
ମାଲକାନଗିରି , ୭ ଅକ୍ଟୋବର (ହି.ସ.)ସେବା ହିଁ ପରମ ଧର୍ମ ଏବଂ ‘ସେବା ସ୍ୱାର୍ଥର ଊର୍ଦ୍ଧ୍ୱରେ’ ଆଦର୍ଶକୁ ପାଥେୟ କରି ମାଲକାନଗିରି ରୋଟାରୀ କ୍ଲବ୍ ଦିଲ୍ଲୀପ କୁମାର ସୋମାନି ଙ୍କ ନୃତୃତ୍ୱରେ ଏକ ନିଆରା ସମାଜସେବା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
ରୋଟାରୀ କ୍ଲବ୍ର ସଦସ୍ୟ ଜଗଦୀଶ ତ୍ରିପାଠିଙ୍କ ପତ୍ନୀ ମୌସମୀ ତ୍ରିପାଠୀ ଙ୍କ ଜନ୍ମଦିନ ଉପଲକ୍ଷେ ମହିଳା ସ୍ୱାସ୍ଥ୍ୟ ଓ ଋତୁସ୍ରାବ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ବଡ଼ ଦିଦି ଫାଉଣ୍ଡେସନକୁ ୭୫୦ ପ୍ୟାକେଟ୍ ସାନିଟାରୀ ପ୍ୟାଡ୍ ପ୍ରଦାନ କରାଯାଇଛି।ବିଶେଷକରି ଗ୍ରାମାଞ୍ଚଳର କିଶୋରୀ ଓ ମହିଳାମାନଙ୍କ ମଧ୍ୟରେ ମାସିକ ଋତୁସ୍ରାବ ସମୟରେ ସ୍ୱଚ୍ଛତା ରକ୍ଷା ଏବଂ ସାନିଟାରୀ ପ୍ୟାଡ୍ ବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ। ଏହି ପରିପ୍ରେକ୍ଷୀରେ ରୋଟାରୀ କ୍ଲବ୍ର ଏଭଳି ଉଦ୍ୟମ ସମାଜ ପାଇଁ ଏକ ସକାରାତ୍ମକ ବାର୍ତ୍ତା ବହନ କରୁଛି।ଜନ୍ମଦିନକୁ କେବଳ ବ୍ୟକ୍ତିଗତ ଉତ୍ସବ ମଧ୍ୟରେ ସୀମିତ ନ ରଖି ସମାଜର ଆବଶ୍ୟକତା ଥିବା ମହିଳାମାନଙ୍କ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ପାଇଁ ଏଭଳି ସହାୟତା ପ୍ରଦାନ କରିବା ଏକ ପ୍ରଶଂସନୀୟ ପଦକ୍ଷେପ।ମାଲକାନଗିରି ରୋଟାରୀ କ୍ଲବ୍ ର ଏହି ସେବାମୂଳକ ପ୍ରୟାସ ଅନ୍ୟମାନଙ୍କୁ ମଧ୍ୟ ବିଭିନ୍ନ ବିଶେଷ ଅବସରରେ ସମାଜସେବା ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ