
ସିମଲା, ୬ ଅକ୍ଟୋବର (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡାକ୍ତରମାନଙ୍କୁ ଆହ୍ୱାନ କରିଛନ୍ତି ଯେ, ସେମାନେ ଚିକିତ୍ସା ବୃତିକୁ କେବଳ ଜୀବିକାର ମାଧ୍ୟମ ପରିବର୍ତେ କରୁଣା, ସମ୍ବେଦନଶୀଳତା ଏବଂ ନିଃସ୍ୱାର୍ଥପର ସେବାର ମାଧ୍ୟମ କରନ୍ତୁ। ସେ କହିଥିଲେ ଯେ, ଡାକ୍ତରମାନଙ୍କ ଆଚରଣ ଏପରି ହେବା ଉଚିତ୍, ଯାହାଦ୍ୱାରା ରୋଗୀମାନେ ନିଜର ବୋଲି ଅନୁଭବ କରିବେ ଏବଂ ଅନୁଷ୍ଠାନର ପ୍ରତିଷ୍ଠା ବୃଦ୍ଧି ପାଇବ। ସେ କହିଥିଲେ ଯେ, ଡାକ୍ତରମାନଙ୍କୁ ଭଗବାନ ଭାବେ ସମ୍ବୋଧିତ କରାଯାଏ ଏବଂ ମାନବତାର ସେବା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେବା ଉଚିତ୍।
ମଙ୍ଗଳବାର ଦିନ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ବିଳାସପୁରର ପ୍ରଥମ ସମାବର୍ତନ ସମାରୋହକୁ ମୁଖ୍ୟ ଅତିଥି ଭାବେ ସମ୍ବୋଧିତ କରି ରାଷ୍ଟ୍ରପତି ଏହା କହିଛନ୍ତି। ସେ ଏମ୍ସ ବିଳାସପୁରର ପ୍ରଥମ ବ୍ୟାଚର ୮୯ ଜଣ ତାଲିମପ୍ରାପ୍ତ ଡାକ୍ତରଙ୍କୁ ଡିଗ୍ରୀ ପ୍ରଦାନ କରିଥିଲେ ଏବଂ ପାଂଚ ଜଣ ପ୍ରତିଭାବାନ ଛାତ୍ରଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ। ପ୍ରଥମ ବ୍ୟାଚର ସମସ୍ତ ପାସ୍ ଆଉଟ୍ ଛାତ୍ରଛାତ୍ରୀ ଏବଂ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ ଏବଂ କହିଥିଲେ ଯେ, ଏହି ଅନୁଷ୍ଠାନର ପ୍ରଥମ ବ୍ୟାଚର ଅଂଶବିଶେଷ ହେବା ତାଙ୍କ ପାଇଁ ଏକ ଗର୍ବର ଏବଂ ଐତିହାସିକ ମୁହୂର୍ତ।
ରାଷ୍ଟ୍ରପତି କହିଥିଲେ ଯେ, ଡାକ୍ତରଙ୍କ ମୌଳିକ କର୍ତବ୍ୟ ହେଉଛି ରୋଗକୁ ସଠିକ୍ ଭାବେ ଚିହ୍ନଟ କରିବା ଏବଂ ଚିକିତ୍ସା କରିବା, କିନ୍ତୁ ଏହା ସହିତ ରୋଗୀ ପ୍ରତି ସମ୍ବେଦନଶୀଳତା ଏବଂ ସହାନୁଭୂତି ମଧ୍ୟ ରହିବା ଆବଶ୍ୟକ। ଡାକ୍ତରଙ୍କ ସହାନୁଭୂତିଶୀଳ ଏବଂ ଆତ୍ମୀୟ ବ୍ୟବହାର ରୋଗୀର ଚିକିତ୍ସାରେ ସହାୟକ ହୋଇଥାଏ। ଗ୍ରାମାଚଂଳ ଏବଂ ଦୁର୍ଗମ ଅଂଚଳରେ ରହୁଥିବା ଲୋକଙ୍କ ପ୍ରତି ପ୍ରେମ ଏବଂ ନିଜସ୍ୱ ଭାବନା ରଖିବା ପାଇଁ ସେ ଯୁବ ଡାକ୍ତରମାନଙ୍କୁ କହିଥିଲେ।
ସେ କହିଥିଲେ ଯେ, ହିମାଚଳ ପ୍ରଦେଶର କଠିନ ଭୌଗୋଳିକ ସ୍ଥିତିରେ ଦୁର୍ଗମ ଅଂଚଳରେ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ପହଂଚାଇବା ଏକ ବଡ଼ ଆହ୍ୱାନ। ଡାକ୍ତରଙ୍କ ପ୍ରୟାସ ଏବଂ ମନୋବଳ ଦ୍ୱାରା ଏହି ଆହ୍ୱାନର ମୁକାବିଲା କରାଯାଇପାରିବ। ସେ ଆଶା ବ୍ୟକ୍ତ କରିଥିଲେ ଯେ, ଏମ୍ସ ଭଳି ଏକ ପ୍ରତିଷ୍ଠିତ ଅନୁଷ୍ଠାନରେ ତାଲିମ ପ୍ରାପ୍ତ ଡାକ୍ତରମାନେ ଦୁର୍ଗମ ଏବଂ ପାର୍ବତ୍ୟାଚଂଳରେ ନିଜର ସେବା ପ୍ରଦାନ କରିବାରେ ପଛଘୁଂଚା ଦେବେ ନାହିଁ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ