ବିଭିନ୍ନ ଦାବି ନେଇ ବିଦ୍ୟୁତ୍ କର୍ମଚାରୀଙ୍କ ପାଇଁ ଆନ୍ଦୋଳନ
ଜୟପୁର, ୦୫ ଅକ୍ଟୋବର (ହି.ସ.)- ନିଯୁକ୍ତି ସୁରକ୍ଷା, ନିୟମିତ ଦରମା ଓ କାର୍ଯ୍ୟସ୍ଥଳରେ ଜୀବନରକ୍ଷାକାରୀ ସୁରକ୍ଷା ସାମଗ୍ରୀ ଯୋଗାଣ ଦାବିରେ ଜୟପୁରରେ ବିଦ୍ୟୁତ୍ କର୍ମଚାରୀଙ୍କ ଆନ୍ଦୋଳନ ତୀବ୍ର ହୋଇଛି। ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ପକ୍ଷରୁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍
ବିଭିନ୍ନ ଦାବି ନେଇ ବିଦ୍ୟୁତ୍ କର୍ମଚାରୀଙ୍କ ପାଇଁ ଆନ୍ଦୋଳନ


ଜୟପୁର, ୦୫ ଅକ୍ଟୋବର (ହି.ସ.)- ନିଯୁକ୍ତି ସୁରକ୍ଷା, ନିୟମିତ ଦରମା ଓ କାର୍ଯ୍ୟସ୍ଥଳରେ ଜୀବନରକ୍ଷାକାରୀ ସୁରକ୍ଷା ସାମଗ୍ରୀ ଯୋଗାଣ ଦାବିରେ ଜୟପୁରରେ ବିଦ୍ୟୁତ୍ କର୍ମଚାରୀଙ୍କ ଆନ୍ଦୋଳନ ତୀବ୍ର ହୋଇଛି। ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ପକ୍ଷରୁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଜୟପୁର ସର୍କଲ ଅଧୀକ୍ଷଣ ଯନ୍ତ୍ରୀଙ୍କ ପାୱାର ହାଉସ ଛକ ସ୍ଥିତ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଥିଲା। ଏଥିରେ ବହୁ ସଂଖ୍ୟକ ବିଦ୍ୟୁତ୍ କର୍ମଚାରୀ ସାମିଲ ହୋଇ ବିଭିନ୍ନ ଦାବି ନେଇ ସ୍ୱର ଉଠାଇଛନ୍ତି।

ମହାସଂଘର ସହକାରୀ ଜୋନାଲ୍ ସମ୍ପାଦକ ଶେଖ୍ ଅବଦୁଲ୍ ଆକବରଙ୍କ ନେତୃତ୍ୱରେ ହୋଇଥିବା ଧାରଣାରେ ନୂତନ ଏଜେନ୍ସି ଅଧୀନରେ ନିଯୁକ୍ତି ସମୟରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ପୁରୁଣା କର୍ମଚାରୀଙ୍କୁ ବିନା ସର୍ତରେ ଗ୍ରହଣ କରିବା ସହ ସେବା ନିରନ୍ତରତା ବଜାୟ ରଖିବାକୁ ଦାବି ହୋଇଛି। ଏଏମ୍ସି, ପିଏସ୍ଏସ୍, ଆଏର, ସୁପରଭାଇଜର ଓ ଫିଲ୍ଡ ଅପରେସନ୍ରେ ଦୀର୍ଘଦିନ ଧରି କାର୍ଯ୍ୟରତ କର୍ମଚାରୀଙ୍କୁ ନୂତନ ଏଜେନ୍ସିରେ ନିଯୁକ୍ତି ଦେବାକୁ ମହାସଂଘ ଦାବି କରିଛି।

ଏଥିସହ ପଟାଙ୍ଗି ସେକ୍ସନର ମୁକୁନ୍ଦ ଗୁନ୍ଥା, ବିସିଂପୁର ସେକ୍ସନର ୱାଇ. ରମେଶ ଏବଂ ଜୟପୁର ସେକ୍ସନ-୩ର ରଜନୀକାନ୍ତ ଦାଶଙ୍କୁ ଛଟେଇ କରାଯାଇଥିବା ଅଭିଯୋଗ କରି ସେମାନଙ୍କୁ ତୁରନ୍ତ ପୁନଃନିଯୁକ୍ତି ଦାବି କରାଯାଇଛି। କର୍ମଚାରୀମାନଙ୍କୁ ପ୍ରତି ମାସର ପ୍ରଥମ ସପ୍ତାହରେ ନିୟମିତ ଦରମା ପ୍ରଦାନ କରିବାକୁ ମଧ୍ୟ ଦାବି ହୋଇଛି। ଦରମା ପ୍ରଦାନରେ ଅନିୟମିତତା ଯୋଗୁଁ କର୍ମଚାରୀ ଓ ସେମାନଙ୍କ ପରିବାର ଆର୍ôଥକ ଅସୁବିଧାରେ ପଡ଼ୁଥିବା ମହାସଂଘ ଅଭିଯୋଗ କରିଛି। ଜୟପୁର ସେକ୍ସନ-୩ରେ ଘଟିଥିବା ବିଦ୍ୟୁତ୍ ଦୁର୍ଘଟଣାର ନିରପେକ୍ଷ ତଦନ୍ତ କରି ଦାୟୀ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ ଓ ଆଇନଗତ ପଦକ୍ଷେପ ନେବାକୁ ମଧ୍ୟ ଦାବି ଉଠିଛି। ୱାର୍କ ପରମିଟ୍ (ପିଟିଡବ୍ଲ୍ୟୁ) ଓ ଆର୍ôଥଂ ପ୍ରୋଟୋକଲ୍ ପାଳନରେ ଅବହେଳା କରାଯାଉଥିବାରୁ କର୍ମଚାରୀଙ୍କ ଜୀବନ ବିପଦରେ ପଡ଼ୁଥିବା ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଫିଲ୍ଡ ଅଭିଜ୍ଞତା ଥିବା ଅଣକୁଶଳୀ କର୍ମଚାରୀଙ୍କୁ ଅର୍ଦ୍ଧକୁଶଳୀ ଶ୍ରେଣୀଭୁକ୍ତ କରିବା, ସମସ୍ତ ସେକ୍ସନରେ ୮ ଘଂଟିଆ ଡ୍ୟୁଟି ରୋଷ୍ଟର ଲାଗୁ କରିବା ଏବଂ ଅତିରିକ୍ତ କାର୍ଯ୍ୟ ପାଇଁ ଓଭରଟାଇମ୍ ଭତା ପ୍ରଦାନ ପାଇଁ ଦାବି ହୋଇଛି। ଗ୍ରାମାଂଚଳ କର୍ମଚାରୀଙ୍କୁ ମାସିକ ୩,୫୦୦ ଟଙ୍କା ଓ ସହରାଂଚଳ କର୍ମଚାରୀଙ୍କୁ ୩,୦୦୦ ଟଙ୍କା ଇନ୍ଧନ ଭତା ଏବଂ ଏଚ୍ଟି ଲାଇସେନ୍ସପ୍ରାପ୍ତ କର୍ମଚାରୀଙ୍କୁ ୩,୦୦୦ ଟଙ୍କା ବୈଷୟିକ ଭତା ପ୍ରଦାନ ପାଇଁ ମଧ୍ୟ ଦାବି ରହିଛି। କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ୩୩ କେଭି ଓ ୧୧ କେଭି କାର୍ଯ୍ୟ ପାଇଁ ମାନକସମ୍ମତ ସୁରକ୍ଷା ଉପକରଣ ଓ ପିପିଇ କିଟ୍ ଯୋଗାଣ କରିବାକୁ ମହାସଂଘ ଦାବି କରିଛି। ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଥିବା କର୍ମଚାରୀଙ୍କୁ ଶ୍ରମ ଆଇନ ଅନୁଯାୟୀ ଗ୍ରାଚ୍ୟୁଇଟି ପ୍ରଦାନ ଏବଂ ପିଏସ୍ଏସ୍ରେ ଏମ୍ଓସି ବ୍ୟବସ୍ଥା ଉଚ୍ଛେଦ କରିବାକୁ ମଧ୍ୟ ଦାବି ହୋଇଛି। ଧାରଣାରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଯୋଗଦେଇ ଆନ୍ଦୋଳନକାରୀଙ୍କ ଦାବିକୁ ସମର୍ଥନ କରିଥିଲେ। ସେ କହିଥିଲେ, ବିଦ୍ୟୁତ୍ ଯୋଗାଣ ଭଳି ଜରୁରୀ ସେବାରେ ନିୟୋଜିତ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସେବା ଯୋଗାଉଛନ୍ତି। ତେଣୁ ସେମାନଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ, ନିଯୁକ୍ତି ସୁରକ୍ଷା ଓ ସୁରକ୍ଷା ସାମଗ୍ରୀ ପ୍ରତି କର୍ତୃପକ୍ଷ ଗୁରୁତ୍ୱ ଦେବା ଆବଶ୍ୟକ। ଦାବିଗୁଡ଼ିକର ତୁରନ୍ତ ସମାଧାନ ନହେଲେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସେ ଚେତାବନୀ ଦେଇଥିଲେ। ମହାସଂଘ ପକ୍ଷରୁ ପୂର୍ବରୁ ୧୪ ଦିନିଆ ସମୟସୀମା ଦିଆଯାଇଥିଲା। ଏନେଇ କୋରାପୁଟ ଜିଲ୍ଲାପାଳ, ଏସ୍ପି, ଶ୍ରମ କମିଶନରଙ୍କ ସମେତ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ତଥାପି ଦାବି ପୂରଣ ଦିଗରେ ପଦକ୍ଷେପ ନିଆଯାଇନଥିବାରୁ କର୍ମଚାରୀମାନେ ଧାରଣାକୁ ଓହ୍ଲାଇଥିବା ମହାସଂଘ ପକ୍ଷରୁ କୁହାଯାଇଛି।

ଏହାଛଡ଼ା କୋରାପୁଟ ଓ ଜୟପୁର ଡିଭିଜନ୍ର ମୁକୁନ୍ଦ ଗୁନ୍ଥା, ୱାଇ. ରମେଶ ଓ ରଜନୀକାନ୍ତ ଦାଶଙ୍କୁ ପୁନଃନିଯୁକ୍ତି, ୫ ବର୍ଷରୁ ଅଧିକ ସେବା କରିଥିବା କର୍ମଚାରୀଙ୍କୁ ଗ୍ରାଚ୍ୟୁଇଟି, ଉଚ୍ଚମାନର ପିପିଇ ସୁରକ୍ଷା ସାମଗ୍ରୀ ଏବଂ ଏଚଟି କର୍ମଚାରୀଙ୍କୁ ମାସିକ ୩ ହଜାର ଟଙ୍କା ଟେକ୍ନିକାଲ୍ ଆଲାଉନ୍ସ ପ୍ରଦାନ ଦାବି ରହିଛି।

ଅନ୍ୟପକ୍ଷରେ, କର୍ମଚାରୀଙ୍କ ଦାବି ନେଇ ଟିପିଏସ୍ଓଡିଏଲ୍ କର୍ତୃପକ୍ଷ ମଧ୍ୟ ନିଜ ପକ୍ଷ ରଖିଛନ୍ତି। ସୁପରିଟେଣ୍ଡିଂ ଇଞ୍ଜିନିୟର ତପନରଶ୍ମୀ ଶୁବୁଦ୍ଧିଙ୍କ କହିବା ଅନୁଯାୟୀ, କର୍ମଚାରୀମାନେ ଲିଖିତ ଭାବରେ ଦାବି ଦେଇଛନ୍ତି ଏବଂ ସେଗୁଡ଼ିକୁ କର୍ପୋରେଟ୍ କାର୍ଯ୍ୟାଳୟକୁ ଜଣାଇ ଦିଆଯାଇଛି। ଦାବିଗୁଡ଼ିକର ସମାଧାନ ସ୍ଥାନୀୟ ସ୍ତରରେ ସମ୍ଭବ ନୁହେଁ। ଉପରିସ୍ଥ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ମିଳିବା ପରେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଏହି ଧାରଣା ବିକ୍ଷୋଭ କୁ କଂଗ୍ରେସ, ଜିଲ୍ଲା ସଭାପତି ରୂପକ ତୁରୁକ ବିଜେଡି ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ସମର୍ଥନ ଜଣାଇଛନ୍ତି ।

ଆଲୋଚନା ପାଇଁ କର୍ମଚାରୀମାନେ ଆସିଲେ ସମାଧାନର ବାଟ ବାହାରିପାରିବ ବୋଲି ସେ ମତ ଦେଇଛନ୍ତି। ଏଥିସହ ଆଗାମୀ ଦିନରେ ଧାରଣା ହେଲେ ମଧ୍ୟ ସାଧାରଣ ଗ୍ରାହକଙ୍କ ବିଦ୍ୟୁତ ସେବା ପ୍ରଭାବିତ ହେବ ନାହିଁ ବୋଲି ଟିପିଏସ୍ଓଡିଏଲ୍ ପକ୍ଷରୁ କୁହାଯାଇଛି।

୧୧ ଦଫା ଦାବି ଓ ୧୪ ଦିନର ଅଲ୍ଟିମେଟମ୍ ପରେ ଏବେ ମହାସଂଘ ଓ ଟିପିଏସ୍ଓଡିଏଲ୍ କର୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ଏବଂ ଦାବିର ସମାଧାନ ଉପରେ ନଜର ରହିଛି। ୧୪ ଦିନ ମଧ୍ୟରେ ଦାବି ପୂରଣ ନହେଲେ ମହାସଂଘର ପରବର୍ତୀ ପଦକ୍ଷେପ କଣ ହେବ, ତାହା ଉପରେ ମଧ୍ୟ ନଜର ରହିବ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande