
ନୂତନ ନିବେଶ ଓ ଶିଳ୍ପ ପ୍ରତିଷ୍ଠା ସୁଗମପାଇଁ ଅନୁକୂଳ ପରିବେଶ ସୃଷ୍ଟି ନେଇ ଆଲୋଚନା
ଭୁବନେଶ୍ୱର, ୦୫ ଅକ୍ଟୋବର (ହି.ସ.)- ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସିବି) ର ଅଧ୍ୟକ୍ଷା ଶ୍ରୀମତୀ ଅନୁ ଗର୍ଗ ସୋମବାର (ଓଏସପିସିବି) ପରିଦର୍ଶନ କରି ବୋର୍ଡର ବିଭିନ୍ନ କାର୍ଯ୍ୟକଳାପ, ନିୟାମକ ବ୍ୟବସ୍ଥା, ପରିବେଶ ନିରୀକ୍ଷଣ, ବର୍ଜ୍ୟ ପରିଚାଳନା, ମାନବ ସମ୍ବଳ, ବର୍ତମାନର ଆହ୍ୱାନ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ ।ମୁଖ୍ୟ ଶାସନ ସଚିବ, ନୂତନ ନିବେଶ ଓ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ଲକ୍ଷ୍ୟରେପରିବେଶ ସୁରକ୍ଷା ସହ ଶିଳ୍ପ ବିକାଶର ସମନ୍ୱୟ ଉପରେ ଗୁରୁତ୍ୱଦେଇଥିଲେ ।
ଓଡ଼ିଶାରେ ଇସ୍ପାତ, ଆଲୁମିନିୟମ୍, ବିଦ୍ୟୁତ୍, ଖଣିଜ, ପେଟ୍ରୋକେମିକାଲ୍ ଓ ଅନ୍ୟାନ୍ୟ ଶିଳ୍ପ କ୍ଷେତ୍ରରେ ଦ୍ରୁତ ବିକାଶ ଘଟୁଥିବା ବେଳେ ପରିବେଶ ସୁରକ୍ଷା ସହ ଶିଳ୍ପ ବିକାଶର ସମନ୍ୱୟ ରକ୍ଷା କରିବା ଉପରେମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଗୁରୁତ୍ୱ ଦେଇଥିଲେ । ଶିଳ୍ପକୁ କେବଳ ଅନୁମତି ପ୍ରଦାନ ଓ ନିୟମ ପାଳନର ଯାଂଚରେ ସୀମିତ ନ ରଖି ତଥ୍ୟଭିତିକ, ପ୍ରଯୁକ୍ତିନିର୍ଭର ଓ ସ୍ୱଚ୍ଛ ପରିବେଶ ପରିଚାଳନା ବ୍ୟବସ୍ଥା ଗଠନ ଦିଗରେ ବୋର୍ଡର ଭୂମିକା ଓ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇଥିଲା। ବୋର୍ଡର ଆଗାମୀ କାର୍ଯ୍ୟପନ୍ଥାରେ ନୀତିଗତ ସଂସ୍କାର, ପ୍ରତିଷ୍ଠାନଗତ କ୍ଷମତା ବୃଦ୍ଧି, ଆଧୁନିକ ପ୍ରଯୁକ୍ତିର ବ୍ୟବହାର, ପରୀକ୍ଷାଗାର ଓ ଗବେଷଣା ଭିତିଭୂମିର ସୁଦୃଢ଼ୀକରଣ, ବର୍ଜ୍ୟର ପୁନଃବ୍ୟବହାର, ଜନସଚେତନତା ଓ ମାନବ ସମ୍ବଳ ବିକାଶକ ଆଦିକୁ ପ୍ରାଥମିକତା ଭିତିରେ ନେବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।ଓଏସପିସିବିର କାର୍ଯ୍ୟକୁ ଅଧିକ ପାରଦର୍ଶୀ କରିବା ନେଇ ମୁଖ୍ୟ ସଚିବ ବୋର୍ଡ ସଦସ୍ୟ ସଦସ୍ୟାମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅବସରରେ ବୋର୍ଡ ପକ୍ଷରୁ ବର୍ତମାନର ନିୟାମକ ବ୍ୟବସ୍ଥା ଓ ଭବିଷ୍ୟତ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରୋଡମ୍ୟାପକୁ ଆଧାର କରି ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା।
ନୂତନ ନିବେଶ ଓ ଶିଳ୍ପ ପ୍ରତିଷ୍ଠାକୁ ସୁଗମ କରିବା ଲକ୍ଷ୍ୟରେ ଅନୁକୂଳ ପରିବେଶ ସୃଷ୍ଟି (ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍) କରିବା ଦିଗରେ ପରିବେଶ ସମ୍ବନ୍ଧୀୟ ଅନୁମୋଦନ ଓ ଅନୁପାଳନ ପ୍ରକ୍ରିୟାକୁ ଅଧିକସରଳ, ସ୍ୱଚ୍ଛ, ପୂର୍ବାନୁମାନଯୋଗ୍ୟ, ସମୟବଦ୍ଧ ଓ ପ୍ରଯୁକ୍ତିଭିତିକକରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ। ଏହା ଶିଳ୍ପଗୁଡ଼ିକୁ ଆବଶ୍ୟକ ପରିବେଶ ସୁରକ୍ଷା ମାନଦଣ୍ଡ ବଜାୟ ରଖିବା ସହିତ ରାଜ୍ୟରେ ନୂତନ ନିବେଶ ଓ ଶିଳ୍ପ ପ୍ରତିଷ୍ଠା ପାଇଁ ଅଧିକ ଅନୁକୂଳ ପରିବେଶ ସୃଷ୍ଟି କରିବ।
ଏହି ପରିପ୍ରେକ୍ଷୀରେ ସେ ୱେଷ୍ଟ ଟୁ ୱେଲଥ ବା ୱେଷ୍ଟ ଟୁ ଇକୋନୋମିକୁ ଆଗେଇ ନେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଗୋଟିଏ କ୍ଷେତ୍ରରେ ବର୍ଜ୍ୟ ଭାବେ ପରିତ୍ୟକ୍ତ ହେଉଥିବା ସାମଗ୍ରୀକୁ ଅନ୍ୟ କ୍ଷେତ୍ରରେକଞ୍ଚାମାଲ କିମ୍ବା ଉପଯୋଗୀ ସମ୍ପଦଭାବେ ବ୍ୟବହାର କରିବା ପାଇଁ ନୂତନ ପ୍ରଯୁକ୍ତି, ଉଦ୍ୟୋଗ ଓ ବ୍ୟବସାୟିକ ମଡେଲକୁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ। ଏହା ଦ୍ୱାରାବର୍ଜ୍ୟ ହ୍ରାସ ସହିତ ନୂତନ ଉଦ୍ୟୋଗ, ରୋଜଗାର ଓ ଆୟର ସୁଯୋଗସୃଷ୍ଟି ହୋଇପାରିବ ବୋଲି ସେ ଆଲୋକପାତ କରିଥିଲେ ।
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡଃ. ମନୋଜ ଭି. ନାୟାର ଯୋଗଦେଇ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କାର୍ଯ୍ୟକଳାପ ଓ ଆଗାମୀ ଯୋଜନା ସଂପର୍କରେ ଉପସ୍ଥାପନ କରିଥିଲେ । ପ୍ରଦୂଷଣ ନିୟନ୍ତ୍ରଣ ଓ ପରିବେଶ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ଦକ୍ଷ ଓ ସ୍ୱଚ୍ଛ କରିବା ପାଇଁ ଅନ୍?ଲାଇନ୍ ନିରୀକ୍ଷଣ, ସ୍ୱୟଂଚାଳିତ ତଥ୍ୟ ସଂଗ୍ରହ, ଶିଳ୍ପଗୁଡ଼ିକର ନିୟମ ପାଳନର ଡିଜିଟାଲ୍ ନିରୀକ୍ଷଣ ଓ ତଥ୍ୟଭିତ୍ତିକ ନିଷ୍ପତ୍ତି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।
ବୋର୍ଡର କେନ୍ଦ୍ରୀୟ ପରୀକ୍ଷାଗାର, ଉପକୂଳ ପରିବେଶ ନିରୀକ୍ଷଣ କେନ୍ଦ୍ର ଏବଂ ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକର ପରୀକ୍ଷାଗାରକୁ ଆଧୁନିକୀକରଣ କରିବା ସହ ଗବେଷଣା କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଛି। ଜାତୀୟ ଓ ପ୍ରତିଷ୍ଠିତ ଗବେଷଣା ଅନୁଷ୍ଠାନ, ବୈଷୟିକ ଶିକ୍ଷାନୁଷ୍ଠାନ ଓ ବିଶେଷଜ୍ଞ ସଂସ୍ଥାଗୁଡ଼ିକ ସହ ଗବେଷଣା ଓ ବୈଷୟିକ ସହଯୋଗ ବୃଦ୍ଧି କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଫ୍ଲାଏ ଆଶ୍, ସ୍ଲାଗ୍, ରେଡ୍ ମଡ୍ ଓ ଫସ୍ଫୋଜିପସମ୍ ଭଳି ଶିଳ୍ପ ଉପ-ଉତ୍ପାଦର ପୁନଃବ୍ୟବହାର ଓ ପୁନଃଚକ୍ରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବର୍ଜ୍ୟ ପରିଚାଳନାକୁ କେବଳ ନିଷ୍କାସନରେ ସୀମିତ ନରଖି ସର୍କୁଲାର ଅର୍ଥନୀତି ଦିଗରେ ଆଗେଇ ନେବା, ଶିଳ୍ପ ଉପ-ଉତ୍ପାଦକୁ ନିର୍ମାଣ, ରାଜପଥ ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣରେ ଉପଯୋଗ ବୃଦ୍ଧି କରିବା ନେଇ ଯୋଜନା ପ୍ରସ୍ତୁତ କରାଯିବାକୁ ଆଲୋଚନା ହୋଇଥିଲା ।
ବିଶ୍ୱ ପରିବେଶ ଦିବସ, ବିଶ୍ୱ ଓଜୋନ୍ ଦିବସ, ଆନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଓ ନୀଳ ଆକାଶ ଦିବସ, ପରିବେଶ ସଚେତନତା ସପ୍ତାହ, ଆନ୍ତର୍ଜାତୀୟ ଉପକୂଳ ସଫେଇ ଦିବସ ଓ ଜାତୀୟ ପ୍ରଦୂଷଣ ନିରୋଧ ଦିବସ ଆଦି ଅବସରରେ ଜନସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସ୍କୁଲ୍, କଲେଜ୍ ଓ ସାଧାରଣ ଲୋକଙ୍କ ମଧ୍ୟରେ ପରିବେଶ ସଚେତନତା ବୃଦ୍ଧି ସହ ତୁରନ୍ତ ବାୟୁ ଗୁଣବତ୍ତା ଓ ଜଳ ଗୁଣବତା ସମ୍ପର୍କିତ ସୂଚନା ଉପଲବ୍ଧ କରାଇବା ଏବଂ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ପରିବେଶ ସୁରକ୍ଷା ବାର୍ତାକୁ ବ୍ୟାପକ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଶିଳ୍ପ ଓ ବ୍ୟବସାୟ ପାଇଁ ଅନୁମତି ପ୍ରଦାନ ପ୍ରକ୍ରିୟାକୁ ସରଳ, ସ୍ୱଚ୍ଛ ଓ ସମୟବଦ୍ଧ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ ଅନୁମୋଦନ ବ୍ୟବସ୍ଥାକୁ ସିଙ୍ଗିଲ୍ ୱିଣ୍ଡୋ ଅନ୍ଲାଇନ୍ ବ୍ୟବସ୍ଥା ସହ ସମନ୍ୱିତ କରିବା, ଅନଲାଇନ୍ ପ୍ରମାଣପତ୍ର ଯାଂଚ ଓ କାଗଜବିହୀନ କାର୍ଯ୍ୟପ୍ରଣାଳୀ ଭଳି ପଦକ୍ଷେପ ନିଆଯାଇଛି। ବୋର୍ଡର ବୈଷୟିକ ଓ ପ୍ରଶାସନିକ ମାନବ ସମ୍ବଳର ଉପଲବ୍ଧତା, ଖାଲି ପଦ ପୂରଣ, ପଦୋନ୍ନତି ଏବଂ ଆଗାମୀ ଦିନର ଆବଶ୍ୟକତା ଅନୁଯାୟୀ ମାନବ ସମ୍ବଳ ଯୋଜନା ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା।ବୋର୍ଡର ବିଭିନ୍ନ ଶାଖା, ଆଂଚଳିକ କାର୍ଯ୍ୟାଳୟ, ପରୀକ୍ଷାଗାର, ଆଇନ ଶାଖା ଓ ସୂଚନା ପ୍ରଯୁକ୍ତି ଶାଖାକୁ ଆହୁରି ସୁଦୃଢ଼ କରିବା ଦିଗରେ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ଅବସରରେ ପରିବେଶ ସୁରକ୍ଷା, ଦାୟିତ୍ୱସମ୍ପର୍ଣ୍ଣ ଶିଳ୍ପାୟନ ଓ ସ୍ଥାୟୀ ବିକାଶ ମଧ୍ୟରେ ସୁସମନ୍ୱୟ ସ୍ଥାପନ କରି ଓଡ଼ିଶାକୁ ଏକ ସ୍ୱଚ୍ଛ, ସବୁଜ ଓ ସ୍ଥାୟୀ ରାଜ୍ୟ ଭାବେ ଆଗେଇ ନେବା ଦିଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଭୂମିକାକୁ ଆହୁରି ସୁଦୃଢ଼ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି।ବୈଠକରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନ୍ୟ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା