ଶହୀଦ ବାଜି ରାଉତଙ୍କ ଜୟନ୍ତୀ ପାଳିତ , ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି
ବାଜି ରାଉତଙ୍କ ଜୀବନୀ ଆଜିର ଯୁବପିଢି ଓ ଛାତ୍ରଛାତ୍ରୀଙ୍କ ପାଇଁ ସବୁଠାରୁ ବଡ ପ୍ରେରଣା:ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ୦୫ ଅକ୍ଟୋବର (ହି.ସ.) -ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୋମବାର ଶହୀଦ ବାଜି ରାଉତଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବିଧାନସଭା ପାଶ୍ୱର୍ସ୍ଥିତ ଶହୀଦ ବାଜି ରାଉତଙ
jgv


ବାଜି ରାଉତଙ୍କ ଜୀବନୀ ଆଜିର ଯୁବପିଢି ଓ ଛାତ୍ରଛାତ୍ରୀଙ୍କ ପାଇଁ ସବୁଠାରୁ ବଡ ପ୍ରେରଣା:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୦୫ ଅକ୍ଟୋବର (ହି.ସ.) -ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୋମବାର ଶହୀଦ ବାଜି ରାଉତଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବିଧାନସଭା ପାଶ୍ୱର୍ସ୍ଥିତ ଶହୀଦ ବାଜି ରାଉତଙ୍କ ପ୍ରତିମୂର୍ତିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ଅନ୍ୟ ବିଶିଷ୍ଟ ଅତିଥିମାନେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଲେ ଯେ ଦେଶର ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇ ଆତ୍ମବଳୀ ଦେଇଥିବା ଦେଶପ୍ରେମୀମାନଙ୍କ ମଧ୍ୟରେ ସର୍ବ କନିଷ୍ଠ ବାର ବର୍ଷର ବାଳକ ବାଜି ରାଉତ ଅତ୍ୟାଚାରୀ ରାଜା ଓ ବ୍ରିଟିଶ୍ ଶାସକ କବଳରୁ ନିଷ୍ପେଷିତ ଜନତା ଓ ମାଟି ମା’ର ସୁରକ୍ଷା ପାଇଁ ବ୍ରିଟିଶ୍ ସୈନ୍ୟଙ୍କୁ ସାହସିକତାର ସହ ସାମ୍ନା କରି ପ୍ରାଣବଳୀ ଦେଇଥିଲେ । ବାଜି ରାଉତଙ୍କ ଆତ୍ମବଳୀଦାନ ସମଗ୍ର ଦେଶକୁ ମାତୃଭୂମିର ସେବା ଓ ସ୍ୱାଧୀନତା ପାଇଁ ସଂଗ୍ରାମ କରିବାକୁ ପ୍ରେରଣା ଦେଇଥିଲା ।

ମୁଖ୍ୟମନ୍ତ୍ରୀ କହିଲେ ଯେ ନିର୍ଭୀକତା, ଦେଶପ୍ରେମ ଓ ସାହସିକତାପୂର୍ଣ୍ଣ ଶହୀଦ ବାଜି ରାଉତଙ୍କ ଜୀବନୀ ହେଉଛି ଆଜିର ଯୁବପିଢି ଓ ଛାତ୍ରଛାତ୍ରୀଙ୍କ ପାଇଁ ସବୁଠାରୁ ବଡ ପ୍ରେରଣା । ଓଡିଶା ସରକାର ରାଜ୍ୟର ବରପୁତ୍ର ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବାର ନୂଆ ଧାରା ଆରମ୍ଭ କରିଛନ୍ତି । ଗତବର୍ଷ ଶହୀଦ ବାଜି ରାଉତଙ୍କ ନୀଳକଣ୍ଠପୁର ଗ୍ରାମରେ ତାଙ୍କର ଜନ୍ମ ଦିବସକୁ ରାଜ୍ୟସ୍ତରୀୟ ଉତ୍ସବ ଭାବେ ପାଳନ କରାଯାଇଥିଲା । ଶହୀଦଙ୍କ ଗ୍ରାମକୁ ଆଦର୍ଶ ଗ୍ରାମ ରୂପେ ଘୋଷଣା କରାଯାଇଛି ଏବଂ ବାଜି ରାଉତଙ୍କ ସ୍ମୃତିରେ ଢେଙ୍କାନାଳଠାରେ ୧୨୦ କୋଟି ଟଙ୍କା ବ୍ୟୟରେ ବାଜି ରାଉତ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ନିର୍ମାଣ କରାଯାଉଛି ।

ଓଡ଼ିଶାର ବରପୁତ୍ର ଓ ଶହୀଦମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ । ମହାନ ଦେଶଭକ୍ତ ମାନଙ୍କ ସ୍ମୃତିଚାରଣ କରି ସେମାନଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସଞ୍ଜୟ କୁମାର ବିଶ୍ୱାଳ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ରହି ଶହୀଦ ବାଜି ରାଉତଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande