
ଜୟପୁର, ୦୫ ଅକ୍ଟୋବର (ହି.ସ.) - ଜୟପୁର ବ୍ଲକ ଅନ୍ତର୍ଗତ ରାଣୀଗଡ଼ ଓ ପୂଜାରିପୁଟ ପଂଚାୟତରେ ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍ଘାଟନ ହୋଇଛି । ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଉପସ୍ଥିତିରେ ରାଣୀଗଡ଼ ଓ ପୂଜାରିପୁଟ ପଂଚାୟତରେ ବିଭିନ୍ନ ଯୋଜନା ଅଧୀନରେ ନିର୍ମିତ ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ କରାଯାଇଥିଲା। ଏଥିମଧ୍ୟରେ ଗଣେଶ ମନ୍ଦିର ନିକଟସ୍ଥ ଗୋଷ୍ଠୀ କେନ୍ଦ୍ର ଏବଂ ପୂଜାରିପୁଟସ୍ଥିତ ଭୋଗ ମଣ୍ଡପ ଭଳି ବିଭିନ୍ନ ପ୍ରକଳ୍ପ ସାମିଲ ରହିଛି। ବିଜିବିଓ, ଜିଏଲ୍ପିଏଫ୍ ଓ ଏସିଆର୍ ଯୋଜନା ଅଧୀନରେ ଏହି ବିକାଶ ପ୍ରକଳ୍ପଗୁଡ଼ିକ କାର?୍ୟ୍ୟକାରୀ ହୋଇଥିବା ଜଣାପଡ଼ିଛି। ଏହାଦ୍ୱାରା ୨ ପଂଚାୟତର ଲୋକଙ୍କୁ ସାମାଜିକ ଓ ସାମୂହିକ କାର?୍ୟ୍ୟକ୍ରମ ପାଇଁ ଆବଶ୍ୟକ ସୁବିଧା ମିଳିବା ସହ ଗ୍ରାମାଂଚଳର ଭିତିଭୂମି ବିକାଶରେ ଏହା ସହାୟକ ହେବ ବୋଲି କୁହାଯାଇଛି। କାର୍ଯ୍ୟକ୍ରମରେ ଜୟପୁର ବ୍ଲକ ଅଧକ୍ଷା ତିଳୋତମା ମୁଦୁଲି, ବିଡିଓ ଶକ୍ତି ମହାପାତ୍ର, ରାଣୀଗଡ଼ ଓ ପୂଜାରିପୁଟ ପଂଚାୟତର ସରପଂଚ, ପଂଚାୟତିରାଜ ପ୍ରତିନିଧି (ପିଆରଆଇଇ) ସଦସ୍ୟଙ୍କ ସମେତ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ। ସ୍ଥାନୀୟ ଜନପ୍ରତିନିଧି ଓ ଅଧିକାରୀମାନେ ପ୍ରକଳ୍ପଗୁଡ଼ିକର ଗୁଣାତ୍ମକ ନିର୍ମାଣ ଓ ଏହାର ସୁବିଧା ଲୋକଙ୍କ ନିକଟରେ ପହଂଚାଇବା ଉପରେ ଗୁରୁତ୍ୱ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି