ଓଡ଼ିଶା ବନ୍ଦ ସମର୍ଥନରେ ଝାରସୁଗୁଡ଼ାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ
Congress rally at jharsuguda
ଓଡ଼ିଶା ବନ୍ଦ ସମର୍ଥନରେ ଝାରସୁଗୁଡ଼ାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ


ଝାରସୁଗୁଡ଼ା, ୭ ଅକ୍ଟୋବର (ହି.ସ.) ୮ ଅକ୍ଟୋବର ଓଡ଼ିଶା ବନ୍ଦକୁ ସଫଳ କରିବା ଲକ୍ଷ୍ୟରେ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ବୁଧବାର ଏକ ବିଶାଳ ପଦଯାତ୍ରା ଆୟୋଜିତ ହୋଇଛି। ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି ପଦଯାତ୍ରାରେ ଜିଲ୍ଲା କଂଗ୍ରେସର ବହୁ ନେତା, ଯୁବ, ଛାତ୍ର, ମହିଳା ଓ ବିଭିନ୍ନ ଶାଖାର କର୍ମକର୍ତ୍ତା ଯୋଗଦେଇଥିଲେ।

ପଦଯାତ୍ରାରେ ଭୋଟର ତାଲିକାରେ ଅନିୟମିତତା ଏବଂ ଏସ୍ଆଇଆର୍ ପ୍ରକ୍ରିୟାକୁ ନେଇ କଂଗ୍ରେସ ନେତାମାନେ ଅଭିଯୋଗ ଉଠାଇଥିଲେ। ଏଥିସହ ଏମଏମଡିଆର ବିଲ୍ କୁ ନେଇ କେନ୍ଦ୍ର ସରକାରଙ୍କ ନୀତି, ପାଠ୍ୟପୁସ୍ତକରେ ତ୍ରୁଟି, ବନ୍ୟା ପ୍ରଭାବିତ ଲୋକଙ୍କୁ ପର୍ଯ୍ୟାପ୍ତ ସହାୟତା ନମିଳିବା ଏବଂ ଜନସାଧାରଣଙ୍କ ସମସ୍ୟା ପ୍ରତି ସରକାରଙ୍କ ଉଦାସୀନତା ନେଇ ନେତାମାନେ ସରକାରଙ୍କୁ ସମାଲୋଚନା କରିଥିଲେ।

ଗଣତନ୍ତ୍ରରେ ମତଦାତାଙ୍କ ଭୋଟର ସୁରକ୍ଷା ସର୍ବୋପରି ବୋଲି କଂଗ୍ରେସ ନେତାମାନେ କହିଥିଲେ। ଏସଆଇଆର ପ୍ରକ୍ରିୟା ମାଧ୍ୟମରେ ଭୋଟରଙ୍କ ଅଧିକାର କ୍ଷୁଣ୍ଣ ହେଉଥିବା ଅଭିଯୋଗ କରି ନିର୍ବାଚନ କମିଶନଙ୍କ ଜବାବଦେହିତା ନିଶ୍ଚିତ କରିବା ସହ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯାଇଥିଲା।

ପଦଯାତ୍ରାରେ ରାଜ୍ୟର ବନ୍ୟା ପ୍ରଭାବିତ ଲୋକଙ୍କୁ ଯଥେଷ୍ଟ ସହାୟତା ଯୋଗାଇ ଦେବା, ପାଠ୍ୟପୁସ୍ତକର ତ୍ରୁଟି ସୁଧାରିବା ଏବଂ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସରକାର ତତ୍ପରତା ଦେଖାଇବାକୁ ଦାବି କରାଯାଇଥିଲା। ଏଥିସହ ଆସନ୍ତା ୮ ଅକ୍ଟୋବର ଓଡ଼ିଶା ବନ୍ଦକୁ ସମର୍ଥନ କରି ସହଯୋଗ କରିବାକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଜନସାଧାରଣଙ୍କୁ ଆହ୍ୱାନ ଦିଆଯାଇଥିଲା। ‘ଭୋଟ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ’ ନାରାରେ ପଦଯାତ୍ରା ପରିବେଶ ମୁଖରିତ ହୋଇଥିଲା। ଏଥିରେ ଜିଲ୍ଲା ସଭାପତି ଜୀବନ ସାର୍ଥକ, ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର ପଣ୍ଡା, ଅମିତା ବିଶ୍ୱାଳ, ସମ୍ପାଦକ ସଞ୍ଜୟ ମହାପାତ୍ର, ପୂର୍ବତନ ସଭାପତି ଭାରତ ଅବସ୍ତି, ଅଲେଖ କୁମାର, ମାନବ ଘୋଷ, ସଲିମ ଖାନ, ମୁସ୍ତଫା ୱାରିଶ, ନଗର ସଭାପତି ଦେବାନନ୍ଦ ବାରିକ, ଭାସ୍କର ପଟେଲ, ଯୁବ ସଭାପତି ଶାହରୁଖ ଖାନଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ। ସିପିଏମ୍ ନେତା ବାସୁଦେବ ଧରୁଆ ଓ ସମାଜବାଦୀ ଦଳର ଜାତୀୟ ସମ୍ପାଦକ ମହମ୍ମଦ ଅଖତର ମଧ୍ୟ ପଦଯାତ୍ରାରେ ସାମିଲ ହୋଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande