
ଭଦ୍ରକ, ୫ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ କାଁପଡ଼ାସ୍ଥିତ ମା ବାସୁଳି ହାଇସ୍କୁଲ ନିକଟରେ ୯କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ କସ୍ତୁରବା ଗାନ୍ଧୀ ବାଳିକା ଛାତ୍ରୀ ନିବାସ ।ସେଥିପାଇଁ ଜମି ଚିହ୍ନଟ ସରିଯାଇଛି। କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ଅଧୀନ ସମଗ୍ର ଶିକ୍ଷା ଅଭିଯାନ ଛାତ୍ରୀ ନିବାସ ନିର୍ମାଣ କରାଯିବ । ତେବେ ଛାତ୍ରୀ ନିବାସ ନିର୍ମାଣ ଲାଗି ପ୍ରଥମ ପର୍ଯ୍ୟାୟରେ ୨.୫୦ କୋଟି ଅନୁଦାନ ଯୋଗାଇ ଦିଆଯାଇଛି । କାଁପଡା ମା ବାସୁଳି ଉଚ୍ଚ ମାଧ୍ୟମିକ ସ୍କୁଲରେ ଅଧ୍ୟୟନ କରୁଥିବା ତଫସିଲ ଭୁକ୍ତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ ସମ୍ପ୍ରଦାୟର ସମେତ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ଷଷ୍ଠରୁ ଯୁକ୍ତ ୨ ଶ୍ରେଣୀର ଛାତ୍ରୀମାନେ ଛାତ୍ରୀ ନିବାସରେ ରହିପାରିବେ। ଏଠାରେ ରହୁଥିବା ଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ରହିବା, ଖାଇବା, ୟୁନିଫର୍ମ ପୋଷାକ, ପାଠ୍ୟପୁସ୍ତକ ତଥା ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇ ଦିଆଯିବ । କେବଳ ପାଠ୍ୟପୁସ୍ତକ ଶିକ୍ଷା ସହିତ ବାଳିକାମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏଠାରେ ବିଭିନ୍ନ ପ୍ରକାର ସହ-ପାଠ୍ୟକ୍ରମ କାର୍ଯ୍ୟକ୍ରମରେ କମ୍ପ୍ୟୁଟର ଶିକ୍ଷା, ସିଲେଇ, ହସ୍ତଶିଳ୍ପ, ସଙ୍ଗୀତ, ନୃତ୍ୟ ଏବଂ ଆତ୍ମରକ୍ଷା ପାଇଁ କରାଟେ ବା ସାମରିକ କଳା ଶିକ୍ଷା ଦିଆଯିବାର ବ୍ୟବସ୍ଥା ରହିଛି । ଗତକାଲି ଜିଲ୍ଲା ସର୍ବଶିକ୍ଷା ଅଭିଯାନର ବାଳିକା ଶିକ୍ଷା ସଂଯୋଜିକା ଇପ୍ସିତା ଜେନା, ବ୍ଲକ କନିଷ୍ଠ ଯନ୍ତ୍ରୀ ଭରତ ଚନ୍ଦ୍ର ବିଶ୍ୱାଳ କ୍ଷେତ୍ର ପରିଦର୍ଶନରେ ଯାଇ ସ୍ଥାନ ନିରୂପଣ କରିଥିବା ବେଳେ ହାଇସ୍କୁଲର ପ୍ରଧାନଶିକ୍ଷକ ବୁଦ୍ଧେଶ୍ୱର ମାରାଣ୍ଡି, ସହକାରୀ ଶିକ୍ଷକ କାହ୍ନୁଚରଣ ଦାସ, ମା' ବାସୁକି କମିଟିର ସଭାପତି ଇନ୍ଦ୍ରମଣି ଦାସ, ସମାଜସେବୀ ଶରତ କୁମାର ଦାସ, ସ୍କୁଲ ପରିଚାଳନା କମିଟି ସଭାପତି ଦେବାଶିଷ ଦାସ, ରାଜେନ୍ଦ୍ର ଦାସ, ବାସୁଦେବ ଦାସ, ଆଶିଷ ଦାସ ଓ ରମାକାନ୍ତ ମଲିକ୍ ପ୍ରମୁଖ ଉପସ୍ଥିତ ଥିଲେ । ଏପରି ଏକ ଛାତ୍ରୀ ନିବାସ ନିର୍ମାଣ ପାଇଁ କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦିଆ ଯାଇଥିବାରୁ ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ପଂଚାୟତ ବାସୀ କୃତଜ୍ଞତା ଜଣାଇଛନ୍ତି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ