
ନୂଆଦିଲ୍ଲୀ, ଅକ୍ଟୋବର 7 (ହି.ସ) କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଏବଂ ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସେବାର ୨୫ ବର୍ଷ ପୂରଣ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶାହ ଗୁଜରାଟର ମୁଖ୍ୟମନ୍ତ୍ରୀରୁ ଦେଶର ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ତାଙ୍କର ଯାତ୍ରାକୁ ସ୍ମରଣ କରିବା ସହ ତାଙ୍କ ଶାସନ ଓ ବିକାଶମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଗୃହମନ୍ତ୍ରୀ ଶାହ ଆଜି ଏକ୍ସରେ ଲେଖିଛନ୍ତି, “ଅଦ୍ଭୁତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ସେବା ଓ ସମର୍ପଣର ୨୫ ବର୍ଷ ପୂରଣ କରିଥିବାରୁ ହୃଦୟରୁ ଅଭିନନ୍ଦନ। ଏହି ଯାତ୍ରା ଅକ୍ଳାନ୍ତ ପରିଶ୍ରମ, ଦୃଢ଼ ସଂକଳ୍ପ ଏବଂ ଦେଶକୁ ସର୍ବୋଚ୍ଚ ସ୍ଥାନରେ ରଖିବାର ଜୀବନ ଲକ୍ଷ୍ୟରେ ପରିପୂର୍ଣ୍ଣ ରହିଛି। ଆଜିର ଦିନ, ୦୭ ଅକ୍ଟୋବର ୨୦୦୧ରେ ମୋଦୀଜୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେବେଠାରୁ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବେ ସେବା, ସଂଘର୍ଷ ଓ ସମର୍ପଣର ତାଙ୍କ ନିରନ୍ତର ଯାତ୍ରା ଗରିବଙ୍କ କଲ୍ୟାଣ, ମହିଳା ସଶକ୍ତିକରଣ, ଯୁବପିଢ଼ିର ଅଗ୍ରଗତି ଏବଂ ସମାଜର ପ୍ରତ୍ୟେକ ବର୍ଗର ସମୃଦ୍ଧିର ପର୍ଯ୍ୟାୟବାଚୀ ହୋଇଛି।”
ସେ ଲେଖିଛନ୍ତି, “ସେବାର ୨୫ ବର୍ଷ ମଧ୍ୟରେ ମୋଦୀଜୀ ଲୋକକୈନ୍ଦ୍ରିକ ନୀତି, ତାହାର ସଠିକ୍ କାର୍ଯ୍ୟାନ୍ୱୟନ, ନିଷ୍ପତ୍ତି ନେବାର ଦୃଢ଼ତା, ସ୍ୱଚ୍ଛତା ଏବଂ ଫଳାଫଳର ନିଶ୍ଚିତତା ମାଧ୍ୟମରେ ଶାସନର ପରିଭାଷାକୁ ବଦଳାଇ ଦେଇଛନ୍ତି। ଏଥିସହିତ ‘କାମକୁ ଗୁରୁତ୍ୱ ଦେଉଥିବା ରାଜନୀତି’ର ଏକ ଆଦର୍ଶ ମଧ୍ୟ ସ୍ଥାପନ କରିଛନ୍ତି।”
ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକାଳକୁ ସ୍ମରଣ କରି ଶାହ କହିଛନ୍ତି ଯେ, ସେ ଭୂମିକମ୍ପରେ ଧ୍ୱଂସ ହୋଇଥିବା କଚ୍ଛର ପୁନର୍ନିର୍ମାଣ କରିଥିଲେ। ଜ୍ୟୋତିଗ୍ରାମ ଯୋଜନା ମାଧ୍ୟମରେ ବିଦ୍ୟୁତ୍ ଯୋଗାଣ ବୃଦ୍ଧି କରିଥିଲେ। ସୌର ଶକ୍ତି ପଦକ୍ଷେପ ଏବଂ ଭାଇବ୍ରାଣ୍ଟ ଗୁଜରାଟ ମାଧ୍ୟମରେ ନିବେଶ ଓ ଶିଳ୍ପକୁ ପ୍ରୋତ୍ସାହନ ଦେଇଥିଲେ। କୃଷି କ୍ଷେତ୍ରରେ ୮ ପ୍ରତିଶତରୁ ଅଧିକ ବିକାଶ ହାର ହାସଲ କରିଥିଲେ। ସେ କହିଛନ୍ତି ଯେ, ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଶାସନର ଏହି ଦୃଷ୍ଟିକୋଣକୁ ଜାତୀୟ ସ୍ତରରେ ଆହୁରି ବିସ୍ତାର କରାଯାଇଥିଲା।
ଶାହ ଲେଖିଛନ୍ତି, “ପ୍ରଧାନମନ୍ତ୍ରୀ ଭାବେ ଏହି ଦୃଷ୍ଟିକୋଣ ଆହୁରି ଆଗକୁ ବଢ଼ିଲା। ମହାକାଶଠାରୁ ସମୁଦ୍ର ପର୍ଯ୍ୟନ୍ତ ଏବଂ ବିଶ୍ୱ ମଞ୍ଚଠାରୁ ଆଭ୍ୟନ୍ତରୀଣ ସୁରକ୍ଷା ପର୍ଯ୍ୟନ୍ତ ଭାରତ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଲୋକଙ୍କ ଜୀବନରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିଛି। ୨୫ କୋଟି ଲୋକ ଦାରିଦ୍ର୍ୟ ସୀମାରୁ ବାହାରିଛନ୍ତି। ଲକ୍ଷ ଲକ୍ଷ ପରିବାରକୁ ପକ୍କା ଘର, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ସୁବିଧା, ଉଜ୍ଜ୍ୱଳା ଗ୍ୟାସ୍ ସଂଯୋଗ ଏବଂ ପ୍ରତ୍ୟେକ ଘରକୁ ନଳ ମାଧ୍ୟମରେ ପାଣି ଯୋଗାଣ ସୁବିଧା ମିଳିଛି।”
ସେ କହିଛନ୍ତି, “ଆଜି ଶ୍ରୀ ମୋଦୀଜୀଙ୍କ ନେତୃତ୍ୱରେ ଭାରତ ଦ୍ରୁତଗତିରେ ବଢ଼ୁଥିବା ଅର୍ଥନୀତି ସହ ମାନୁଫାକ୍ଚରିଂ, ଡିଜିଟାଲ ପେମେଣ୍ଟ, ଷ୍ଟାର୍ଟଅପ୍, ସେମିକଣ୍ଡକ୍ଟର, ପ୍ରତିରକ୍ଷା ଉତ୍ପାଦନ ଏବଂ ଅକ୍ଷୟ ଶକ୍ତି ଭଳି କ୍ଷେତ୍ରରେ ନୂଆ ଉଚ୍ଚତା ଛୁଇଁଛି। ଯୁଦ୍ଧ ଓ ଅସ୍ଥିରତାର ଏହି ସମୟରେ ଭାରତ ଶାନ୍ତି ଓ ସଦ୍ଭାବ ପାଇଁ ଏକ ପ୍ରମୁଖ ବିଶ୍ୱସ୍ତରୀୟ ସ୍ୱର ଭାବେ ଉଭା ହୋଇଛି। ଶ୍ରୀ ମୋଦୀଜୀ କୋଟି କୋଟି ଦେଶବାସୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଜାଗ୍ରତ କରିଛନ୍ତି। ‘ବିକଶିତ ଭାରତ’ର ମନ୍ତ୍ର ଦେଇଛନ୍ତି ଏବଂ ୨୦୪୭ ସୁଦ୍ଧା ଭାରତକୁ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଣୀ କରିବାର ସଂକଳ୍ପ ନେବାକୁ ପ୍ରେରିତ କରିଛନ୍ତି। ତାଙ୍କ ନେତୃତ୍ୱରେ ସେବା କାର୍ଯ୍ୟରେ ଭାଗୀଦାର ହେବା ଆମ ସମସ୍ତଙ୍କ ପାଇଁ ସୌଭାଗ୍ୟ ଓ ଗର୍ବର ବିଷୟ।”
ସିକ୍କିମ ମୁଖ୍ୟମନ୍ତ୍ରୀ ପିଏସ୍ ତମାଙ୍ଗ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନସେବାରେ ୨୫ ବର୍ଷ ପୂରଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଫେସବୁକ୍ ପୋଷ୍ଟରେ ତମାଙ୍ଗ ଲେଖିଛନ୍ତି, “ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଜନସେବାରେ ୨୫ ଗୌରବମୟ ବର୍ଷ ପୂରଣ କରିଥିବାର ଏହି ଐତିହାସିକ ଓ ଗୁରୁତ୍ୱପୂର୍ଣ୍ଣ ଅବସରରେ ସିକ୍କିମବାସୀ ଓ ସରକାରଙ୍କ ପକ୍ଷରୁ ମୁଁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି।”
ସେ ଲେଖିଛନ୍ତି, “୦୭ ଅକ୍ଟୋବର ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାଠାରୁ ଭାରତର ମାନନୀୟ ପ୍ରଧାନମନ୍ତ୍ରୀ ଭାବେ ସେବା କରିବା ପର୍ଯ୍ୟନ୍ତ ଶ୍ରୀ ମୋଦୀଜୀଙ୍କ ଗୌରବମୟ ଯାତ୍ରା ନିଃସ୍ୱାର୍ଥ ସେବା, ସୁଶାସନ ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ତାଙ୍କର ଅଟଳ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ସିକ୍କିମବାସୀ ଓ ସରକାର ମାନନୀୟ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ସହଯୋଗ, ମାର୍ଗଦର୍ଶନ, ସ୍ନେହ ଓ ଆଶୀର୍ବାଦ ପାଇଁ ଅତ୍ୟନ୍ତ କୃତଜ୍ଞ। ମୁଁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଶକ୍ତି ଓ ଦୀର୍ଘାୟୁ କାମନା କରୁଛି, ଯାହାଦ୍ୱାରା ସେ ଦେଶକୁ ଆହୁରି ଅଗ୍ରଗତି, ସମୃଦ୍ଧି, ଶାନ୍ତି ଓ ବିଶ୍ୱ ନେତୃତ୍ୱ ଦିଗରେ ଆଗେଇ ନେଇଚାଲନ୍ତୁ। ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ସହ...।”
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା