ଜିଲ୍ଲାସ୍ତରୀୟ ମହା ସମାଧାନ ଶିବିର; ମୋଟ୍ ୮୭ଟି ଅଭିଯୋଗ ପଞ୍ଜୀକୃତ
Public-grievance-hearing-JHS
ଜିଲ୍ଲାସ୍ତରୀୟ ମହା ସମାଧାନ ଶିବିର; ମୋଟ୍ ୮୭ଟି ଅଭିଯୋଗ ପଞ୍ଜୀକୃତ


ଝାରସୁଗୁଡ଼ା, ୫ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ମହା ସମାଧାନ ଶିବିର ଆୟୋଜିତ ହୋଇଯାଇଛି। ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ତଥା ଉନ୍ନୟନ ଅଧିକାରୀ ବିଶ୍ୱ ରଞ୍ଜନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ଜି. ଆର. ରାଘବେନ୍ଦ୍ର ମଧ୍ୟ ଉପସ୍ଥିତ ରହିଥିଲେ। ବିଭିନ୍ନ ଅଞ୍ଚଳରୁ ଆସିଥିବା ନାଗରିକମାନେ ନିଜ ନିଜର ଆପତ୍ତି ଓ ଅଭିଯୋଗ ପ୍ରଶାସନ ନିକଟରେ ଉପସ୍ଥାପନ କରିଥିଲେ। ଲୋକଙ୍କ ଅଭିଯୋଗକୁ ପ୍ରତ୍ୟକ୍ଷ ଭାବେ ଶୁଣିବା ସହ ସମସ୍ୟାର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଶିବିରରେ ସମୁଦାୟ ୮୭ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ୨୩ଟି ଗୋଷ୍ଠୀଗତ ଅଭିଯୋଗ, ୬୩ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ରେଡକ୍ରସ ପାଣ୍ଠି ସହାୟତା ପାଇଁ ୧ଟି ଆବେଦନ ସାମିଲ ରହିଥିଲା। ଶୁଣାଣି ବେଳେ ୮ଟି ଅଭିଯୋଗର ଘଟଣାସ୍ଥଳରେ ହିଁ ସମାଧାନ କରାଯାଇଥିଲା ଏବଂ ଅବଶିଷ୍ଟ ମାମଲାଗୁଡ଼ିକୁ ତ୍ୱରିତ ପଦକ୍ଷେପ ନେବା ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ସହ ପ୍ରେରଣ କରାଯାଇଛି।

ଶିବିରରେ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଫ୍ଲାଏ ଆସ ନିଷ୍କାସନ ସମସ୍ୟା, ଜମି ପଟ୍ଟା ପ୍ରଦାନ, ଜମି ବଣ୍ଟନ, ନିଯୁକ୍ତି ସୁଯୋଗ, ବିସ୍ଥାପନ ସମସ୍ୟା, ଶିଳ୍ପାଞ୍ଚଳର ପ୍ରଦୂଷଣ, ଭିନ୍ନକ୍ଷମ ଭତ୍ତା, ଜମିଜମା ବିବାଦ ଏବଂ ବେଆଇନ ଜବରଦଖଲ ଉଚ୍ଛେଦ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଲୋକମାନେ ଅଭିଯୋଗ ଦାଖଲ କରିଥିଲେ। ପ୍ରତ୍ୟେକଟି ସମସ୍ୟାକୁ ଗୁରୁତ୍ୱର ସହ ନେଇ ସମୟସୀମା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ସମାଧାନ ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଉପ ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଝାରସୁଗୁଡ଼ା ତହସିଲଦାର ସଦାକାର କୁମ୍ଭାର, ବିଡ଼ିଓ ଅନିଲ ଆଚାର୍ଯ୍ୟ, ସହକାରୀ ଜିଲ୍ଲାପାଳ ତଥା ଜରୁରୀକାଳୀନ ଅଧିକାରୀ ମୃତ୍ୟୁଞ୍ଜୟ ଶବର, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଶକ୍ତି ପ୍ରସାଦ ପାଢ଼ୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଜ଼ିଲ୍ଲା ଶିକ୍ଷା ଅଧିକାରୀ ଡ଼. ରାଧାକାନ୍ତ ଗଡ଼ତିଆଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ଶୁଣିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande