

ବଲାଙ୍ଗିର, 05 ଅକ୍ଟୋବର (ହି.ସ.) ଚାକଚକ୍ୟପୂର୍ଣ୍ଣ ଅତ୍ୟାଧୁନିକ ଦୁନିଆରେ ନିଜର ଆବଶ୍ୟକତା ଓ ଇଚ୍ଛା ପୂରଣ କରିବାକୁ ଯାଇ ମଣିଷ ଅନେକ ପନ୍ଥାକୁ ଅନୁସରଣ କରୁଛି। କିନ୍ତୁ ଭୁଲିଯାଉଛି ନିଜର ପ୍ରକୃତ କର୍ତ୍ତବ୍ୟ ଓ ହରେଇ ବସୁଛି ନିଜର ପ୍ରକୃତ ପରିଚୟ। ବେଦ, ଉପନିଷଦ, ପୁରାଣରେ ବର୍ଣିତ ତଥା ଦାର୍ଶନିକମାନଙ୍କ ଜୀବନାଦର୍ଶ ଓ ନିର୍ଦେଶାବଳିକୁ ଭୁଲିଯାଇ ନିଜର ଆତ୍ମପ୍ରତିଷ୍ଠା ପାଇଁ ବ୍ୟାକୁଳ ହେଉଛି ମଣିଷ। ବଲାଙ୍ଗୀରର ଅଗ୍ରଣୀ ସାହିତ୍ୟିକ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ 'ରଚନା' ଦ୍ଵାରା ଆୟୋଜିତ ଗାଳ୍ପିକ ମନୋଜ କୁମାର ପଣ୍ଡା ସ୍ମାରକୀ ବକ୍ତୃତା ଓ ସର୍ଜନ ପୁରସ୍କାର ସମାରୋହ ରବିବାର ସନ୍ଧ୍ୟାରେ ଅତିଥିବକ୍ତା ଭାବରେ ପ୍ରଫେସର କାଳିଦାସ ମିଶ୍ର ଯୋଗଦେଇ ପରିଚୟ ଖୋଜୁଛି ମଣିଷ ଶୀର୍ଷକ ବକ୍ତବ୍ୟରେ ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍ୟର ବ୍ୟାଖ୍ୟା କରି ଏଭଳି ମତ ଦେଇଛନ୍ତି। 'ରଚନା'ର ବରିଷ୍ଠ ସଦସ୍ୟ କବି ପ୍ରଦୀପ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ 'ରଚନା'ର ସମ୍ପାଦକ ଭାଗୀରଥି ମିଶ୍ର ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ମନୋଜ ପଣ୍ଡାଙ୍କ ଜୀବନ ଓ କୃତି ସମ୍ପର୍କରେ ସୂଚନା ଦେଇଥିଲେ କବି ରାଜୀବ ଲୋଚନ ଆଚାର୍ଯ୍ୟ ଏବଂ ଗାଳ୍ପିକ ପଣ୍ଡାଙ୍କ ଲିଖିତ ଏକ ପ୍ରବନ୍ଧ ପାଠ କରିଥିଲେ କବି ଝରଣା ସାହୁ। ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଆଭାସ କୁମାର ବରାଳଙ୍କୁ ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର-୨୦୨୬ ସ୍ୱରୂପ ଉତ୍ତରୀୟ, ମାନପତ୍ର ଓ ଦଶହଜାର ଟଙ୍କା ପ୍ରଦାନ କରାଯାଇଥିଲା। ମାନପତ୍ର ପାଠ କରିଥିଲେ 'ରଚନା'ର ସହସମ୍ପାଦକ ରତ୍ନମୟ ତ୍ରିପାଠୀ। 'ରଚନା'ର ବରିଷ୍ଠ ସଦସ୍ୟା କବି ସସ୍ମିତା ନେପାକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ 'ରଚନା'ର ସଭାପତି ସନାତନ ଠାକୁର। ଏହି ସମାରୋହରେ ବହୁ ସଂଖ୍ୟାରେ ସାହିତ୍ୟାନୁରାଗୀ, ବୁଦ୍ଧିଜୀବୀ ଓ ମନୋଜଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ