
ଖୋର୍ଦ୍ଧା, 05 ଅକ୍ଟୋବର (ହି.ସ.)ବାଘମାରି-କଣ୍ଟିଲୋ 48 ନମ୍ବର ରାଜ୍ୟ ରାଜପଥର ସିମୋର ଛକରେ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ବୋଲେରୋ ଗାଡ଼ି ହଠାତ ନିଆଁ ଲାଗି ଜଳିଯାଇଛି । ନିଆଁ ଏତେ ଭୟଙ୍କର ଥିଲା ଯେ ଆଖି ପିଛୁଳାକେ ଗାଡ଼ିଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିଲା । ଗାଡ଼ିଟି ନାଲି ରଙ୍ଗରୁ ଗାଡିଟି କଳା ପାଲଟିଯାଇଥିବା ବେଳେ ଘଟଣାସ୍ଥଳରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହୋଇଥିଲା । କିଛି ସମୟ ପାଇଁ ରାସ୍ତାରେ ଯାତାୟତ ବନ୍ଦ ହୋଇଯାଇଥିଲା । ସୂଚନା ଅନୁସାରେ, ଖୋରଧା ଷ୍ଟାଣ୍ଡରୁ ଓଡ଼ିଆ ୦୨-ଏମ ୮୦୬୦ ନମ୍ବରର ବୋଲେରୋଟି ଜଣେ ମହିଳାଙ୍କୁ ନେଇ ଫତେଗଡ଼ ରାମମନ୍ଦିର ଦର୍ଶନ କରି ଫେରୁଥିଲା । ଫେରିବା ବାଟରେ ସିମୋର ଛକ ନିକଟରେ ଗାଡ଼ିଟି ରାସ୍ତାକଡ଼ରେ ଠିଆ ହୋଇଥିଲା । ଜଳଖିଆ ଆଣିବା ପାଇଁ ଡ୍ରାଇଭର ଗାଡ଼ି ଛାଡ଼ି ଯାଇଥିବା ବେଳେ ହଠାତ ଗାଡ଼ିରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ସ୍ଥାନୀୟ ଲୋକେ କିଛି ବୁଝିବା ପୂର୍ବରୁ ଧୂଆଁ ସହ ଗାଡ଼ିରେ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ନିଆଁ ଗାଡ଼ିର ଚାରିଆଡ଼କୁ ବ୍ୟାପି ଯାଇଥିଲା । ଖବର ପାଇ ବେଗୁନିଆ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ପ୍ରୟାସ ପରେ ନିଆଁକୁ ଆୟତ୍ତ କରିଥିଲା । ତେବେ ସେତେବେଳକୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ଖବର ପାଇ ବାଘମାରି ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଗାଡ଼ିରେ ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ପ୍ରାଥମିକ ଭାବେ ଅନୁମାନ କରାଯାଉଛି । ସେପଟେ ଘଟଣା ସମ୍ପର୍କରେ ଗାଡି ଚାଳକ ରଶ୍ମୀକାନ୍ତ ପରିଡା କହିଛନ୍ତି ମୁଁ ଜଣେ ମହିଳାଙ୍କୁ ଖୋରଧାରୁ ଆଣି ଫତେଗଡ଼ ରାମମନ୍ଦିର ଦର୍ଶନ ସାରି ଫେରିଥିଲୁ । ସିମୋର ଛକରେ ଗାଡି ରଖି ଜଳଖିଆ ପାଇଁ ଯାଇଥିଲି ଏବଂ ସେଇଠି ଗାଡ଼ିରେ କେନିମି ନିଆଁ ଲାଗିଯାଇଥିଲା । ସେହିପରି ପ୍ରତକ୍ଷ୍ୟଦର୍ଶୀ ନବକିଶୋର ଖୁଣ୍ଟିଆ କହିଛନ୍ତି ସମୟ ସାଢେ ଏକଟା ରୁ ଦୁଇଟା ହେବ ଗାଡି ରଖି ଚାଳକ ଜଣକ ଆମ ଦୋକାନରୁ ଜଳଖିଆ ନେଇ ପାନ ପାଇଁ ଯାଇଥିଲେ ଏବଂ ଗାଡ଼ିରେ ଥିବା ମହିଳା ଜଣକ ଦୌଡ଼ି ଆସି ଗାଡ଼ିରେ ନିଆଁ ଲାଗିଥିବା କହିଥିଲେ ଏବଂ ଆମେ ତୁରନ୍ତ ଘଟଣା ସମ୍ପର୍କରେ ଅଗ୍ନିଶମ ଓ ପୋଲିସକୁ ଖବର ଦେଇଥିଲୁ
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ