
ମୁଖୀଗୁଡା, ୫ ଅକ୍ଟୋବର (ହି.ସ.)- ଗାଁରେ ବେଆଇନ ମଦ କୋଠି ଓ କୁଚିଆ ମଦ କାରବାର ବନ୍ଦ ଦାବିରେ ଅବକାରୀ ଓ ପୋଲିସ ବିଭାଗର ଦ୍ୱାରସ୍ଥ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଅଁଲାଭଟା ଗ୍ରାମର ଶତାଧିକ ମହିଳା ଓ ପୁରୁଷ। ଜୟପାଟଣା ଥାନାରେ ପହଞ୍ଚି ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମର ବିଭିନ୍ନ ସ୍ଥାନରେ ମଦ କୋଠି ଓ କୁଚିଆ ଆଡ୍ଡା ଗଢ଼ି ଉଠିଥିବାରୁ ଯୁବକ ଓ ଛୋଟ ପିଲାମାନେ ମଧ୍ୟ ନିଶାସକ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମଦ୍ୟପାନ ଯୋଗୁଁ ପରିବାରରେ ନିୟମିତ କଳହ, ଗାଳିଗୁଲଜ ଓ ମାରପିଟ ହେଉଥିବା ସେମାନେ କହିଛନ୍ତି।
ତେଣୁ ଗାଁରେ ଚାଲିଥିବା ସମସ୍ତ ବେଆଇନ ମଦ କୋଠି ଓ କୁଚିଆ ମଦ କାରବାରକୁ ତୁରନ୍ତ ଏବଂ ସବୁଦିନ ପାଇଁ ବନ୍ଦ କରିବାକୁ ଅବକାରୀ ଓ ପୋଲିସ ବିଭାଗ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି। ବର୍ତମାନ ଅବକାରୀ ଓ ପୋଲିସ ବିଭାଗ କି କାର୍ଯ୍ୟନୁଷ୍ଠାନ ନେଉଛନ୍ତି ତାହାରି ଉପରେ ରହିଛି ସମସ୍ତଙ୍କ ନଜର |
ହିନ୍ଦୁସ୍ଥାନ ସମାଚାର / ନିହାର