ମାଥିଲିରେ ସେବା ସେତୁ ଅଭିଯାନ ଓ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ
ମାଲକାନଗିରି, ୫ ଅକ୍ଟୋବର (ହି.ସ.)- ସରକାରୀ ଯୋଜନା ଓ ସେବାଗୁଡ଼ିକୁ ତୃଣମୂଳ ସ୍ତରରେ ଜନସାଧାରଣଙ୍କ ନିକଟରେ ସହଜରେ ପହଞ୍ଚାଇବା ଏବଂ ଗ୍ରାମାଞ୍ଚଳବାସୀଙ୍କ ବିଭିନ୍ନ ପ୍ରଶାସନିକ ସମସ୍ୟାର ସରଳ ଓ ସ୍ୱଚ୍ଛ ସମାଧାନ ନିମନ୍ତେ ମାଲକାନଗିରି ଜିଲ୍ଲା ମାଥିଲି ପଞ୍ଚାୟତ ସମିତି ସଭାଗୃହଠାରେ ସେବା ସେତୁ ଅଭିଯା
ମାଥିଲିରେ ସେବା ସେତୁ ଅଭିଯାନ ଓ ଯୁଗ୍ମ ଜନଶୁଣାଣି ସଫଳତାର ସହ ଅନୁଷ୍ଠିତ


ମାଲକାନଗିରି, ୫ ଅକ୍ଟୋବର (ହି.ସ.)- ସରକାରୀ ଯୋଜନା ଓ ସେବାଗୁଡ଼ିକୁ ତୃଣମୂଳ ସ୍ତରରେ ଜନସାଧାରଣଙ୍କ ନିକଟରେ ସହଜରେ ପହଞ୍ଚାଇବା ଏବଂ ଗ୍ରାମାଞ୍ଚଳବାସୀଙ୍କ ବିଭିନ୍ନ ପ୍ରଶାସନିକ ସମସ୍ୟାର ସରଳ ଓ ସ୍ୱଚ୍ଛ ସମାଧାନ ନିମନ୍ତେ ମାଲକାନଗିରି ଜିଲ୍ଲା ମାଥିଲି ପଞ୍ଚାୟତ ସମିତି ସଭାଗୃହଠାରେ ସେବା ସେତୁ ଅଭିଯାନ ଶିବିର ଏବଂ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ, ଜିଲ୍ଲା ବନଖଣ୍ଡ ଅଧିକାରୀ ସାଇ କିରଣ ଡିଏନ୍, ମାଥିଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ବେହେରା, ମାଥିଲି ତହସିଲଦାରଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।

ଶିବିର ପରିସରରେ ଆୟୋଜିତ ଯୁଗ୍ମ ଜନଶୁଣାଣିରେ ମାଥିଲି ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଶହ ଶହ ଗ୍ରାମବାସୀ ନିଜ ନିଜର ଅଭିଯୋଗ ଓ ସମସ୍ୟା ଜିଲ୍ଲା ପ୍ରଶାସନ ସମ୍ମୁଖରେ ସିଧାସଳଖ ଉପସ୍ଥାପନ କରିଥିଲେ। ରାଜସ୍ୱ, ପାନୀୟ ଜଳ, ବିଦ୍ୟୁତ, ରାସ୍ତାଘାଟ, ସାମାଜିକ ନିରାପତ୍ତା ଓ ଜୀବିକାର୍ଜନ ସମ୍ବନ୍ଧୀୟ ଏହିସବୁ ଅଭିଯୋଗଗୁଡ଼ିକୁ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଗମ୍ଭୀରତାର ସହ ଶୁଣିବା ସହ ଅନେକ ସମସ୍ୟାର ସଦ୍ୟ ସମାଧାନ କରିଥିଲେ। ଅବଶିଷ୍ଟ ଜଟିଳ ଦରଖାସ୍ତଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତୁରନ୍ତ ଫଇସଲା କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଦୃଢ଼ ନିର୍ଦ୍ଦେଶ ଦିଆଯାଇଛି।

ଏହି ଅବସରରେ ବିଭିନ୍ନ ସରକାରୀ ଜନକଲ୍ୟାଣକାରୀ ଯୋଜନା ଅଧୀନରେ ବ୍ୟାପକ ସହାୟତା ରାଶି, ଆର୍ଥିକ ପ୍ରୋତ୍ସାହନ ଓ ଉପକରଣ ବଣ୍ଟନ କରାଯାଇଥିଲା। ଓଡ଼ିଶା ଜୀବିକା ମିଶନ ଅଧୀନରେ ୯ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମୋଟ୍ ୧୬,୫୦,୦୦୦ ଟଙ୍କାର ସିଏସଆଇଏଫ ଋଣ ସହାୟତା ହସ୍ତାନ୍ତର କରାଯାଇଥିବା ବେଳେ ମିଶନ ଶକ୍ତି ଅଧୀନରେ ୨ଟି ଏସଏଚଜି ଗ୍ରୁପକୁ ୨,୦୦,୦୦୦ ଟଙ୍କାର ରିଭଲଭିଂ ଫଣ୍ଡ ବଣ୍ଟନ କରାଯାଇଛି। ଗ୍ରାମାଞ୍ଚଳ ଗୃହ ନିର୍ମାଣ ଯୋଜନା କ୍ଷେତ୍ରରେ ୧୦ ଜଣଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨ ଜଣ ଓ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୮ ଜଣ ହିତାଧିକାରୀଙ୍କୁ ସର୍ବମୋଟ ୧,୬୦,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ସହ, ନୂତନ ଗୃହ ନିର୍ମାଣ କାର୍ଯ୍ୟକୁ ସହଜ କରିବା ପାଇଁ ୧୦ ଜଣ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବାବଦକୁ ୪୦,୦୦୦ ଟଙ୍କା ପ୍ରଦାନ କରାଯାଇଛି।

ସେହିପରି ସାମାଜିକ ନିରାପତ୍ତା ଯୋଜନା ଅଧୀନରେ ନୂତନ ଭାବେ ପଞ୍ଜୀକୃତ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କରାଯାଇଥିବା ବେଳେ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ଗୁରୁତର ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ସିପି ଚେୟାର ଏବଂ ଅନ୍ୟ ଦିବ୍ୟାଙ୍ଗମାନଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି। କୃଷି ଓ ଜୀବିକାର୍ଜନ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଏକ ଏସଏଚଜି ଗ୍ରୁପକୁ ସ୍ୱତନ୍ତ୍ର ବିହନ ପୁଞ୍ଜି ଦିଆଯାଇଛି। ଏହାସହ ଆତ୍ମା ଯୋଜନା ଅଧୀନରେ ଚାଷୀଙ୍କ ମଧ୍ୟରେ ଆଧୁନିକ କୃଷି ପ୍ରଣାଳୀ ଓ ଉନ୍ନତ ପ୍ରଯୁକ୍ତିବିଦ୍ୟାର ପ୍ରସାର ପାଇଁ ପ୍ରଦର୍ଶନୀ ମାଧ୍ୟମରେ ସ୍ୱୀଟ୍ କୋର୍ଣ୍ଣ ବିହନ ବଣ୍ଟନ କରାଯାଇଛି।

ଶିବିର ପରିସରରେ ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ଜିଲ୍ଲାପାଳ ପରିଦର୍ଶନ କରିଥିଲେ। ସେଠାରେ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର ଏହି ମହତ ମାନବୀୟ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଜିଲ୍ଲାପାଳ ମାଥିଲି ରାଜସ୍ୱ ପରିଦର୍ଶକ କାର୍ଯ୍ୟାଳୟ ଭେଜାଗୁଡ଼ା ଏବଂ ପାଣ୍ଡ୍ରିପାଣି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ସେ ସରକାରୀ ରେକର୍ଡପତ୍ର ପରିଚାଳନା, ନାଗରିକ ସେବା ଯୋଗାଣର ସ୍ଥିତି ଏବଂ ପଞ୍ଚାୟତ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କ୍ଷେତ୍ରସ୍ତରୀୟ ସମୀକ୍ଷା କରିବା ସହ କାର୍ଯ୍ୟକାରିତାରେ ଅଧିକ ସ୍ୱଚ୍ଛତା ଓ ଦ୍ରୁତତା ଆଣିବାକୁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande