
କେନ୍ଦ୍ରାପଡ଼ା, ୦୭ ଅକ୍ଟୋବର(ହି.ସ.) – ପ୍ରତିବର୍ଷ ଅକ୍ଟୋବର ୬ ତାରିଖକୁ ସେରିବ୍ରାଲ୍ ପାଲ୍ସି ସଚେତନତା ଦିବସ ଭାବେ ପାଳନ କରାଯାଇଥାଏ। ଏହା ଏକ ସ୍ନାୟୁ-ବିକାଶଜନିତ ଭିନ୍ନକ୍ଷମତା, ଯାହାଦ୍ୱାରା ଅନେକ ନବଜାତ ଶିଶୁ କିମ୍ବା ପ୍ରାରମ୍ଭିକ ପର୍ଯ୍ୟାୟର ଶିଶୁଙ୍କ ଚଳନଶକ୍ତିକୁ ପ୍ରଭାଭିତ କରିଥାଏ। ସଚେତନତା କେବଳ ଏହି ଅବସ୍ଥାର ପ୍ରାରମ୍ଭିକ ପ୍ରଭାବକୁ ରୋକିବାରେ ସହାୟକ ହୁଏ ନାହିଁ, ବରଂ ସେରିବ୍ରାଲ୍ ପାଲ୍ସି ଥିବା ଶିଶୁମାନଙ୍କର ଅଭିଭାବକଙ୍କୁ ସଶକ୍ତ ଓ ସଚେତନ ମଧ୍ୟ କରିଥାଏ। ସେରିବ୍ରାଲ୍ ପାଲ୍ସି ଥିବା ଶିଶୁମାନଙ୍କର ଅଭିଭାବକ ଏବଂ ଏହି କ୍ଷେତ୍ର ସହ ସମ୍ପୃକ୍ତ ବିଶେଷଜ୍ଞ ମାନଙ୍କ ମଧ୍ୟରେ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ପୁନର୍ବାସ ପକ୍ଷରୁ ମାଧପୁରସ୍ଥିତ ଶିଶୁ ଥେରାପି କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଚିକିତ୍ସାଳୟର ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା. କିଶୋର ଚନ୍ଦ୍ର ମିଶ୍ର ଏବଂ ବରିଷ୍ଠ କ୍ଲିନିକାଲ୍ ସାଇକୋଲୋଜିଷ୍ଟ ସୋମାପୁଷ୍ପା ମିଶ୍ର ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇ ଅଭିଭାବକମାନଙ୍କର ବିଭିନ୍ନ ପ୍ରଶ୍ନର ଉଲର ପ୍ରଦାନ କରିଥିଲେ। ମସ୍ତିଷ୍କ ପକ୍ଷାଘାତ ଶିଶୁମାନଙ୍କ ମୁଖଗହ୍ୱର ସ୍ୱାସ୍ଥ୍ୟ , ଖାଦ୍ୟ ଓ ପୋଷଣ, ଧ୍ୟାନ ଓ ଶ୍ରବଣ ସମ୍ପର୍କିତ ଉପାୟ ଏବଂ ସର୍ବୋପରି, ନିଜ ସ୍ୱତନ୍ତ୍ର ଶିଶୁର ଲାଳନ ପାଳନରେ ଜଣେ ମା'ର ଧୈର୍ୟ୍ୟ ଓ ଗ୍ରହଣଶୀଳତା ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ସେମାନେ ପ୍ରଶ୍ନୋଲର ମାଧ୍ୟମରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ଫିଜିଓ କୀର୍ଲି ଦାଶ ପ୍ରଦାନ କରିଥିଲେ ଏବଂ ଜିଲ୍ଲା ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ନାୟକଙ୍କ ସଭାପତିତ୍ୱରେ ପୁନର୍ବାସର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ, ମୁଖ୍ୟ ସିବିଆର୍ ଅଭିଷେକ ଜେନା ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ। ଏଥିରେ ପାଖାପାଖି ୩୫ରୁ ଉର୍ଦ୍ଧ୍ୱ ଦିବ୍ୟଙ୍ଗଶିଶୁଙ୍କ ଅଭିଭାବକ ମାନେ ଅଂଶଗ୍ରହଣ କରିଥିଲେ। କେଦାର ବାରିକ, ଧରଣୀଧର ସେଠୀ ପ୍ରମୁଖ ପରିଚାଳନା ରେ ସହାୟତା କରିଥିଲେ। ସହ ସମ୍ପାଦକ ବଂଶୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି