
ନୂଆଦିଲ୍ଲୀ, ଅକ୍ଟୋବର 5 (ହି.ସ): ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ଗାଇ ପାରମେଲିନଙ୍କୁ ସୋମବାର ସକାଳେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭବ୍ୟ ସ୍ୱାଗତ କରିଥିଲେ। ଏହି ସମୟରେ ତାଙ୍କୁ ତ୍ରି-ସେବା 'ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହିତ ଦିଲ୍ଲୀ ପହଞ୍ଚିଥିବା ରାଷ୍ଟ୍ରପତି ଗାଇ ପାରମେଲିନଙ୍କୁ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ଟମଟା ବିମାନବନ୍ଦରରେ ସ୍ୱାଗତ କରିଥିଲେ। ବିମାନବନ୍ଦରରେ ତାଙ୍କୁ ଆନୁଷ୍ଠାନିକ 'ଷ୍ଟାଟିକ୍ ଗାର୍ଡ ସମ୍ମାନ ପ୍ରଦାନ କରାଯାଇଥିଲା।
ଆନୁଷ୍ଠାନିକ ସ୍ୱାଗତ ପରେ ରାଷ୍ଟ୍ରପତି ପାରମେଲିନ କହିଥିଲେ ଯେ ତାଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଗସ୍ତ ଭାରତ ଏବଂ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ (ଇ. ଏଫ୍. ଟି. ଏ.) ମଧ୍ୟରେ ଐତିହାସିକ ବାଣିଜ୍ୟ ରାଜିନାମାର ପ୍ରଥମ ବାର୍ଷିକୀ ଅବସରରେ ଅନୁଷ୍ଠିତ ହେଉଛି। ଆଲୋଚନା ସମୟରେ ଦୁଇ ନେତା ଦ୍ୱିପାକ୍ଷିକ ବାଣିଜ୍ୟ, ନିବେଶ, ବିଜ୍ଞାନ, ନବସୃଜନ ଏବଂ ପ୍ରମୁଖ ବୈଶ୍ୱିକ ପ୍ରସଙ୍ଗରେ ଅଗ୍ରଗତିର ସମୀକ୍ଷା କରିବେ।
ମଙ୍ଗଳବାର ଦିନ ତାଙ୍କ ଗସ୍ତର ଦ୍ୱିତୀୟ ଦିନରେ ସ୍ୱିସ୍ ରାଷ୍ଟ୍ରପତି ନୋଏଡା ଆନ୍ତର୍ଜାତୀୟ ବିମାନବନ୍ଦର (ଜେୱାର) ପରିଦର୍ଶନ କରିବେ। ଏହି ବିମାନ ବନ୍ଦରର ବିକାଶରେ ସ୍ୱିସ୍ କମ୍ପାନୀ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହି ଗସ୍ତ ଭିତ୍ତିଭୂମି ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଭାଗିଦାରୀକୁ ଆହୁରି ଗଭୀର କରିବା ଉପରେ ଧ୍ୟାନ ଦେବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ଏହି ଆନୁଷ୍ଠାନିକ ସ୍ୱାଗତ ଭାରତ ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଥିବା ନିବିଡ଼ତା ଏବଂ ଦୀର୍ଘ ଦିନର ବନ୍ଧୁତ୍ୱକୁ ପ୍ରତିଫଳିତ କରୁଛି।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା