ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ପୂରଣ, ବିର୍ଲା ଓ ଅନ୍ୟମାନେ କହିଲେ- ଏହା ଜନକଲ୍ୟାଣର ଯାତ୍ରା
ନୂଆଦିଲ୍ଲୀ, ଅକ୍ଟୋବର 7(ହି.ସ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଥିବା ଅବସରରେ ଲୋକସଭା ବାଚସ୍ପତି ଓମ ବିର୍ଲା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ, କେନ୍ଦ୍ରମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, ଶିବରାଜ ସିଂହ ଚୌହାନ,
प्रधानमंत्री नरेन्द्र मोदी


ନୂଆଦିଲ୍ଲୀ, ଅକ୍ଟୋବର 7(ହି.ସ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଥିବା ଅବସରରେ ଲୋକସଭା ବାଚସ୍ପତି ଓମ ବିର୍ଲା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ, କେନ୍ଦ୍ରମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, ଶିବରାଜ ସିଂହ ଚୌହାନ, ଗିରିରାଜ ସିଂହ, ପୀୟୂଷ ଗୋୟଲ, ହରଦୀପ ସିଂହ ପୁରୀଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ୭ ଅକ୍ଟୋବର ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସରକାରର ମୁଖ୍ୟ ଭାବେ ନିଜର ଯାତ୍ରା ଆରମ୍ଭ କରିଥିଲେ। ସେ ୨୦୧୪ ମସିହାରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ।

ବିର୍ଲା ଏକ୍ସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ରାଷ୍ଟ୍ର ପ୍ରଥମ ଏବଂ ଜନକଲ୍ୟାଣର ସଂକଳ୍ପ ସହ ସାର୍ବଜନୀନ ଜୀବନରେ ସରକାରର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିବା ତାଙ୍କର ରାଷ୍ଟ୍ର ପ୍ରତି ଅଟଳ ସମର୍ପଣର ଏକ ପ୍ରେରଣାଦାୟୀ ଗାଥା। ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ସୁଶାସନର ନୂଆ ଉଦାହରଣ ସୃଷ୍ଟି କରିବାଠାରୁ ଦେଶର ପ୍ରଧାନ ସେବକ ଭାବେ ଭାରତକୁ ନୂଆ ଦିଗ ଦେବା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଉଲ୍ଲେଖନୀୟ ରହିଛି।

ସେ କହିଛନ୍ତି ଯେ, ସମ୍ବିଧାନ ଓ ସାମ୍ବିଧାନିକ ସଂସ୍ଥାଗୁଡ଼ିକର ମର୍ଯ୍ୟାଦା ସହ ସଂସଦରେ ଗଣତାନ୍ତ୍ରିକ ଆଲୋଚନା ଓ ସହମତିକୁ ପ୍ରୋତ୍ସାହନ ଦେବା ଉପରେ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ଗୁରୁତ୍ୱ ରହିଛି। ଅନ୍ତ୍ୟୋଦୟରୁ ଆତ୍ମନିର୍ଭରତା, ଗରିବ କଲ୍ୟାଣରୁ ସଶକ୍ତ ଭାରତ ଏବଂ ବିକାଶରୁ ଐତିହ୍ୟର ସୁରକ୍ଷା ପର୍ଯ୍ୟନ୍ତ ଅନେକ କାର୍ଯ୍ୟ ଦେଶର ପ୍ରଗତି ପାଇଁ ନୂଆ ଭିତ୍ତି ପ୍ରସ୍ତୁତ କରିଛି।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷର ଯାତ୍ରା ରାଷ୍ଟ୍ରସେବା, ସୁଶାସନ ଓ ଜନକଲ୍ୟାଣର ପର୍ଯ୍ୟାୟବାଚୀ ହୋଇଛି। ୭ ଅକ୍ଟୋବର ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଆରମ୍ଭ ହୋଇଥିବା ଏହି ଯାତ୍ରା ‘ରାଷ୍ଟ୍ର ପ୍ରଥମ, ସର୍ବଦା ପ୍ରଥମ’ର ମୂଳମନ୍ତ୍ର ସହ ଆଗକୁ ବଢ଼ିଛି। ତାଙ୍କ ନେତୃତ୍ୱରେ ଜନକଲ୍ୟାଣମୂଳକ କାର୍ଯ୍ୟର ବିସ୍ତାର ହୋଇଛି ଏବଂ କୋଟି କୋଟି ଲୋକଙ୍କୁ ଘର, ପାଣି, ଶୌଚାଳୟ, ଗ୍ୟାସ୍ ସଂଯୋଗ ଓ ବ୍ୟାଙ୍କିଂ ଭଳି ମୌଳିକ ସୁବିଧା ଉପଲବ୍ଧ ହୋଇଛି।

ସିଂହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସୁଶାସନ ସୁଦୃଢ଼ ହୋଇଛି ଏବଂ ଭାରତ ଆତ୍ମନିର୍ଭରତା ଦିଗରେ ଆଗକୁ ବଢ଼ୁଛି। ଯୁବପିଢ଼ି ପାଇଁ ରୋଜଗାର ଓ ସୁଯୋଗ, ଉଦ୍ୟୋଗୀତା, ଷ୍ଟାର୍ଟଅପ୍ ଏବଂ ନବସୃଜନକୁ ପ୍ରୋତ୍ସାହନ ମିଳିଛି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷର ଯାତ୍ରା ଏକ ସମାପ୍ତି ନୁହେଁ, ବରଂ ଆଗାମୀ ରାଷ୍ଟ୍ରସେବାର ଏକ ପର୍ଯ୍ୟାୟ।

ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ସଂକଳ୍ପକୁ କାର୍ଯ୍ୟରୂପ ଦେବାର ଯାତ୍ରା। ଗୁଜରାଟରୁ ପ୍ରଧାନମନ୍ତ୍ରୀ ପଦ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଜନସାଧାରଣଙ୍କ ଆକାଂକ୍ଷା ସହ ଜଡ଼ିତ ରହିଛି। ସେ ଏହାକୁ ସେବା, ପ୍ରତିବଦ୍ଧତା ଏବଂ ବିକଶିତ ଭାରତ ନିର୍ମାଣର ନିରନ୍ତର ସଂକଳ୍ପର ଯାତ୍ରା ବୋଲି କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ନଡ୍ଡା କହିଛନ୍ତି ଯେ, ରାଷ୍ଟ୍ରହିତ ଓ ଜନସେବା ପାଇଁ ସମର୍ପିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୫ ବର୍ଷ ଅଟଳ ପ୍ରତିବଦ୍ଧତାର ପ୍ରତୀକ। ଅନ୍ତ୍ୟୋଦୟକୁ ଲକ୍ଷ୍ୟ କରି ଗରିବ, ବଞ୍ଚିତ ଓ ପଛୁଆ ବର୍ଗର ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ପ୍ରତିବଦ୍ଧତା ପ୍ରଧାନମନ୍ତ୍ରୀଙ୍କ ସାର୍ବଜନୀନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ପକ୍ଷ ରହିଛି। ତାଙ୍କ ନେତୃତ୍ୱରେ ଭାରତ ବିକାଶ, ଆତ୍ମନିର୍ଭରତା ଏବଂ ବିଶ୍ୱସ୍ତରରେ ନିଜର ସ୍ଥିତି ସୁଦୃଢ଼ କରିବା ଦିଗରେ ଅନେକ ପଦକ୍ଷେପ ନେଇଛି।

କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ୭ ଅକ୍ଟୋବର ୨୦୦୧ରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ଯାତ୍ରାକୁ ରାଷ୍ଟ୍ରସେବା, ଜନକଲ୍ୟାଣ ଏବଂ ବିକଶିତ ଓ ଆତ୍ମନିର୍ଭର ଭାରତ ନିର୍ମାଣ ସହ ଜଡ଼ିତ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପରିଶ୍ରମ, ପ୍ରୟାସ, ଧୈର୍ଯ୍ୟ ଓ ଉତ୍ସାହ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ସେ କହିବା ସହ ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ ଓ ଦୀର୍ଘାୟୁ ଜୀବନ କାମନା କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ, ସେବାକୁ ସାଧନା, ରାଷ୍ଟ୍ରକୁ ସର୍ବୋପରି ଏବଂ ଜନକଲ୍ୟାଣକୁ ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦୀ ସାର୍ବଜନୀନ ଜୀବନର ୨୫ ବର୍ଷ ପୂରଣ କରିଛନ୍ତି। ଗୁଜରାଟର ମୁଖ୍ୟମନ୍ତ୍ରୀରୁ ଦେଶର ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ଯାତ୍ରାରେ ସଂକଳ୍ପ, ସୁଶାସନ ଓ ସେବା ସାଙ୍ଗସାଙ୍ଗରେ ଚାଲିଛି। ଗରିବ କଲ୍ୟାଣ, ମହିଳା ସଶକ୍ତିକରଣ, ଯୁବଶକ୍ତି ଏବଂ ଆତ୍ମନିର୍ଭର ଭାରତ ନିର୍ମାଣ ମାଧ୍ୟମରେ ବିକାଶକୁ ଜନସାଧାରଣଙ୍କ ଜୀବନ ସହ ଯୋଡ଼ିବାର ପ୍ରୟାସ କରାଯାଇଛି।

କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷର ଯାତ୍ରାକୁ ଆହ୍ୱାନ ମଧ୍ୟରେ ସମାଧାନ ଖୋଜିବା ଏବଂ ସଙ୍କଟକୁ ସୁଯୋଗରେ ପରିଣତ କରିବାର ଚିନ୍ତାଧାରା ସହ ଯୋଡ଼ିଛନ୍ତି। ସେ କହିଛନ୍ତି ଯେ, ବିଶ୍ୱ ଶକ୍ତି ସଙ୍କଟ ଏବଂ କୋଭିଡ୍ ମହାମାରୀ ଭଳି ପରିସ୍ଥିତିରେ ଭାରତ କଠିନ ଆହ୍ୱାନର ସମ୍ମୁଖୀନ ହୋଇଛି। ସେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତର ଅଭିଜ୍ଞତା ଏବଂ ୨୦୧୫ ମସିହାରେ ନେପାଳର ଭୂମିକମ୍ପ ପରେ ଚାଲିଥିବା ‘ଅପରେସନ ମୈତ୍ରୀ’ର ମଧ୍ୟ ଉଲ୍ଲେଖ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ବିହାରର ବେଗୁସରାଇରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ପୂରଣ ଅବସରରେ ଆୟୋଜିତ ‘ବିକଶିତ ଭାରତ ସଂକଳ୍ପ ସଭା’ର ଉଲ୍ଲେଖ କରି କହିଛନ୍ତି ଯେ, କାର୍ଯ୍ୟକ୍ରମକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଓ ଉତ୍ସୁକତା ଦେଖାଯାଇଥିଲା। ସେ ଏହାକୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ବିକାଶକୁ ନେଇ ଜନସାଧାରଣଙ୍କ ଭାବନା ସହ ଯୋଡ଼ିଛନ୍ତି।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନସେବାର ୨୫ ବର୍ଷ ପୂରଣ ଅବସରରେ ଶ୍ରୀ ବିନାୟକ ମନ୍ଦିରରେ ପୂଜାର୍ଚ୍ଚନା କରିଥିବାର ଉଲ୍ଲେଖ କରି କହିଛନ୍ତି ଯେ, ଗଣପତିଙ୍କ କୃପାରେ ରାଷ୍ଟ୍ରସେବାର ଏହି ଯାତ୍ରା ଭାରତର ଉତ୍କର୍ଷ ଓ ଜନକଲ୍ୟାଣର ପଥ ପ୍ରଶସ୍ତ କରିଚାଲୁ।

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି ଯେ, ୭ ଅକ୍ଟୋବର ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନସେବା ଯାତ୍ରା ୨୫ ବର୍ଷର ଗୌରବମୟ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଯାତ୍ରା ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ’ର ସଂକଳ୍ପକୁ ସାକାର କରିବାର ନିରନ୍ତର ସାଧନା ବୋଲି ସେ କହିଛନ୍ତି। ଯାଦବ କରୋନା ସଙ୍କଟର ମୁକାବିଲା, ଧାରା ୩୭୦, ନକ୍ସଲବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଆୟୁଷ୍ମାନ ଭାରତ, ଉଜ୍ଜ୍ୱଳା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଯୋଜନାର ଉଲ୍ଲେଖ କରିଛନ୍ତି।

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ପୂରଣ ଅବସରରେ ରାଜସ୍ଥାନବାସୀଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଗୁଜରାଟର ମୁଖ୍ୟମନ୍ତ୍ରୀରୁ ଦେଶର ପ୍ରଧାନ ସେବକ ପର୍ଯ୍ୟନ୍ତ ଯାତ୍ରାକୁ ସୁଶାସନ ଓ ସ୍ୱଚ୍ଛତା ସହ ଯୋଡ଼ିବା ସହ ଗୁଜରାଟରେ ଜଳ ସଙ୍କଟ, ବାଳିକା ଶିକ୍ଷା, ଶିଳ୍ପ ଓ କୃଷି କ୍ଷେତ୍ରରେ କରାଯାଇଥିବା କାର୍ଯ୍ୟର ଉଲ୍ଲେଖ କରିଛନ୍ତି।

ଶର୍ମା କହିଛନ୍ତି ଯେ, ଗତ ୨୫ ବର୍ଷରେ ସଡ଼କ, ରେଳ ଓ ଡିଜିଟାଲ ଭିତ୍ତିଭୂମିଠାରୁ ଆରମ୍ଭ କରି ପ୍ରତିରକ୍ଷା ଉତ୍ପାଦନ, ମହାକାଶ ଓ ସେମିକଣ୍ଡକ୍ଟର ଭଳି କ୍ଷେତ୍ରରେ ଭାରତ ପ୍ରଗତି କରିଛି। ପ୍ରଧାନମନ୍ତ୍ରୀଙ୍କ ‘ବିକଶିତ ଭାରତ’ର ସଂକଳ୍ପକୁ ସାକାର କରିବା ପାଇଁ ରାଜସ୍ଥାନ ପ୍ରତିବଦ୍ଧ ବୋଲି ସେ କହିବା ସହ ପ୍ରଧାନମନ୍ତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ ନିରନ୍ତର ମାର୍ଗଦର୍ଶନ କାମନା କରିଛନ୍ତି।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande