ସାହାଡ଼ା ସନାଦପୁର ସେବା ଆଶ୍ରମ ବିଦ୍ୟାଳୟରେ ମ୍ୟାଟ୍ରନ ନିଯୁକ୍ତିକୁ ନେଇ ଅସନ୍ତୋଷ, ସରକାରୀ ନିୟମ ଅନୁଯାୟୀ ନିଯୁକ୍ତି ଦାବି; ୭ ଦିନ ମଧ୍ୟରେ ସମାଧାନ ନହେଲେ ଧର୍ମଘଟ ଚେତାବନୀ
ଭଦ୍ରକ, ୫ ଅକ୍ଟୋବର (ହି.ସ.) - ଭଦ୍ରକ ବ୍ଲକ ଅନ୍ତର୍ଗତ ସାହାଡ଼ା ପଂଚାୟତର ସାହାଡ଼ା ସନାଦପୁର ଅଂଚଳରେ ଦୀର୍ଘବର୍ଷ ଧରି ଚାଲିଆସୁଥିବା ସେବା ଆଶ୍ରମ ବିଦ୍ୟାଳୟରେ ମ୍ୟାଟ୍ରନ ନିଯୁକ୍ତିକୁ ନେଇ ଅସନ୍ତୋଷ ଦେଖାଦେଇଛି। ମ୍ୟାଟ୍ରନ ପଦବୀ ପୂରଣରେ ସରକାରୀ ନିୟମ, ସ୍ୱଚ୍ଛତା ଓ ନିରପେକ୍ଷତା ଅବଲମ୍ବନ କରାଯାଇନଥି
SAHADA SANADAPUR SEBASHRAM


ଭଦ୍ରକ, ୫ ଅକ୍ଟୋବର (ହି.ସ.) - ଭଦ୍ରକ ବ୍ଲକ ଅନ୍ତର୍ଗତ ସାହାଡ଼ା ପଂଚାୟତର ସାହାଡ଼ା ସନାଦପୁର ଅଂଚଳରେ ଦୀର୍ଘବର୍ଷ ଧରି ଚାଲିଆସୁଥିବା ସେବା ଆଶ୍ରମ ବିଦ୍ୟାଳୟରେ ମ୍ୟାଟ୍ରନ ନିଯୁକ୍ତିକୁ ନେଇ ଅସନ୍ତୋଷ ଦେଖାଦେଇଛି। ମ୍ୟାଟ୍ରନ ପଦବୀ ପୂରଣରେ ସରକାରୀ ନିୟମ, ସ୍ୱଚ୍ଛତା ଓ ନିରପେକ୍ଷତା ଅବଲମ୍ବନ କରାଯାଇନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ, ଅଭିଭାବକ ଓ ଜନସାଧାରଣ। ଏହି ନିଯୁକ୍ତି ପ୍ରକ୍ରିୟାକୁ ବାତିଲ କରି ସରକାରୀ ନିୟମ ଅନୁଯାୟୀ ପୁନର୍ବାର ବିଜ୍ଞପ୍ତି ପ୍ରକାଶ କରି ଯୋଗ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ ନିଯୁକ୍ତି ଦେବାକୁ ଅଂଚଳବାସୀ ଦାବି କରିଛନ୍ତି। ସୂଚନା ଅନୁଯାୟୀ, ସାହାଡ଼ା ପଂଚାୟତର ସନାଦପୁର ଏକ ହରିଜନ ଉପାଂଚଳ ଭାବେ ପରିଚିତ। ଏହି ଅଂଚଳରୁ ସାହାଡ଼ା ଓ ପଦମପୁର ପ୍ରାୟ ୩ କିଲୋମିଟର ଦୂରରେ ଅବସ୍ଥିତ। ଆଜିଠାରୁ ବହୁ ବର୍ଷ ପୂର୍ବେ ଅଂଚଳରେ ରାସ୍ତାଘାଟ ଓ ଯୋଗାଯୋଗ ବ୍ୟବସ୍ଥା ଉନ୍ନତ ନଥିବା ସମୟରୁ ଏଠାରେ ଆଶ୍ରମ ବିଦ୍ୟାଳୟ ପ୍ରତିଷ୍ଠା ହୋଇ ଆସୁଥିବା କୁହାଯାଉଛି। ଦୀର୍ଘବର୍ଷ ଧରି ଏହି ବିଦ୍ୟାଳୟ ଅଂଚଳର ଗରିବ, ଅବହେଳିତ ଓ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଆସୁଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ୨୦୧୬ ମସିହାରୁ ଏହି ବିଦ୍ୟାଳୟ ଆବାସିକ ବିଦ୍ୟାଳୟ ଭାବେ ମାନ୍ୟତା ପାଇ ଆସୁଛି। ଜିଲ୍ଲା ମଙ୍ଗଳ ବିଭାଗ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ତତ୍ୱାବଧାନରେ ଏହା ପରିଚାଳିତ ହେଉଥିବା ବେଳେ ଏଠାରେ ଛାତ୍ରଛାତ୍ରୀମାନେ ରହି ପାଠ ପଢ଼ୁଛନ୍ତି। ଆବାସିକ ବିଦ୍ୟାଳୟ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ରହଣି, ଦୈନନ୍ଦିନ ଯତ୍ନ, ସୁରକ୍ଷା ଓ ଶୃଙ୍ଖଳା ପାଇଁ ମ୍ୟାଟ୍ରନଙ୍କ ଭୂମିକା ଅତ୍ୟନ୍ତ ଜରୁରୀ ବୋଲି ଅଭିଭାବକମାନେ କହିଛନ୍ତି। ତେବେ ନିକଟରେ ବିଦ୍ୟାଳୟର ମ୍ୟାଟ୍ରନ ପଦବୀ ପୂରଣକୁ ନେଇ ଏହି ବିବାଦ ଦେଖାଦେଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ପଦବୀ ପୂରଣ ପାଇଁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ କୌଣସି କାରଣରୁ ସେହି ନିଯୁକ୍ତି ପ୍ରକ୍ରିୟା ପରବର୍ତୀ ସମୟରେ ବନ୍ଦ ହୋଇଯାଇଥିଲା। ଏହା ପରେ ପୁନଃ ସରକାରୀ ଭାବେ ଯଥାଯଥ ପ୍ରଚାର ଓ ବିଜ୍ଞପ୍ତି ପ୍ରକାଶ କରାନଯାଇ ମନମୁଖୀ ଭାବେ ପଦବୀ ପୂରଣ କରାଯାଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି। ଆହୁରି ମଧ୍ୟ, ଜଣେ ବାହାର ଜିଲ୍ଲାର ବ୍ୟକ୍ତିଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଥିବା ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଏକ ଆଉଟସୋର୍ସିଂ ଏଜେନ୍ସି ମାଧ୍ୟମରେ ଏହି ପଦବୀ ପୂରଣ କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ସ୍ଥାନୀୟ ଅଂଚଳର ଯୋଗ୍ୟ ପ୍ରାର୍ଥୀମାନେ ଥିବା ସତ୍ୱେ ସେମାନଙ୍କୁ ସୁଯୋଗ ନଦେଇ ବାହାର ଅଂଚଳର ବ୍ୟକ୍ତିଙ୍କୁ କିପରି ନିଯୁକ୍ତି ମିଳିଲା, ତାହାକୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଗ୍ରାମବାସୀଙ୍କ ପକ୍ଷରୁ ମ୍ୟାଟ୍ରନ ନିଯୁକ୍ତି ସମ୍ପର୍କିତ ସମସ୍ତ ତଥ୍ୟ ସାର୍ବଜନୀନ କରିବା ସହ ନିଯୁକ୍ତି ପ୍ରକ୍ରିୟାର ସ୍ୱଚ୍ଛତା ଯାଂଚ କରିବାକୁ ଦାବି ହୋଇଛି। ଯଦି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇଥାଏ, ତେବେ ତାହାକୁ ବାତିଲ କରି ସରକାରୀ ନିୟମ ଅନୁଯାୟୀ ପୁନର୍ବାର ବିଜ୍ଞପ୍ତି ପ୍ରକାଶ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କୁ ସମାନ ସୁଯୋଗ ଦେଇ ନିରପେକ୍ଷ ଭାବେ ଚୟନ କରାଗଲେ ଅଂଚଳବାସୀଙ୍କ ଆସ୍ଥା ଫେରିବ ବୋଲି ମତ ପ୍ରକାଶ ପାଇଛି। ଗ୍ରାମବାସୀ ଉମାକାନ୍ତ ମଲିକ କହିଛନ୍ତି ଯେ, ଆଶ୍ରମ ବିଦ୍ୟାଳୟଟି ଦୀର୍ଘବର୍ଷ ଧରି ଅଂଚଳର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାର ମୁଖ୍ୟ ଆଶ୍ରୟ ହୋଇ ରହିଛି। ଏହାର ପରିଚାଳନା ଓ ନିଯୁକ୍ତି ପ୍ରକ୍ରିୟାରେ କୌଣସି ପ୍ରକାର ପକ୍ଷପାତ କିମ୍ବା ଅନିୟମିତତା ହେବା ଉଚିତ ନୁହେଁ। ସରକାରୀ ନିୟମ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ କରାଯାଇ ଯୋଗ୍ୟ ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ସେ ଦାବି କରିଛନ୍ତି। ଏହି ଦାବି ପୂରଣ ନହେଲେ ଆଗାମୀ ୭ ଦିନ ମଧ୍ୟରେ ଗ୍ରାମବାସୀ ଓ ଅଭିଭାବକମାନେ ଏକତ୍ରିତ ହୋଇ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ପ୍ରସ୍ତୁତ ଥିବା ଉମାକାନ୍ତ ମଲିକ ଚେତାବନୀ ଦେଇଛନ୍ତି। ଆବଶ୍ୟକ ହେଲେ ଧର୍ମଘଟ କରାଯିବ ଏବଂ ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ, ମ୍ୟାଟ୍ରନ ନିଯୁକ୍ତି ସମ୍ପର୍କରେ ସମ୍ପୃକ୍ତ ବିଭାଗ କିମ୍ବା ଆଉଟସୋର୍ସିଂ ଏଜେନ୍ସିର ଅଧିକୃତ ପକ୍ଷ ଏପର୍ଯ୍ୟନ୍ତ ସ୍ପଷ୍ଟ ପ୍ରତିକ୍ରିୟା ଦେଇନଥିବା ଜଣାପଡ଼ିଛି। ତେଣୁ ଗ୍ରାମବାସୀଙ୍କ ଅଭିଯୋଗର ସତ୍ୟତା ଯାଂଚ କରି ନିଯୁକ୍ତି ପ୍ରକ୍ରିୟାର ସମସ୍ତ ଦିଗ ତଦନ୍ତ କରିବା ସହ ଯଦି କୌଣସି ଅନିୟମିତତା ଥାଏ ତେବେ ନିୟମ ଅନୁଯାୟୀ ପଦକ୍ଷେପ ନେବାକୁ ଅଂଚଳବାସୀ ଦାବି କରିଛନ୍ତି। ଆଶ୍ରମ ବିଦ୍ୟାଳୟରେ ରହୁଥିବା ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ବିବାଦର ଶୀଘ୍ର ସମାଧାନ କରାଯିବା ଆବଶ୍ୟକ ବୋଲି ଅଭିଭାବକମାନେ ମତ ପ୍ରକାଶ କରିଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande