
ଝାରସୁଗୁଡ଼ା, ୦୫ ଅକ୍ଟୋବର (ହି.ସ.) - ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ‘ସେବା ଜ୍ୟୋତି ଯାତ୍ରା’ର ସଫଳ ଆୟୋଜନ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାଏକ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ତଥା ଉତ୍ସାହପୂର୍ଣ୍ଣ ଭାବେ ସମ୍ପାଦନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ନିଷ୍ପତି ଅନୁଯାୟୀ, ‘ସେବା ଜ୍ୟୋତି’ ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା ଏମ୍.ସି.ଏଲ୍. ଅଡିଟୋରିୟମ୍ରୁ ସକାଳ ୭:୦୦ ଘଟିକା ସମୟରେ ବାହାରିବ। ଏହି ଶୋଭାଯାତ୍ରା ସହରର ପ୍ରମୁଖ ରାସ୍ତା ଦେଇ ପରିକ୍ରମା କରିବା ପରେ ମନମୋହନ ସ୍କୁଲ ପଡ଼ିଆରେ ପହଂଚି ଉଦ୍ୟାପିତ ହେବ। ଏହି ଶୋଭାଯାତ୍ରାରେ ଝାରସୁଗୁଡା ସହରରର ବିଭିନ୍ନ ସ୍ୱେଛାସେବୀ ସଂଗଠନର କର୍ମକର୍ତା, ବୁଦ୍ଧିଜୀବୀ, ଶିକ୍ଷକ୍ଷନୁଷ୍ଠାନର ଛାତ୍ରଛାତ୍ରୀ, ସମସ୍ତ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ, ସର୍ବୋପରି ଝାରସୁଗୁଡା ବାସୀ ବହୁ ସଂଖ୍ୟାରେ ଯୋଗଦେଇ ଏହି ଶୋଭାଯାତ୍ରାକୁ ସଫଳ କରିବା ପାଇଁ ଶ୍ରୀଯୁକ୍ତ ନାଏକ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି ଶୋଭାଯାତ୍ରାରେ ଏକ ସୁସଜ୍ଜିତ ଗାଡି ରେ ବିରାଟ ମଶାଲ ସ୍ଥାପିତ ହେବ କ୍ଷ ଏହି ଶୋଭାଯାତ୍ରା ମନମୋହନ ସ୍କୁଲରେ ପହଂଚିବା ପରେ ପ୍ରାକୃତିକ ସାମଗ୍ରୀରେ ପ୍ରସ୍ତୁତ ଏକ ବୃହତ ରଙ୍ଗୋଲି ସେଠାରେ ପ୍ରଦର୍ଶିତ ହେବ। କାର୍ଯ୍ୟକ୍ରମକୁ ସୁରୁଖୁରୁରେ ପରିଚାଳନା କରିବା ଏବଂ ଜନସାଧାରଣ ତଥା ଯୁବପିଢ଼ିଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି।
ଏଥିସହ ଆସନ୍ତାକାଲି ସେବା ସଂକଳ୍ପ ଅଭିଯାନ ଉପଲକ୍ଷେ ସେବା ନମୋ ଗାଥା ଜୁନିୟର ଇଂଜିନିୟରିଙ୍ଗ ସ୍କୁଲ ରେ ଦିବା ୧୧:୩୦ମି. ସମୟରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ମଧ୍ୟ ବହୁ ସଂଖ୍ୟାରେ ଉପସ୍ଥିତ ରହିବା ପାଇଁ ଆହ୍ୱାନ କରାଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏଥିସହ ୭ଅକ୍ଟୋବର ଦିନ ମନମୋହନ ପଡିଆରୁ ଫ୍ଲାଗ ଅଫ ପରେ ୪୨୦ଜଣ ବରିଷ୍ଠ ତୀର୍ଥଯାତ୍ରୀ ଅପରାହ୍ନ ୫ଟା ସମୟରେ ପୁରୀ ଅଭିମୁଖେ ଯାତ୍ରା କରିବେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା।
ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ରୀତାକାନ୍ତି ବଳିୟାରସିଂହ ଉପସ୍ଥିତ ରହି କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଓ ସାଂସ୍କୃତିକ ଦିଗ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଏଥିସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ବିଭିନ୍ନ ଦାୟିତ୍ୱ ତଦାରଖ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ