୩୫ ବର୍ଷ ପରେ ଧୁବେନବୁଡ଼ରେ ଫେରିଲା କରମା ପରମ୍ପରା, ଉତ୍ସବମୁଖର ଗାଁ
After 35 years again Karma puja start
୩୫ ବର୍ଷ ପରେ ଧୁବେନବୁଡ଼ରେ ଫେରିଲା କରମା ପରମ୍ପରା,


ଝାରସୁଗୁଡା , 07 ଅକ୍ଟୋବର (ହି.ସ.) : ଦୀର୍ଘ ୩୫ ବର୍ଷର ବ୍ୟବଧାନ ପରେ କୋଲାବିରା ବ୍ଲକ କୁଲିହାମାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧୁବେନବୁଡ଼ ଗ୍ରାମରେ ପୁଣିଥରେ ପାରମ୍ପରିକ ଆଦିବାସୀ ପର୍ବ କରମା ପୂଜା ଅନୁଷ୍ଠିତ ହୋଇଛି। ଗତ ୫ ଓ ୬ ତାରିଖ ଦୁଇ ଦିନ ଧରି ଗ୍ରାମରେ ଆନନ୍ଦ, ଉତ୍ସାହ ଓ ଭାଇଚାରାର ପରିବେଶ ଦେଖିବାକୁ ମିଳିଥିଲା।

୫ ତାରିଖ ସନ୍ଧ୍ୟାରେ ଗ୍ରାମବାସୀ ପାରମ୍ପରିକ ରୀତିନୀତି ଅନୁଯାୟୀ କରମ ଡାଳ ଆଣି ସ୍ଥାପନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପୂଜା ପରେ ଢୋଲର ତାଳେ ପାରମ୍ପରିକ ଆଦିବାସୀ ନୃତ୍ୟ ଓ ଗୀତରେ ସାରା ରାତି ଉତ୍ସବ ଜମିଥିଲା। ଧୁବେନବୁଡ଼ ସମେତ ଆଖପାଖ ଅଞ୍ଚଳର ବିଭିନ୍ନ ଗ୍ରାମର ଲୋକେ ମଧ୍ୟ ଏହି ଉତ୍ସବରେ ଯୋଗଦେଇଥିଲେ।

୬ ତାରିଖରେ ପାରମ୍ପରିକ ବିଧିବିଧାନ ଅନୁଯାୟୀ କରମ ଡାଳ ବିସର୍ଜନ କରାଯାଇଥିଲା। ୩୫ ବର୍ଷ ପରେ ଗ୍ରାମରେ କରମା ପୂଜା ଆୟୋଜିତ ହୋଇଥିବାରୁ ବୟସ୍କଙ୍କଠାରୁ ଆରମ୍ଭ କରି ଯୁବପିଢ଼ି ଓ ଶିଶୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା।

ପୂନମ ପଟେଲ ଓ ଦିପ୍ତେଶ ପଟେଲ ପୂଜାର କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ଗ୍ରାମର ଝାଙ୍କର ଗୁରୁଦେବ ପୂଜକ ଭାବେ ଯୋଗଦେଇ ପାରମ୍ପରିକ ବିଧିବିଧାନରେ ପୂଜା ସମ୍ପନ୍ନ କରିଥିଲେ। ଆୟୋଜନକୁ ସଫଳ କରିବାରେ ଧରିତ୍ରୀ କିଷା, ଅତିଫ ପଟେଲ, କପିଳ କିଷାନ, ମେଘୁ କିଷାନ, ସୁଜନ କୌଡ଼ି, ବାବୁଲୁ କିଷାନ ଓ ଋଷି କିଷାନ ପ୍ରମୁଖ ଭୂମିକା ତୁଲାଇଥିଲେ।

ଏହି ଅବସରରେ ସୁରେନ୍ଦ୍ର ନାଏକ, ଯୁଧିଷ୍ଠିର ଯୋଗୀ, ଲକ୍ଷ୍ମଣ ନାଏକ ଓ ମହାନ ନାଏକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗ୍ରାମବାସୀଙ୍କୁ ଉତ୍ସାହିତ କରିଥିଲେ।

କରମା ପୂଜାର ଏହି ପୁନରାରମ୍ଭ ପରେ ଗ୍ରାମବାସୀ ଆଗାମୀ ଦିନରେ ପ୍ରତିବର୍ଷ ନିୟମିତ ଭାବେ ଏହି ପରମ୍ପରା ପାଳନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ଗ୍ରାମର ପୁରୁଣା ପରମ୍ପରା, ଆଦିବାସୀ ସଂସ୍କୃତି, ପ୍ରକୃତିପ୍ରେମ ଓ ଭାଇଚାରାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ଜୀବନ୍ତ ରଖିବାର ସଂକଳ୍ପ ନିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande