
ନୋଏଡା, ୦୬ ଅକ୍ଟୋବର (ହି.ସ.) - ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ଗାଇ ପାର୍ମେଲିନ ଭାରତ ଗସ୍ତର ଦ୍ୱିତୀୟ ଦିନ ମଙ୍ଗଳବାର ୭୫ ସଦସ୍ୟ ବିଶିଷ୍ଟ ପ୍ରତିନିଧିମଣ୍ଡଳ ସହ ଗ୍ରେଟର ନୋଏଡାର ଜେୱରସ୍ଥିତ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର (ଜେୱର ଏୟାରପୋର୍ଟ)ରେ ପହଂଚିଥିଲେ। ସେ ବିମାନବନ୍ଦରରେ ଯାତ୍ରୀ ଟର୍ମିନାଲ ଏବଂ କାର୍ଗୋ ସୁବିଧାର ନିରୀକ୍ଷଣ କରିଥିଲେ। ଏହି ସମୟରେ ସେ ବିମାନବନ୍ଦରର ନିର୍ମାଣ ଏବଂ ପରିଚାଳନା ସହ ଜଡ଼ିତ ସୂଚନା ଅଧିକାରୀମାନଙ୍କଠାରୁ ନେଇଥିଲେ। ଜ୍ୟୁରିଖ କମ୍ପାନୀର ପ୍ରତିନିଧିଙ୍କ ସହ ମଧ୍ୟ ତାଙ୍କର ଆଲୋଚନା ହୋଇଥିଲା। ସ୍ୱିଜରଲ୍ୟାଣ୍ଡ ରାଷ୍ଟ୍ରପତି ପାଂଚରୁ ସାତ ଅକ୍ଟୋବର ପର୍ଯ୍ୟନ୍ତ ଭାରତର ତିନି ଦିନିଆ ଗସ୍ତରେ ଅଛନ୍ତି।
ଅତିରିକ୍ତ ପୋଲିସ କମିଶନର ଆଇନ ଶୃଙ୍ଖଳା ରାଜୀବ ନାରାୟଣ ମିଶ୍ର କହିଛନ୍ତି ଯେ ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା କରାଯାଇଛି। ତାଙ୍କ ଆଗମନ ଏବଂ ପ୍ରସ୍ଥାନ ସମୟରେ ଯାତାୟାତ ଡାଇଭର୍ଟ କରାଯାଇଥିଲା। ତାଙ୍କ ସୁରକ୍ଷାରେ ପ୍ରାୟ ତିନି ହଜାର ପୋଲିସକର୍ମୀ ନିୟୋଜିତ ଅଛନ୍ତି। ରାଷ୍ଟ୍ରପତି ପ୍ରାୟ ୨ଟା ପର୍ଯ୍ୟନ୍ତ ବିମାନବନ୍ଦରରେ ରହିବେ।
ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ପରିଚାଳନା ଜ୍ୟୁରିଖ ଏୟାରପୋର୍ଟ ଇଂଟରନ୍ୟାସନାଲ ଏଜିର ସହଯୋଗୀ କମ୍ପାନୀ କରୁଛି। ବିମାନବନ୍ଦରରୁ ଡିସେମ୍ବରରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ କରିବାର ପ୍ରସ୍ତୁତି ଚାଲିଛି। ଏପରି ସ୍ଥିତିରେ ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତିଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବିମାନ ଚଳାଚଳ କ୍ଷେତ୍ରରେ ସହଯୋଗ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି।
ଫେଡେରେସନ ଅଫ ଇଣ୍ଡିଆନ ଏକ୍ସପୋର୍ଟ ଆର୍ଗାନାଇଜେସନର ପଦାଧିକାରୀମାନଙ୍କ ଅନୁସାରେ ରାଷ୍ଟ୍ରପତି ପାର୍ମେଲିନଙ୍କ ଭାରତ ଗସ୍ତ ଦୁଇ ଦେଶ ମଧ୍ୟରେ ଆର୍ôଥକ ଏବଂ ବାଣିଜ୍ୟିକ ସମ୍ପର୍କକୁ ଆହୁରି ମଜବୁତ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ଗଗନ