



ସମ୍ବଲପୁର, ୦୫, ଅକ୍ଟୋବର (ହି.ସ.) ଏବେ ବିଭିନ୍ନ ସ୍ଥାନରେ ଶାରଦୀୟ ଷୋଡ଼ଶ ଉପଚାରରେ ମାଁ ଦୁର୍ଗାଙ୍କ ପୂଜା ଉତ୍ସବ ପ୍ରାୟ ଆରମ୍ଭ ହୋଇଗଲାଣି । ସହର ଚଳଚଞ୍ଚଳ ହୋଇ ଉଠିବା ସହ ଅସାମାଜିକ ତତ୍ବ ମାନେବି ସେମାନଙ୍କର ଅଶାନ୍ତକର ବାତାବରଣର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ଧନୁପାଲି ଥାନା ଅନ୍ତର୍ଗତ ଅଞ୍ଚଳରେ ପୋଲିସ ପକ୍ଷରୁ ମାଇକ୍ ଯୋଗେ ପ୍ରଚାର କରାଯାଉଥିବା ସତର୍କ ସୂଚନା ସମ୍ପ୍ରତି ଲୋକଙ୍କ ସୁରକ୍ଷା ପାଇଁ ଥିଲେ ମଧ୍ୟ ଏଥିରେ ପୋଲିସର ପାରିବା ପଣିଆକୁ ନେଇ ଉଠିଛି ପ୍ରଶ୍ନବାଚୀ । ଆପଣ ବର୍ତ୍ତମାନର ପାର୍ବଣ ଋତୁରେ ଘର ଛାଡ଼ି କୁଆଡେ଼ ଯାଆନ୍ତୁ ନାହିଁ । ଯଦି କେଉଁ ଆଡକୁ ଯାଉଛନ୍ତି ତେବେ ଘର ଓ ଘରେଥିବା ସୁନା ଗହଣା ଓ ଟଙ୍କା ଆଦିର ସୁରକ୍ଷା ପାଇଁ ନିଶ୍ଚିତ ଭାବରେ ଘରେ କୌଣସି ଦାୟିତ୍ଵ ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ଜଗାଇ ଯିବା ପାଇଁ ଘଣ୍ଟା ଘଣ୍ଟା ଧରି ଲୋକଙ୍କୁ ପୋଲିସ ସଚେତନ କରାଇବା ଏହା ପୋଲିସର ସଚେତନତା ନା ପୋଲିସର ଅକ୍ଷମତା ତାହା ସଚେତନ ନାଗରିକଙ୍କ ମହଲରେ ପ୍ରଶ୍ନବାଚୀ ସାଜିଛି । ତଥାପି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସହରର ଟ୍ରାଫିକ୍ ଓ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିବା ପରିଲକ୍ଷିତ ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ