ବେଆଇନ ମଦ କାରବାର ବନ୍ଦ ସହ ଚୋରା ମଦଭାଟି ଉଚ୍ଛେଦ ଦାବି
ଜୟପୁର, ୦୫ ଅକ୍ଟୋବର (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍ ଅନ୍ତର୍ଗତ ବଡ଼ଜିଉନା ପଂଚାୟତର ମହିଳା ମଦ ବନ୍ଦ କରିବାକୁ ଆଗେଇ ଆସିଛନ୍ତି । ପଂଚାୟତର ଭେଜାଗୁଡ଼ା, ଧାର୍ଣ୍ଣାହାଣ୍ଡି, ସାନଜିଉନା, ସଲପା , ପଡେଇକରା ଇତ୍ୟାଦି ଗ୍ରାମର ଶତାଧିକ ମହିଳା ଓ ସ୍ଥାନୀୟ ବାସିନ୍ଦା ପଂଚାୟତ ରେ ସମ୍ପୂର୍ଣ ମଦ ବନ
ବେଆଇନ ମଦ କାରବାର ବନ୍ଦ ସହ ଚୋରା ମଦଭାଟି ଉଚ୍ଛେଦ ଦାବି


ଜୟପୁର, ୦୫ ଅକ୍ଟୋବର (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍ ଅନ୍ତର୍ଗତ ବଡ଼ଜିଉନା ପଂଚାୟତର ମହିଳା ମଦ ବନ୍ଦ କରିବାକୁ ଆଗେଇ ଆସିଛନ୍ତି । ପଂଚାୟତର ଭେଜାଗୁଡ଼ା, ଧାର୍ଣ୍ଣାହାଣ୍ଡି, ସାନଜିଉନା, ସଲପା , ପଡେଇକରା ଇତ୍ୟାଦି ଗ୍ରାମର ଶତାଧିକ ମହିଳା ଓ ସ୍ଥାନୀୟ ବାସିନ୍ଦା ପଂଚାୟତ ରେ ସମ୍ପୂର୍ଣ ମଦ ବନ୍ଦ କରିବାକୁ ଦାବି କରିଛନ୍ତି ।

ଆଜି ଶୋଭାଯାତ୍ରାରେ ଆସି ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ବିକ୍ଷୋଭ କରିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଦାବିପତ୍ର ପ୍ରଦାନ କରିଥିଲେ। ପଂଚାୟତର ସରପଂଚ ତ୍ରିନାଥ ପୂଜାରୀଙ୍କ ନେତୃତ୍ୱରେ ପ୍ରାୟ ୩ ଶହ ରୁ ଉର୍ଦ୍ଧ ମହିଳା ଓ ସ୍ଥାନୀୟ ଲୋକ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ଜଣାପଡ଼ିଛି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ବଡ଼ଜେଉନା ପଂଚାୟତ ଅଂଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଛି। ବିଭିନ୍ନ ସ୍ଥାନରେ ଚୋରା ମଦ ବିକ୍ରି ଓ ମଦଭାଟି ଚାଲୁଥିବାରୁ ଏହାର କୁପ୍ରଭାବ ପରିବାର ଓ ସମାଜ ଉପରେ ପଡ଼ୁଥିବା ଅଭିଯୋଗ ହୋଇଛି।

ମଦ ଓ ନିଶା କାରବାର ଯୋଗୁଁ ଯୁବପିଢ଼ି ନିଶାଗ୍ରସ୍ତ ହେବା ସହ ପରିବାରରେ ଅଶାନ୍ତି, କଳହ ଓ ବିଭିନ୍ନ ସାମାଜିକ ସମସ୍ୟା ବଢ଼ୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଏହାର ସର୍ବାଧିକ ପ୍ରଭାବ ମହିଳା ଓ ଶିଶୁଙ୍କ ଉପରେ ପଡ଼ୁଥିବାରୁ ଏହାକୁ ନେଇ ଗ୍ରାମାଂଚଳରେ ଅସନ୍ତୋଷ ତୀବ୍ର ହୋଇଥିବା ସେମାନେ କହିଛନ୍ତି। ପଂଚାୟତର ସମସ୍ତ ଗ୍ରାମରେ ଚାଲୁଥିବା ଚୋରା ମଦ କାରବାର ଓ ବେଆଇନ ମଦଭାଟି ତୁରନ୍ତ ବନ୍ଦ କରିବା ସହ ମଦମୁକ୍ତ ପରିବେଶ ସୃଷ୍ଟି ପାଇଁ ପ୍ରଶାସନ ଦୃଢ଼ ପଦକ୍ଷେପ ନେବା କୁ ଦାବି ହୋଇଛି। ଏଥିସହ ନିଶା କାରବାରରେ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ନିୟମିତ ଚଢ଼ଉ କରିବାକୁ ମଧ୍ୟ ଦାବି କରାଯାଇଛି। ପ୍ରଶାସନ ପକ୍ଷରୁ ଦାବିଗୁଡ଼ିକ ଉପରେ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନ ମିଳିଥିବା ଆନ୍ଦୋଳନକାରୀମାନେ କହିଛନ୍ତି। ତେବେ ସମସ୍ୟାର ଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନ କରିବା ନେଇ ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande