ଝାରସୁଗୁଡ଼ାରେ ବେଆଇନ ଗ୍ୟାସ ସିଲିଣ୍ଡର ବ୍ୟବହାର ଓ ମହଜୁଦ ଉପରେ ଯୋଗାଣ ବିଭାଗର ଚଢ଼ାଉ
Civil supplies department seized 88 cylendar
ଝାରସୁଗୁଡ଼ାରେ ବେଆଇନ ଗ୍ୟାସ ସିଲିଣ୍ଡର ବ୍ୟବହାର ଓ ମହଜୁଦ ଉପରେ


ଝାରସୁଗୁଡ଼ା, 07 ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ପୌରାଞ୍ଚଳରେ ବେଆଇନ ଭାବେ ଘରୋଇ ଏଲ୍ପିଜି ସିଲିଣ୍ଡରର ବ୍ୟବସାୟିକ ବ୍ୟବହାର ତଥା ଅଣ-ଅନୁମୋଦିତ ସ୍ଥାନରେ ସିଲିଣ୍ଡର ମହଜୁଦ ରଖିବା ଘଟଣାକୁ ନେଇ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଯାଞ୍ଚ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୋଗାଣ ପ୍ରବର୍ତ୍ତନ ଟିମ୍ ପକ୍ଷରୁ ପୌରପାଳିକା ଅଧୀନସ୍ଥ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ମାର୍କେଟ କମ୍ପ୍ଲେକ୍ସ ସମେତ ମୋଟ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଯାଞ୍ଚ ସମୟରେ ନିୟମ ଉଲ୍ଲଂଘନ କରି ସରକାରୀ ରିହାତି ପ୍ରାପ୍ତ ଘରୋଇ ସିଲିଣ୍ଡରକୁ ବ୍ୟବସାୟିକ କାର୍ଯ୍ୟରେ ଲଗାଯାଉଥିବା ଏବଂ ବିନା ଅନୁମତିରେ ବିପଦପୂର୍ଣ୍ଣ ଭାବେ ମହଜୁଦ ରଖାଯାଇଥିବା ସ୍ପଷ୍ଟ ହୋଇଥିଲା। ଏହି ସ୍ୱତନ୍ତ୍ର ଏନ୍ଫୋର୍ସମେଣ୍ଟ ଅପରେସନ୍ ବେଳେ ଟିମ୍ ବିଭିନ୍ନ ସ୍ଥାନରୁ ସମୁଦାୟ ୮୮ଟି ଏଲ୍ପିଜି ସିଲିଣ୍ଡର ଜବତ କରିଛି। ଏଥିମଧ୍ୟରେ ୫୮ଟି ଘରୋଇ ଏଲ୍ପିଜି ସିଲିଣ୍ଡର, ୨୪ଟି ବ୍ୟବସାୟିକ ସିଲିଣ୍ଡର ଏବଂ ୬ଟି ୫ କିଲୋଗ୍ରାମ ବିଶିଷ୍ଟ ଛୋଟ ସିଲିଣ୍ଡର ସାମିଲ ରହିଛି। ସରକାରୀ ନିୟମାବଳୀକୁ ଖୋଲାଖୋଲି ଉଲ୍ଲଂଘନ କରି ବ୍ୟବସାୟିକ ଲାଭ ପାଇଁ ଏଭଳି କାର୍ଯ୍ୟ କରାଯାଉଥିବା ନେଇ ଯୋଗାଣ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଚଢ଼ାଉ ବେଳେ ଝାରସୁଗୁଡ଼ା ଅତିରିକ୍ତ ତହସିଲଦାର ସଞ୍ଜୀବ ସାର୍ଦ୍ଦିଙ୍ଗ ଏବଂ ଜିଲ୍ଲା ଯୋଗାଣ ଅଧିକାରୀ ପୀତାମ୍ବର ସେଠୀଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀମାନେ ସାମିଲ ଥିଲେ।ଅଭିଯାନରେ ଅତିରିକ୍ତ ଯୋଗାଣ ଅଧିକାରୀ ସୂର୍ଯ୍ୟକୁମାର ପାଣିଗ୍ରାହୀ, ଜୟନ୍ତ କୁଣ୍ଡୁ, ଶ୍ରୀମତୀ କେ. ନିଶାଙ୍କ ସମେତ ଯୋଗାଣ ନିରୀକ୍ଷକ ଆଶୁତୋଷ କିଷାନ, ମିସ୍ ରୋଜାଲିନ ସାହୁ, ମିସ୍ ବାସନ୍ତୀ ମୁର୍ମୁ ଏବଂ ମିସ୍ ମୋନିକା ମହାରଣା ପ୍ରମୁଖ ଉପସ୍ଥିତ ରହି ଚଢ଼ାଉ ପରିଚାଳନା କରିଥିଲେ। ବ୍ୟବସାୟିକ ଉଦ୍ଦେଶ୍ୟରେ ଘରୋଇ ଏଲ୍ପିଜି ସିଲିଣ୍ଡରର ଅପବ୍ୟବହାର କିମ୍ବା ବେଆଇନ ମହଜୁଦକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ଯୋଗାଣ ପ୍ରବର୍ତ୍ତନ ଟିମ୍ ସ୍ପଷ୍ଟ କରିଛି। ଆଗାମୀ ଦିନରେ ଏଭଳି ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଡ଼ାକଡ଼ି କରାଯିବା ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ ଦଣ୍ଡବିଧାନ କରାଯିବ ବୋଲି ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande