
ଝାରସୁଗୁଡ଼ା, ୦୭ ଅକ୍ଟୋବର (ହି.ସ.) - ଆଗାମୀ ପୂଜାକୁ ଶାନ୍ତିଶୃଙ୍ଖଳା ଓ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ନିମନ୍ତେ ବ୍ରଜରାଜନଗର ପୌରପାଳିକା ସମ୍ମିଳନୀ କକ୍ଷରେ ଏକ ଶାନ୍ତି କମିଟି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୌର ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ। ପୂଜା ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିୟମାବଳୀ ଓ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ସହରରେ ଶାନ୍ତି ଏବଂ ଭାଇଚାରା ବଜାୟ ରଖିବା ଉପରେ ମୁଖ୍ୟ ଗୁରୁତ୍ୱାରୋପ କରାଯାଇଥିଲା।
ବୈଠକରେ ଏସଡିପିଓ ଚିନ୍ତାମଣି ପ୍ରଧାନ, ବ୍ରଜରାଜନଗର ଥାନା ଅଧିକାରୀ ଧବଳେଶ୍ୱର ସାହୁ, ଓରିଏଣ୍ଟ ଥାନା ଅଧିକାରୀ ତୁଷାର ମହାନ୍ତି ଏବଂ ଅନ୍ୟାନ୍ୟ ପୋଲିସ ଅଧିକାରୀମାନେ ଯୋଗଦେଇ ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ଏଥିସହ ପୂଜା ମଣ୍ଡପଗୁଡ଼ିକରେ ନିରାପତା ସୁନିଶ୍ଚିତ କରିବା ଏବଂ ସାମାଜିକ ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଥିଲା। ଏହା ବ୍ୟତୀତ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଏସଡିଓ ସୁରଥ ନାୟକ, ଟିପିଡବ୍ଲ୍ୟୁଓଡିଏଲ ଏସଡିଓ ଶ୍ରୀକାନ୍ତ ବେହେରା, ଏମସିଏଲ୍ କର୍ତୃପକ୍ଷ, ଅଗ୍ନିଶମ ବାହିନୀ ଓ ୱାଟକୋର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଉତ୍ସବ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ପାନୀୟ ଜଳ ବ୍ୟବସ୍ଥା, ରାସ୍ତା ମରାମତି ଓ ଅଗ୍ନି ନିର୍ବାପକ ପଦକ୍ଷେପ ଉପରେ ସମୀକ୍ଷା କରିଥିଲେ। ସ୍ଥାନୀୟ ବିଭିନ୍ନ ପୂଜା କମିଟିର ସଦସ୍ୟମାନେ ଉପସ୍ଥିତ ରହି ପ୍ରଶାସନର ସମସ୍ତ ନିର୍ଦ୍ଦେଶାବଳୀକୁ ସମ୍ପୂର୍ଣ୍ଣ ସହଯୋଗ କରି ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ପୂଜା ସମାପନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ