
ଭଦ୍ରକ, ୫ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ସାହସପୁର ପଂଚାୟତସ୍ଥିତ ଜଗନ୍ନାଥ ସାହିରେ ରବିବାର ରାତିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ଦୁଇ ବଖରା ଘର ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି।ଗତକାଲି ରାତି ପାଖାପାଖି ୯ଟା ବେଳେ ଜଗନ୍ନାଥ ସାହିର ଏସ୍କେ ଜାହୁରୁଦ୍ଦିନ୍ଙ୍କ ଘରେ ନିଆଁ ଲାଗି ଯାଇଥିଲା।ସ୍ଥାନୀୟ ଲୋକଙ୍କ ସମେତ ଧାମନଗରରୁ ଅଗ୍ନିଶମ ବାହିନୀ ପହଂଚି ନିଆଁ ଲିଭାଇଥିଲେ ମଧ୍ୟ ଗୃହକର୍ତାଙ୍କ ସମସ୍ତ ଜିନିଷପତ୍ର ପୋଡ଼ି ଯାଇଥିଲା। ଅଗ୍ନିକାଣ୍ଡରେ ଘରର ବହୁ ଆସବାବପତ୍ର ସହ ଅନେକ ଜରୁରୀ ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡ଼ିଛି।ଏସ କେ ଜାହୁରୁଦ୍ଧିନଙ୍କ ଘରେ ବିଦ୍ୟୁତ ନଥିଲା ବେଳେ ନିଆଁ କିପରି ଲାଗିଲା ତାର କାରଣ ସ୍ପଷ୍ଟ ହୋଇନାହିଁ।କିନ୍ତୁ ଗ୍ୟାସରୁ ଏପରି ଘଟିଥିବା ସନ୍ଦେହ କରାଯାଉଛି।ଧୂଷୁରୀ ରାଜସ୍ୱ ନିରୀକ୍ଷକ ଅଗ୍ନି ବିପନ୍ନ ପରିବାରକୁ ପ୍ରାଥମିକ ସରକାରୀ ସହାୟତା ଯୋଗାଇ ଦେଇଥିବା ଜଣାଯାଇଛି। ଧାମନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଆଶୋକ ନାୟକ,ଧୂଷୁରୀ ମଣ୍ଡଳ ବିଜେପି ସଭାପତି ପୂର୍ବତନ ସରପଂଚ ଅନିରୁଦ୍ଧ ସାହୁ, ଯୁବ ନେତା ଅଭୟ ମାଝୀ,ବାସୁଦେବ ବେହେରା ପ୍ରମୁଖ ଆଜି ଘଟଣାସ୍ଥଳରେ ପହଂଚି ପୀଡ଼ିତ ପରିବାରକୁ ସମବେଦନା ଜଣାଇଛନ୍ତି।ଅଗ୍ନି ବିପନ୍ନ ପରିବାରକୁ ସ୍ୱତନ୍ତ୍ର ସରକାରୀ ସହାୟତା ଓ ରିଲିଫ ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ