
ଭଦ୍ରକ, ୫ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମନଗରରେ ଚୋରା ମୋବାଇ ପାର୍ଟସ୍ ର ବଡ଼ କାରବାର ଠାବ କରିଛି ପୁଲିସ। ଜୟନଗର ଗ୍ରାମରେ ଚଢ଼ାଉ କରି ୫୦୦ ମୋବାଇଲ୍ କଭର, ୨ ହଜାର ବ୍ୟାଟେରୀ, ୫୦୦ ଡିସପ୍ଲେ କମ୍ବୋ, ୫୦୦ କ୍ୟାମେରା ଓ ୬୦୦ ମଦର ବୋର୍ଡ ସମେତ ପ୍ରାୟ ୨ ଲକ୍ଷ ଟଙ୍କାର ସାମଗ୍ରୀ ଜବତ କରିଛି। ଘଟଣାରେ ପଶ୍ଚିମବଙ୍ଗର ୨ ଜଣଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ଗୁପ୍ତ ସୂଚନା ଆଧାରରେ ଏସଆଇ ନାରାୟଣ ନାୟକଙ୍କ ନେତୃତ୍ୱରେ ପୁଲିସ ଜୟନଗର ସ୍ଥିତ ସାହା ସଦାମ ଙ୍କ ଘରେ ଚଢ଼ାଉ କରିଥିଲା। ସେଠାରୁ ସାହା ସଦାମ (୩୫), ପୂର୍ବ ମେଦିନୀପୁର ର ଉନୁସ ସାହା (୩୮) ଓ ରହିମ୍ ସାହା (୩୨)ଙ୍କୁ ଗିରଫ କରାଯାଇଥିଲା। ଜବତ ମୋବାଇଲ ପାର୍ଟସ ର କୌଣସି ବୈଧ କାଗଜପତ୍ର ଅଭିଯୁକ୍ତମାନେ ଦେଖାଇ ପାରିନଥିବା ପୁଲିସ କହିଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଏହି ସାମଗ୍ରୀ ଚୋରି କରି ସଂଗ୍ରହ କରାଯାଇଥିବା ନେଇ ସେମାନେ ସ୍ୱୀକାର କରିଥିବା ପୁଲିସ ର ଦାବି। ଉଲ୍ଲେଖନୀୟ ଯେ, ଘଟଣାରେ କୌଣସି ବାହ୍ୟ ଅଭିଯୋଗକୁ ଅପେକ୍ଷା ନକରି ଏସଆଇ ନାରାୟଣ ନାୟକ ନିଜେ ଅଭିଯୋଗକାରୀ ହୋଇ ମାମଲା ରୁଜୁ କରିଛନ୍ତି। ଧାମନଗର ଥାନା କେସ୍ ନଂ-୪୩୭/୨୦୨୬ରେ ବିଏନ୍ଏସ୍ର ଧାରା ୩୦୩(୨), ୩୧୭(୨) ଓ ୩(୫)ରେ ମାମଲା ହୋଇଛି। ଆଇଆଇସି ସୁଭ୍ରଜିତ ଦାସଙ୍କ ନିର୍ଦ୍ଦେଶରେ ଏସଆଇ ପିଏସ ଦାସ ତଦନ୍ତ ଜାରି ରଖିଛନ୍ତି। ଚୋରା ପାର୍ଟସ୍ର ଉତ୍ସ ଓ ଏହା ପଛରେ ଥିବା ନେଟୱର୍କର ଖୋଳତାଡ଼ ଚାଲିଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ