
ଚେନ୍ନାଇ, ୫ ଅକ୍ଟୋବର (ହି.ସ.)- ତାମିଲନାଡ଼ୁର ମଦୁରାନ୍ତକମ୍ ଏବଂ ଧାରାପୁରମ୍ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅକ୍ଟୋବର ୬ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଉଭୟ ଆସନରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ନିର୍ବାଚନ ଆୟୋଗ ଏବଂ ସ୍ଥାନୀୟ ପ୍ରଶାସନ ଆବଶ୍ୟକ ପ୍ରସ୍ତୁତି ଶେଷ କରିଛନ୍ତି । ରବିବାର ସନ୍ଧ୍ୟା ୬ଟାରେ ଉପ-ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଥିଲା ।
ତାମିଲାଗା ଭେଟ୍ରି କାଜାଗମ (ଟିଡବ୍ଲ୍ୟୁଏକେ) ଦ୍ୱାରା ସମର୍ଥିତ କମ୍ୟୁନିଷ୍ଟ ଦଳଗୁଡ଼ିକ ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପୃଥକ୍ ପୃଥକ୍ ପ୍ରାର୍ଥୀ ଦେଇଛନ୍ତି । ଫଳସ୍ୱରୂପ ଉଭୟ ଆସନରେ ପଂଚମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବା ଭଳି ସ୍ଥିତି ରହିଛି । ମଦୁରାନ୍ତକମ୍ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ମୋଟ୍ ୨୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ମତଦାନ ପରେ, ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭୋଟ ଗଣନା ଏବଂ ଫଳାଫଳ ପ୍ରକ୍ରିୟା ଅନୁଷ୍ଠିତ ହେବ ।
ମଦୁରାନ୍ତକମ୍ ହେଉଛି ଚେଙ୍ଗଲପଟ୍ଟୁ ଜିଲ୍ଲାର ଏକ ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ଧାରାପୁରମ୍ ହେଉଛି ତିରୁପ୍ପୁର ଜିଲ୍ଲାର ଏକ ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ । ଦୁଇଟି ନିର୍ବାଚନ ମଣ୍ଡଳୀରେ ଉପ-ନିର୍ବାଚନକୁ ନେଇ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ ପ୍ରଚାରର ଶେଷ ପର୍ଯ୍ୟାୟରେ ଭୋଟରଙ୍କ ନିକଟରେ ପହଂଚିବା ପାଇଁ ସମସ୍ତ ପ୍ରୟାସ କରିଥିଲେ । ପ୍ରଚାର ଶେଷ ହେବା ପରେ ପ୍ରାର୍ଥୀ ଏବଂ ସେମାନଙ୍କ ସମର୍ଥକମାନେ ବର୍ତମାନ ମତଦାନ ଦିନ ପାଇଁ ପ୍ରସ୍ତୁତ ହେଉଛନ୍ତି ।
ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ତାମିଲନାଡ଼ୁ ସରକାର ମଦୁରାନ୍ତକମ୍ ଏବଂ ଧାରାପୁରମ୍ ବିଧାନସଭା ନିର୍ବାଚନମଣ୍ଡଳୀରେ ଅକ୍ଟୋବର ୬ ତାରିଖକୁ ସାଧାରଣ ଛୁଟି ଘୋଷଣା କରିଛନ୍ତି । ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଂଚଳରେ ସମସ୍ତ ସରକାରୀ କାର୍ଯ୍ୟାଳୟ, ସରକାରୀ ଶିଳ୍ପ ପ୍ରତିଷ୍ଠାନ, ସରକାରୀ ନିୟନ୍ତ୍ରିତ ଅନୁଷ୍ଠାନ ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ