
କେନ୍ଦ୍ରାପଡ଼ା, ୫ ଅକ୍ଟୋବର (ହି.ସ.)। ଆସନ୍ତା ଗଜଲକ୍ଷ୍ମୀ ପୂଜା-୨୦୨୬କୁ ଶୃଙ୍ଖଳିତ, ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ ପାଇଁ ସୋମବାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂଜା ସମୟରେ ଆଇନଶୃଙ୍ଖଳା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି।
ଚଳିତ ବର୍ଷ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଶତବର୍ଷ ପୂରଣ କରୁଥିବାରୁ ଶତାବ୍ଦୀ ପାଳନକୁ ଆକର୍ଷଣୀୟ ଓ ସ୍ମରଣୀୟ କରିବା ପାଇଁ ବିଶେଷ ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା।
ଶତାବ୍ଦୀ ପାଳନ ପାଇଁ ବିଶେଷ ପ୍ରସ୍ତୁତି
ବୈଠକରେ ଜିଲ୍ଲାର ପ୍ରବେଶ ପଥରେ ଆକର୍ଷଣୀୟ ଶତାବ୍ଦୀ ତୋରଣ ସ୍ଥାପନ ସହ ପ୍ରତ୍ୟେକ ମେଢରେ ଶତାବ୍ଦୀ ସ୍ମାରକ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏଥିସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର ନିଶ୍ଚିତ କରିବା ଉପରେ ମଧ୍ୟ ଜୋର ଦିଆଯାଇଥିଲା।
ବିଧାୟକ ଗଣେଶ୍ୱର ବେହେରା ବୈଠକରେ ଯୋଗଦେଇ ଶତାବ୍ଦୀ ପାଳନକୁ ଆକର୍ଷଣୀୟ ଓ ସୁନ୍ଦର କରିବା ପାଇଁ ପୂଜା କମିଟିଗୁଡ଼ିକୁ ଆହ୍ୱାନ ଦେଇଥିଲେ।
ସମ୍ବେଦନଶୀଳ ସ୍ଥାନରେ ସିସିଟିଭି
ପୂଜା ସମୟରେ ଭିଡ଼ ନିୟନ୍ତ୍ରଣ, ଯାତାୟାତ ବ୍ୟବସ୍ଥା, ପାର୍କିଂ, ଅଗ୍ନି ନିରାପତ୍ତା, ସ୍ୱାସ୍ଥ୍ୟସେବା, ପରିମଳ, ଆଲୋକ ଓ ପାନୀୟ ଜଳ ଯୋଗାଣ ଭଳି ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଇବା ସହ ଜରୁରୀକାଳୀନ ସେବା ପାଇଁ ରାସ୍ତାଗୁଡ଼ିକୁ ଖାଲି ରଖିବାକୁ ଗୁରୁତ୍ୱ ଦିଆଯାଇଛି।
ଏଥିସହ ବେଆଇନ ଚାନ୍ଦା ଆଦାୟ ରୋକିବା, ନିଶା କାରବାର ନିୟନ୍ତ୍ରଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ସୁପରିଚାଳନା ନେଇ ମଧ୍ୟ ଆଲୋଚନା ହୋଇଥିଲା।
ଶୃଙ୍ଖଳିତ ମେଲଣ ପାଇଁ ପୁରସ୍କାର
ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ସମୟାନୁବର୍ତ୍ତିତାର ସହ ମେଲଣରେ ଅଂଶଗ୍ରହଣ କରୁଥିବା ପୂଜା କମିଟି ଓ ମେଢଗୁଡ଼ିକୁ ପୁରସ୍କୃତ କରିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି।
ବିଧାୟକ ବେହେରା ପୂଜା ସମୟରେ ରାତି ୧୨ଟା ପର୍ଯ୍ୟନ୍ତ ଡାକବାଜି ଯନ୍ତ୍ର ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଅନୁମତି ଦେବାକୁ ପ୍ରଶାସନକୁ ଅନୁରୋଧ କରିଥିଲେ।
ବୈଠକରେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ପୌରପାଳିକା ଅଧ୍ୟକ୍ଷା ସରିତା ସାହୁ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ, ସାଂସଦଙ୍କ ପ୍ରତିନିଧି କିଶୋର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସମେତ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି