୮ ଅକ୍ଟୋବର ଓଡ଼ିଶା ବନ୍ଦକୁ ସଫଳ କରିବାକୁ ଇଣ୍ଡିଆ ବ୍ଲକର ଆହ୍ୱାନ
କେନ୍ଦ୍ରାପଡ଼ା, ୫ ଅକ୍ଟୋବର (ହି.ସ.)। ଗଣତନ୍ତ୍ରର ସୁରକ୍ଷା, ମତଦାତାଙ୍କ ଭୋଟ ଅଧିକାର, ଓଡ଼ିଶାର ଖଣିଜ ସମ୍ପଦ ଓ ରାଜସ୍ୱ ଅଧିକାର, ଶିକ୍ଷା ବ୍ୟବସ୍ଥାର ସୁଧାର ଏବଂ ବନ୍ୟାପ୍ରଭାବିତ ଲୋକଙ୍କ ଦାବିକୁ ନେଇ ଆସନ୍ତା ୮ ଅକ୍ଟୋବର ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ଇଣ୍ଡିଆ ବ୍ଲକ୍ ପକ୍ଷରୁ ଆହ୍ୱାନ ଦିଆଯାଇ
ଚାରି ଦଫା ଦାବିରେ ଇଣ୍ଡିଆ ବ୍ଲକର ଆହ୍ୱାନ ୮ ଅକ୍ଟୋବର ଓଡ଼ିଶା ବନ୍ଦ


କେନ୍ଦ୍ରାପଡ଼ା, ୫ ଅକ୍ଟୋବର (ହି.ସ.)। ଗଣତନ୍ତ୍ରର ସୁରକ୍ଷା, ମତଦାତାଙ୍କ ଭୋଟ ଅଧିକାର, ଓଡ଼ିଶାର ଖଣିଜ ସମ୍ପଦ ଓ ରାଜସ୍ୱ ଅଧିକାର, ଶିକ୍ଷା ବ୍ୟବସ୍ଥାର ସୁଧାର ଏବଂ ବନ୍ୟାପ୍ରଭାବିତ ଲୋକଙ୍କ ଦାବିକୁ ନେଇ ଆସନ୍ତା ୮ ଅକ୍ଟୋବର ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ଇଣ୍ଡିଆ ବ୍ଲକ୍ ପକ୍ଷରୁ ଆହ୍ୱାନ ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାକୁ ବନ୍ଦ ରଖିବା ପାଇଁ ମଧ୍ୟ ମିଳିତ ଆହ୍ୱାନ ଦିଆଯାଇଛି।

କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ଭବନରେ ଜିଲ୍ଲା କଂଗ୍ରେସ ସଭାପତି ଡ. ଦେବସ୍ମିତା ଶର୍ମାଙ୍କ ଅଧ୍ୟକ୍ଷତାରେ ଇଣ୍ଡିଆ ବ୍ଲକର ଏକ ବୈଠକରେ ବନ୍ଦର ସଫଳତା ନେଇ ଆଲୋଚନା ହୋଇଥିଲା।

ଚାରି ଦଫା ଦାବି

ଇଣ୍ଡିଆ ବ୍ଲକ୍ ପକ୍ଷରୁ ଉପସ୍ଥାପିତ ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା, ‘ଖଣି ଓ ଖଣିଜ (ବିକାଶ ଓ ନିୟମାବଳୀ) ସଂଶୋଧନ ଆଇନ, ୨୦୨୬’ ରଦ୍ଦ କରିବା, ପାଠ୍ୟପୁସ୍ତକ ଯୋଗାଣରେ ଅବ୍ୟବସ୍ଥା ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟାକ୍ଷତିଗ୍ରସ୍ତଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ ଅନ୍ତର୍ଭୁକ୍ତ।

ଏଥିସହ ଓଡ଼ିଶାର ଖଣିଜ ସମ୍ପଦ ଓ ରାଜସ୍ୱ ଉପରେ ରାଜ୍ୟର ଅଧିକାର, ଆଦିବାସୀ ଓ ଖଣି ଶ୍ରମିକଙ୍କ ସ୍ୱାର୍ଥ, ଛାତ୍ରଛାତ୍ରୀଙ୍କ ଶିକ୍ଷା ଅଧିକାର ଏବଂ ବନ୍ୟାପ୍ରଭାବିତଙ୍କ ଜୀବିକାର ସୁରକ୍ଷା ଦାବି ଉଠାଯାଇଛି।

କେନ୍ଦ୍ରାପଡ଼ା ପାଇଁ ସ୍ଥାନୀୟ ଦାବି

ଜିଲ୍ଲାରେ ତୁରନ୍ତ ମେଡିକାଲ କଲେଜ ପ୍ରତିଷ୍ଠା, ଘୋଷିତ ସରକାରୀ ବିଶ୍ୱବିଦ୍ୟାଳୟର କାର୍ଯ୍ୟ ଆରମ୍ଭ ଏବଂ ମରଣଯନ୍ତା ପାଲଟିଥିବା ରାସ୍ତାଗୁଡ଼ିକର ତୁରନ୍ତ ମରାମତି ଭଳି ସ୍ଥାନୀୟ ଦାବିଗୁଡ଼ିକୁ ମଧ୍ୟ ଆନ୍ଦୋଳନରେ ସାମିଲ କରାଯାଇଛି।

ବନ୍ଦକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଓ ସଫଳ କରିବା ପାଇଁ ଛାତ୍ର, ଯୁବ, ମହିଳା, କୃଷକ, ଶ୍ରମିକ, ବ୍ୟବସାୟୀ, ପରିବହନ କ୍ଷେତ୍ର, ଆଇନଜୀବୀ, ବୁଦ୍ଧିଜୀବୀ ଓ ଗଣତନ୍ତ୍ରପ୍ରେମୀ ଜନସାଧାରଣଙ୍କୁ ଇଣ୍ଡିଆ ବ୍ଲକ୍ ନେତାମାନେ ଆହ୍ୱାନ କରିଛନ୍ତି। ଅତ୍ୟାବଶ୍ୟକ ସେବାଗୁଡ଼ିକୁ ବନ୍ଦରୁ ବାଦ୍ ଦିଆଯିବ ବୋଲି କୁହାଯାଇଛି।

ବୈଠକରେ ସିପିଆଇ(ଏମ୍) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ସିପିଆଇ ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ରମଣୀ ରଞ୍ଜନ ରାଉତରାୟ, ସିପିଆଇ(ଏମ୍ଏଲ୍)-ଲିବରେସନ୍ ଜିଲ୍ଲା ସମ୍ପାଦକ ବିଧାନ ଚନ୍ଦ୍ର ଦାସ, ସମାଜବାଦୀ ପାର୍ଟି ଜିଲ୍ଲା ସଭାପତି ଅମରେଶ ପାତ୍ରଙ୍କ ସମେତ ବିଭିନ୍ନ ଦଳର ନେତାମାନେ ଯୋଗଦେଇଥିଲେ।

ବୈଠକ ଶେଷରେ ୮ ଅକ୍ଟୋବର ବନ୍ଦକୁ କେନ୍ଦ୍ରାପଡ଼ାରେ ସଫଳ କରିବା ପାଇଁ ଦଳ, ମତ ଓ ବର୍ଗ ନିର୍ବିଶେଷରେ ସମସ୍ତଙ୍କ ସହଯୋଗ ଲୋଡ଼ାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande