ବ୍ରଜରାଜନଗର ପୌରପରିଷଦ ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ
Swachhata hin seva at Brajrajnagar
ବ୍ରଜରାଜନଗର ପୌରପରିଷଦ ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା’


ଝାରସୁଗୁଡ଼ା, 07 ଅକ୍ଟୋବର (ହି.ସ.) - ସ୍ୱଚ୍ଛତା ହିଁ ସେବା’ ଅଭିଯାନ ତଥା ପ୍ରଧାନମନ୍ତ୍ରୀଙ୍କ ସଫଳ ୨୫ ବର୍ଷର ଲୋକସେବା ପୂର୍ତ୍ତି ଉପଲକ୍ଷେ ବ୍ରଜରାଜନଗର ପୌରପରିଷଦ ପକ୍ଷରୁ ଆଜି ଏକ ସ୍ୱତନ୍ତ୍ର ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସହରରେ ସ୍ୱଚ୍ଛତା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପୌର ପ୍ରଶାସନ ତରଫରୁ ଏକ ବିଶାଳ ବାଇକ୍ ରାଲି ବାହାର କରାଯାଇ ସହର ପରିକ୍ରମା କରାଯାଇଥିଲା। ଏହି ରାଲି ମାଧ୍ୟମରେ ନାଗରିକମାନଙ୍କୁ ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ବାର୍ତ୍ତା ଦିଆଯାଇଥିଲା। ବାଇକ୍ ରାଲି ପରେ ସହରର ବିଭିନ୍ନ ପୂଜା ମଣ୍ଡପ, ପ୍ରମୁଖ ଛକ ଏବଂ ଅଧିକ ଭିଡ଼ ପରିଲକ୍ଷିତ ହେଉଥିବା ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ଏକ ବ୍ୟାପକ ସାମୂହିକ ସଫେଇ ଅଭିଯାନ ହାତକୁ ନିଆଯାଇଥିଲା। ପୂଜା ଋତୁକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁ ତଥା ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ ପରିବେଶକୁ ପରିଷ୍କାର-ପରିଚ୍ଛନ୍ନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବ୍ରଜରାଜନଗର ପୌରପରିଷଦର ଅଧ୍ୟକ୍ଷ ଗୋପାଳ ସୀତାନୀ, ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ, କାଉନସିଲରବୃନ୍ଦ, ‘ସୁଭଦ୍ରା ଶକ୍ତି’ର ସଦସ୍ୟା, ସ୍ୱଚ୍ଛ କର୍ମୀ ତଥା ସ୍ଥାନୀୟ ବୁଦ୍ଧିଜୀବୀ ଓ ନାଗରିକମାନେ ବିପୁଳ ଉତ୍ସାହର ସହିତ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତ ଅତିଥି ଓ ଜନସାଧାରଣ ନିଜ ଅଞ୍ଚଳକୁ ସ୍ୱଚ୍ଛ ରଖିବା ସହ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ନିଷ୍ଠାପର ଅବଦାନ ରଖିବା ପାଇଁ ସାମୂହିକ ଶପଥ ଗ୍ରହଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande