
ଝାରସୁଗୁଡ଼ା, ୦୭ ଅକ୍ଟୋବର (ହି.ସ.) - ଜିଲ୍ଲା ଜାତୀୟ ରାଜପଥ-୪୯ର କୋଲାବିରା-ବଡ଼ବାହାଲ ରାସ୍ତାର ହନୁମାନ ଛକ ନିକଟରେ ବୁଧବାର ବୋଲେରୋ ଓ ତେଲ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।
ଆହତମାନେ ହେଲେ ଲଇକେରା ଥାନା ଅନ୍ତର୍ଗତ ଭାଲୁପତ୍ରା ସୁନଝଟରିଆ ଗ୍ରାମର ଦୀପକ ପରୁଆ (୨୪) ଓ ବୋଲେରୋ ଚାଳକ ବିବେକାନନ୍ଦ ଧୁରୁଆ (୪୦)। ଉଭୟଙ୍କୁ ପ୍ରଥମେ କୋଲାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ ଅବସ୍ଥା ଗୁରୁତର ଥିବାରୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୀପକଙ୍କ ଅବସ୍ଥା ଅତ୍ୟଧିକ ଗୁରୁତର ଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, ଓଡ଼ି-୧୫ ଏଲ୍-୫୮୧୯ ନମ୍ବର ବିଶିଷ୍ଟ ତେଲ ଟ୍ୟାଙ୍କରଟି କୋଲାବିରା ପଟୁ କୁଚିଣ୍ଡା ଅଭିମୁଖେ ଯାଉଥିଲା। ଏହି ସମୟରେ ଓଡ଼ି-୨୩ ଏଚ୍-୫୭୪୯ ନମ୍ବର ବିଶିଷ୍ଟ ବୋଲେରୋଟି ଡେଙ୍ଗାବର ପଟୁ ପୂର୍ତ ବିଭାଗ ରାସ୍ତା ଦେଇ ଆସି ହନୁମାନ ଛକ ନିକଟରେ ଜାତୀୟ ରାଜପଥ ଉପରକୁ ଉଠୁଥିବା ବେଳେ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା।
ଧକ୍କା ଏତେ ଜୋରଦାର ଥିଲା ଯେ ବୋଲେରୋର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା। ଦୁର୍ଘଟଣାରେ ଦୀପକ ବୋଲେରୋରୁ ଛିଟିକି ବାହାରକୁ ପଡ଼ିଥିବା ଜଣାପଡ଼ିଛି। ଖବର ପାଇ କୋଲାବିରା ପୁଲିସ ଘଟଣାସ୍ଥଳରେ ପହଂଚି ଉଭୟ ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ