ସାଟେଲାଇଟ ହସ୍ପିଟାଲରେ ଅବ୍ୟବସ୍ଥା ଅଭିଯୋଗ : ତଦନ୍ତ ଦାବି କଲା ବିଜେଡି
Sattelite-hospita-irregularity
ସାଟେଲାଇଟ ହସ୍ପିଟାଲରେ ଅବ୍ୟବସ୍ଥା ଅଭିଯୋଗ: ତଦନ୍ତ ଦାବି କଲା


ଝାରସୁଗୁଡ଼ା, ୫ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ମଙ୍ଗଳବଜାରସ୍ଥିତ ସାଟେଲାଇଟ ହସ୍ପିଟାଲରେ ରୋଗୀଙ୍କ ପ୍ରତି ଅବହେଳା, ଦୁର୍ବ୍ୟବହାର ଏବଂ ଜରୁରୀକାଳୀନ ସେବାରେ ଅନିୟମିତତା ନେଇ ଅଭିଯୋଗ ଉଠିଛି। ଏହି ଘଟଣାକୁ ନେଇ ସୋମବାର ଝାରସୁଗୁଡ଼ା ଜିଲ୍ଲା ବିଜେଡି ପକ୍ଷରୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏନେଇ ଏକ ଦାବିପତ୍ର ପ୍ରଦାନ କରିଛି। ଦାବି ପତ୍ରରେ ଗତ କିଛି ସପ୍ତାହ ଧରି ହସ୍ପିଟାଲକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ କେତେକ ଡାକ୍ତର ଓ କର୍ମଚାରୀଙ୍କ ଅସଦାଚରଣ ଏବଂ ଦାୟିତ୍ୱହୀନତା ନେଇ ଅଭିଯୋଗ ହୋଇଛି।

ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଜରୁରୀକାଳୀନ ତଥା ଗୁରୁତର ରୋଗୀଙ୍କୁ ସମୟୋଚିତ ଚିକିତ୍ସା ନମିଳିବାରୁ ସେମାନଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଛି। ଏହା ଫଳରେ ଗୁରୁତର ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହୁଛି ବୋଲି ଦଳ ପକ୍ଷରୁ କୁହାଯାଇଛି। ଏଥିସହ ହସ୍ପିଟାଲର କେତେକ ଡାକ୍ତର ରାଜନୈତିକ ପ୍ରଭାବର ଆଶ୍ରୟ ନେଇ ମନମୁଖୀ ଭାବେ କାର୍ଯ୍ୟ କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ମଙ୍ଗଳବଜାର ସାଟେଲାଇଟ ହସ୍ପିଟାଲ ଉପରେ ଆଖପାଖର ଆବାସିକ ଓ ଶିଳ୍ପାଞ୍ଚଳର ହଜାର ହଜାର ଲୋକ ନିର୍ଭର କରୁଥିବାରୁ ଏଭଳି ଅବ୍ୟବସ୍ଥା ସରକାରୀ ସ୍ୱାସ୍ଥ୍ୟସେବା ପ୍ରତି ଲୋକଙ୍କ ଆସ୍ଥାକୁ ପ୍ରଭାବିତ କରୁଥିବା ଦଳ ପକ୍ଷରୁ ଦର୍ଶାଯାଇଛି।

ବିଜେଡି ପକ୍ଷରୁ ହସ୍ପିଟାଲର ଡାକ୍ତର ଓ କର୍ମଚାରୀଙ୍କ କାର୍ଯ୍ୟଶୈଳୀ ଏବଂ ରୋଗୀଙ୍କ ପ୍ରତି ବ୍ୟବହାରର ତୁରନ୍ତ ପ୍ରଶାସନିକ ତଦନ୍ତ କରାଯିବା ସହ ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ଦୋଷୀ କର୍ମଚାରୀଙ୍କ ବିରୋଧରେ ଦୃଢ଼ ଶୃଙ୍ଖଳାଗତ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଏଥିସହ ହସ୍ପିଟାଲରେ ୨୪ ଘଣ୍ଟିଆ ନିରୀକ୍ଷଣ ବ୍ୟବସ୍ଥା କରିବା ସହ ଜରୁରୀକାଳୀନ ସେବା ନିରବଚ୍ଛିନ୍ନ ଭାବେ ସୁନିଶ୍ଚିତ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମଧ୍ୟ ଦାବି ହୋଇଛି।

ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲାପାଳ ଉପସ୍ଥିତ ନଥିବାରୁ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇଙ୍କୁ ପ୍ରତିନିଧି ଦଳ ଦାବିପତ୍ର ପ୍ରଦାନ କରିଥିଲା। ଏହାର ଏକ ନକଲ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ମଧ୍ୟ ଅବଗତି ଓ ଆବଶ୍ୟକ ପ୍ରଶାସନିକ ପଦକ୍ଷେପ ପାଇଁ ପ୍ରଦାନ କରାଯାଇଛି। ଏହି ସମୟରେ ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରାଙ୍କ ସହ ପୌରାଧ୍ୟକ୍ଷା ରାନୀ ହାତୀ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପିଣ୍ଟୁ ପାଢ଼ୀ, ପବନ ସିଂ ଯାଦବ, ଆଲୋକ ତ୍ରିପାଠୀ, ଶଶିଭୂଷଣ ତିୱାରୀ, ତୁଳସୀ ଦାସ, ଅଶୋକ ଦାସ, ଥବିର ମିଶ୍ର, ନାଗେଶ୍ୱରୀ ବୋନେଲା ଓ ନିତାରାଣୀ ଶାହା ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande