ତା ପ୍ରକଟ କରିବା ସହ ଏହାକୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି ଛାତ୍ରୀ କ୍ରିତିକା ଚୌଧୁରୀ ଓ ତାଙ୍କ ପରିବାର।
କ୍ରିତିକା ଚୌଧୁରୀ ସୁକୁମା କେନ୍ଦ୍ରୀୟ ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀର ଛାତ୍ରୀ। ସୋମବାର ପାଠପଢ଼ା ସାରି ସୁକୁମାରୁ ମାଲକାନଗିରି ଘରକୁ ଫେରୁଥିବା ସମୟରେ ଅନ୍ତଃରାଜ୍ୟ ରାଜପଥର ଏକ ସ୍ଥାନରେ ରାସ୍ତା ଉପରେ ଏକ କଇଁଚ ଚାଲୁଥିବା ଦେଖିଥିଲେ। କଇଁଚଟି ରାସ୍ତା ଉପରେ ରହିଲେ ଯାନବାହନ ଚାପି ଦେଇପାରେ, ଏପରିକି ବୁଲା କୁକୁରଙ୍କ ଦ୍ୱାରା ମଧ୍ୟ ଏହା କ୍ଷତିଗ୍ରସ୍ତ ହୋଇପାରେ ବୋଲି ସେ ତାଙ୍କ ବାପାଙ୍କୁ କହିଥିଲେ।
ଏଥିସହ ନିକଟସ୍ଥ ବସ୍ତିର ଲୋକମାନେ ଏହାକୁ ଧରି ମାରି ମାଂସ ଖାଦ୍ୟ ଭାବେ ବ୍ୟବହାର କରିଦେବାର ଆଶଙ୍କା ମଧ୍ୟ ପ୍ରକାଶ କରିଥିଲେ। ତେଣୁ କଇଁଚଟିକୁ ତାହାର ପ୍ରାକୃତିକ ବାସସ୍ଥଳୀକୁ ନେଇ ଛାଡ଼ିଦେବା ପାଇଁ ବାପାଙ୍କୁ ଅନୁରୋଧ କରିଥିଲେ।
କ୍ରିତିକାଙ୍କ ବାପା ନିଜେ ଜଣେ ପ୍ରାଣୀ ସଂରକ୍ଷକ ଓ ପ୍ରାଣୀପ୍ରେମୀ ହୋଇଥିବାରୁ ଝିଅର ଏହି ମନୋଭାବକୁ ସମର୍ଥନ କରିଥିଲେ। ତାଙ୍କ ସହଯୋଗରେ କଇଁଚଟିକୁ ରାସ୍ତାରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ମାଲକାନଗିରି ବନାଞ୍ଚଳ ଅଧିକାରୀ ରମେଶ କୁମାର ରାଉତଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ସମୟରେ କ୍ରିତିକାଙ୍କ ବଡ଼ ଭଉଣୀ ଆନନ୍ଦମୟୀ ଚୌଧୁରୀ ମଧ୍ୟ ତାଙ୍କ ସହ ମାଲକାନଗିରି ବନାଞ୍ଚଳ କାର୍ଯ୍ୟାଳୟକୁ ଯାଇଥିଲେ।
କଇଁଚକୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଥିବାରୁ ବନାଞ୍ଚଳ ଅଧିକାରୀ ରମେଶ କୁମାର ରାଉତ କ୍ରିତିକା ଓ ତାଙ୍କ ପରିବାରକୁ ଧନ୍ୟବାଦ ଓ ସାଧୁବାଦ ଜଣାଇଛନ୍ତି। ଏଥିସହ ରାସ୍ତାରେ କିମ୍ବା ଜନବସତି ନିକଟରେ କୌଣସି ବନ୍ୟଜନ୍ତୁ ଦେଖିଲେ ନିଜେ କ୍ଷତି ନକରି ନିକଟସ୍ଥ ବନବିଭାଗ କାର୍ଯ୍ୟାଳୟକୁ ସୂଚନା ଦେବା କିମ୍ବା ହସ୍ତାନ୍ତର କରିବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି।
ଜଣେ ଛୋଟ ଛାତ୍ରୀଙ୍କ ଏଭଳି ପ୍ରାଣୀପ୍ରେମ ଓ ବନ୍ୟଜନ୍ତୁ ସୁରକ୍ଷା ପ୍ରତି ସଚେତନତା ଅନ୍ୟମାନଙ୍କ ପାଇଁ ମଧ୍ୟ ଏକ ସକାରାତ୍ମକ ବାର୍ତ୍ତା ଦେଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ