
ଝାରସୁଗୁଡ଼ା, ୫ ଅକ୍ଟୋବର (ହି.ସ.)- ଲଖନପୁର ଥାନା ଅଧୀନ କୁଶ୍ରାଲୋଇ (ଖପରପଡ଼ା) ଗ୍ରାମରେ ଜମି ବିବାଦକୁ କେନ୍ଦ୍ର କରି ବଡ଼ ଭାଇଙ୍କୁ ପିଟି ପିଟି ହତ୍ୟା କରିବା ଘଟଣାର ପର୍ଦ୍ଦାଫାସ କରିଛି ଝାରସୁଗୁଡ଼ା ପୁଲିସ। ଏହି ଘଟଣାରେ ମୃତକଙ୍କ ସାନ ଭାଇ କିଶୋର ଓରାମ (୩୪)ଙ୍କୁ ପୁଲିସ ଗିରଫ କରି ଆଜି ଅଦାଲତକୁ ଚାଲାଣ କରିଛି।
ପୁଲିସ ସୂଚନା ଅନୁଯାୟୀ, ଅକ୍ଟୋବର ୪ ତାରିଖ ଦିନ ପ୍ରାୟ ୧୨ଟା ସମୟରେ କୁଶ୍ରାଲୋଇ (ଖପରପଡ଼ା) ଗ୍ରାମରେ ସୁଦର୍ଶନ ଓରାମ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଘର ସମ୍ମୁଖରେ କୌଣସି କଥାକୁ ନେଇ ବଚସା ହେଉଥିଲା। ଏହି ସମୟରେ ସାନ ଭାଇ କିଶୋର ଓରାମ ଘରୁ ବାହାରି ଏକ କାଠ ବାଟି ନେଇ ସୁଦର୍ଶନଙ୍କ ଉପରେ ଆକ୍ରମଣ କରିଥିଲେ। ଜମିଜମା ସମ୍ପର୍କିତ କାଗଜପତ୍ର ଏବଂ ଏମ୍ସିଏଲ୍ କ୍ଷତିପୂରଣକୁ ନେଇ ପରିବାରରେ ଦୀର୍ଘଦିନ ଧରି ବିବାଦ ରହିଥିବା ବେଳେ ଏହି କାରଣରୁ କିଶୋର ଉତ୍ତ୍ୟକ୍ତ ହୋଇ ସୁଦର୍ଶନଙ୍କ ମୁହଁ ଓ ମୁଣ୍ଡକୁ କାଠ ବାଟିରେ ଜୋରଦାର ପ୍ରହାର କରିଥିଲେ। ଏଥିରେ ସୁଦର୍ଶନ ଗୁରୁତର ଆହତ ହୋଇଥିଲେ ଏବଂ ପ୍ରବଳ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଏନେଇ ମୃତକଙ୍କ ପତ୍ନୀଙ୍କ ଲିଖିତ ଅଭିଯୋଗ ଆଧାରରେ ଲଖନପୁର ଥାନାରେ କେସ୍ ନମ୍ବର ୨୭୪, ତାରିଖ ୦୪.୧୦.୨୦୨୬ରେ ଭାରତୀୟ ନ୍ୟାୟ ସଂହିତା ଧାରା ୧୦୩(୧) ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ଏହାପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏସ୍ଆଇ ସସ୍ମିତା ଖୁଣ୍ଟିଆଙ୍କ ନେତୃତ୍ୱରେ ତଦନ୍ତ ଆଗକୁ ବଢ଼ିଥିଲା। ପୁଲିସ ପଚରାଉଚରା ସମୟରେ ଅଭିଯୁକ୍ତ କିଶୋର ଅପରାଧ ସ୍ୱୀକାର କରିଥିବା ଜଣାପଡ଼ିଛି। ତାଙ୍କ ସୂଚନା ଆଧାରରେ ଘର ପଛପଟୁ ରକ୍ତଲଗା ଭଙ୍ଗା କାଠ ବାଟିର ଏକ ଖଣ୍ଡ ଜବତ କରାଯାଇଛି। ଏଥିସହ ଘଟଣାସ୍ଥଳରୁ ମଧ୍ୟ ରକ୍ତଲଗା ଭଙ୍ଗା କାଠ ବାଟିର ଅନ୍ୟ ଏକ ଖଣ୍ଡ ଜବତ ହୋଇଛି। ଅଭିଯୁକ୍ତ ଓ ମୃତକଙ୍କ ରକ୍ତଲଗା ପୋଷାକ ଏବଂ ଜୈବିକ ନମୁନା ମଧ୍ୟ ପୁଲିସ ଜବତ କରିଛି। ଗିରଫ ଅଭିଯୁକ୍ତ କିଶୋର ଓରାମ (୩୪) । ତାଙ୍କ ଘର ଲଖନପୁର ଥାନା ଅଧୀନ କୁଶ୍ରାଲୋଇ (ଖପରପଡ଼ା) ଗ୍ରାମରେ। ଅଭିଯୁକ୍ତଙ୍କୁ ଆଜି ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ