
ଝାରସୁଗୁଡ଼ା, , 07 ଅକ୍ଟୋବର (ହି.ସ.): ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିକଟସ୍ଥ ବିମାନବନ୍ଦର ଛକକୁ ‘ସେବା ଜ୍ୟୋତି ଚୌକ’ ଭାବେ ନାମିତ କରାଯାଇଛି। ବୁଧବାର ଏହି ନୂତନ ନାମର ଶୁଭ ଉଦ୍ଘାଟନ କରାଯାଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ଜନସେବାରୁ ରାଷ୍ଟ୍ରସେବା ପର୍ଯ୍ୟନ୍ତ ଅବିରତ ଯାତ୍ରାକୁ ସମ୍ମାନ ଓ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି ଛକର ନାମକରଣ କରାଯାଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।
ଏହି ଅବସରରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ସିମାଞ୍ଚଳ ଖଟେଇ, ଜିଲ୍ଲା ଭାଜପା ସଭାପତି ରଘୁନନ୍ଦନ ପଣ୍ଡାଙ୍କ ସମେତ ସୁନୀଲ ପଣ୍ଡା, ପ୍ରେମସେନ ରାୟ, ନଭଲ ଅଗ୍ରୱାଲ ଓ ବିମଳେନ୍ଦୁ ଭୋଳ ପ୍ରମୁଖ ଉପସ୍ଥିତ ଥିଲେ।
ଅତିଥିମାନେ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ‘ସେବା, ସୁଶାସନ ଓ ଗରିବ କଲ୍ୟାଣ’ର ସଂକଳ୍ପକୁ ଆଧାର କରି ନାମିତ ଏହି ଚୌକ ରାଷ୍ଟ୍ର ନିର୍ମାଣ ଓ ଜନସେବା କ୍ଷେତ୍ରରେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ