କାଲି ଓଡ଼ିଶା ବନ୍ଦ
ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ.)- କେନ୍ଦ୍ର ସରକାରଙ୍କ ଏମଏମଡିଆର ଆଇନ୍ ପ୍ରତ୍ୟାହାର, ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ ରାଜ୍ୟରେ ବହି ତ୍ରୁଟି ପ୍ରତିବାଦରେ ଆସନ୍ତାକାଲି (ଗୁରୁବାର) ୧୨ ଘଂଟିଆ ବନ୍ଦ ଡାକରା ଦେଇଛି ରାଜ୍ୟ କଂଗ୍ରେସ। ବନ୍ଦ ନେଇ କଂଗ୍ରେସ କହିଛି, ଏ ବନ୍ଦ ଶାନ୍ତିପୂର୍ଣ
କାଲି ଓଡ଼ିଶା ବନ୍ଦ


ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ.)- କେନ୍ଦ୍ର ସରକାରଙ୍କ ଏମଏମଡିଆର ଆଇନ୍ ପ୍ରତ୍ୟାହାର, ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ ରାଜ୍ୟରେ ବହି ତ୍ରୁଟି ପ୍ରତିବାଦରେ ଆସନ୍ତାକାଲି (ଗୁରୁବାର) ୧୨ ଘଂଟିଆ ବନ୍ଦ ଡାକରା ଦେଇଛି ରାଜ୍ୟ କଂଗ୍ରେସ।

ବନ୍ଦ ନେଇ କଂଗ୍ରେସ କହିଛି, ଏ ବନ୍ଦ ଶାନ୍ତିପୂର୍ଣ୍ଣ ରହିବ। ମେଡିକାଲ, ଔଷଧ ଦୋକାନ ଓ ଆମ୍ବୁଲାନ୍ସ ଭଳି ଅତ୍ୟାବଶ୍ୟକ ସେବା, ବନ୍ଦରୁ ବାଦ ପଡ଼ିବେ। କିନ୍ତୁ ବସ୍, ଟ୍ରେନ୍ ଭଳି ଯାତାୟାତ ସେବାକୁ ରୋକାଯିବା ସହ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନ ଆଗରେ ପିକେଟିଂ କରାଯିବ। ବନ୍ଦକୁ ସଫଳ କରିବା ପାଇଁ ବସ୍, ଅଟୋ, ଟ୍ରକ୍ ଓ ଅନ୍ୟାନ୍ୟ ସାଧାରଣ/ବାଣିଜ୍ୟିକ ଯାତାୟାତ ବନ୍ଦ ରଖିବା ପାଇଁ କଂଗ୍ରେସ ଅନୁରୋଧ କରିଛି। କଂଗ୍ରେସ କହିଛି କୌଣସି ହସ୍ପିଟାଲ୍ କିମ୍ବା ଚିକିତ୍ସାସେବାକୁ ବନ୍ଦ କରାଯିବ ନାହିଁ। ଛାତ୍ର -ଛାତ୍ରୀ ମାନଙ୍କର ସମସ୍ତ ପ୍ରକାରର ପରୀକ୍ଷା ପାଇଁ କୌଣସି ବାଧା ରହିବ ନାହିଁ।୧୦୨ ଓ ସମସ୍ତ ପ୍ରକାରର ଆମ୍ବୁଲାନ୍ସକୁ କୌଣସି ପରିସ୍ଥିତିରେ ଅଟକାଯିବ ନାହିଁ। ରୋଗୀଙ୍କୁ ହସ୍ପିଟାଲ୍ ନେଉଥିବା ଯେକୌଣସି ଗାଡ଼ିକୁ ତୁରନ୍ତ ରାସ୍ତା ଦିଆଯିବ। ଅଗ୍ନିଶମ ବାହିନୀ, ଉଦ୍ଧାରକାରୀ ଦଳ ଓ ଜରୁରୀ ସେବାର ଯାନବାହନକୁ ସମ୍ପୂର୍ଣ୍ଣ ମୁକ୍ତ ରାସ୍ତା ଦିଆଯିବ। ଔଷଧ ଦୋକାନ, ଜନ ଔଷଧି କେନ୍ଦ୍ର ଓ ଜରୁରୀ ଚିକିତ୍ସା ସାମଗ୍ରୀର ଯୋଗାଣକୁ ବନ୍ଦରେ ସାମିଲ କରାଯିବ ନାହିଁ।ଦୁଧ ବିତରଣ କେନ୍ଦ୍ର, ଦୁଧ ଗାଡ଼ି ଓ ଆବଶ୍ୟକ ଦୁଧ ଯୋଗାଣ ବନ୍ଦରୁ ବାହାରେ ରହିବ।

ବିରୋଧୀଙ୍କ କାଲିର ବନ୍ଦ ଡାକରାକୁ ରାଜ୍ୟର କିଛି ଗୋଷ୍ଠୀ ସମର୍ଥନ ଜଣାଇଥିବା ବେଳେ ଆଉ କିଛି ସାମିଲ ହେବେ ନାହିଁ ସୂଚନା ଦେଇଛନ୍ତି। ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଏ ବନ୍ଦରେ ସାମିଲ ହେଉନି। ଯଦି ସରକାର ସୁରକ୍ଷା ଯୋଗାଇ ଦିଅନ୍ତି, ତେବେ ରାସ୍ତାରେ ବସ୍ ସେବା ଜାରି ରହିବ ବୋଲି ସଂଘ କହିଛି। ତେବେ ସୁରକ୍ଷା ଦୃଷ୍ଟିରୁ ରାଜ୍ୟରେ ଅଟୋ ସେବା ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଥିବା କହିଛନ୍ତି ନିଖିଳ ଉତ୍କଳ ଅଟୋ ଚାଳଖ ସଂଘର ସାଧାରଣ ସମ୍ପାଦକ। ସେହିପରି କଟକ ମାଲଗୋଦାମ ବ୍ୟବସାୟୀ ସଂଘ ଏହି ବନ୍ଦକୁ ସମର୍ଥନ କରିବା ସ୍ଥିତିରେ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜଧାନୀରେ ୧୮ ପ୍ଲାଟୁନ୍ ଫୋର୍ସ ସହ ୧୦୦ ଅଫିସରଙ୍କୁ ପ୍ରସ୍ତୁତ ରଖାଯାଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande