
ଚେନ୍ନାଇ, ୦୭ ଅକ୍ଟୋବର (ହି.ସ.)- ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟ ବୁଧବାର ଚେନ୍ନାଇର ମାଧବରମ୍ ସ୍ଥିତ ଆଭିନ୍ କ୍ଷୀର ପ୍ଲାଂଟର ନିରୀକ୍ଷଣ କରିଥିଲେ। ଏହି ସମୟରେ ସେ ତାମିଲନାଡୁ ଦୁଗ୍ଧ ଉତ୍ପାଦକ ସଂଘ ପକ୍ଷରୁ ୨.୨୩ କୋଟି ଟଙ୍କା ବ୍ୟୟରେ ନିର୍ମିତ କେନ୍ଦ୍ରୀୟ ରାଜ୍ୟ ପରୀକ୍ଷାଗାରର ସହାୟକ ଭବନର ଉଦ୍ଘାଟନ ମଧ୍ୟ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ତାଙ୍କ ଦଳର କାର୍ଯ୍ୟକର୍ତା ଏବଂ ପ୍ରଶଂସକମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଇଥିଲା।
ମାଧବରମ୍ ସ୍ଥିତ ଆଭିନ୍ ପ୍ଲାଂଟ ଚେନ୍ନାଇ ଏବଂ ଆଖପାଖ ଅଂଚଳରେ କ୍ଷୀର ଯୋଗାଣର ପ୍ରମୁଖ କେନ୍ଦ୍ର ଅଟେ। ସମ୍ପ୍ରତି ତାମିଲନାଡୁର ବିଭିନ୍ନ ଅଂଚଳରେ ଆଭିନ୍ କ୍ଷୀରର ଉପଲବ୍ଧତାକୁ ନେଇ ଅଭିଯୋଗ ସାମ୍ନାକୁ ଆସିଥିଲା। ଏହା ବ୍ୟତୀତ ଦୁଗ୍ଧଜାତ ଉତ୍ପାଦର କ୍ରୟ ଏବଂ ମୂଲ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଥିଲା। ଏହି ପୃଷ୍ଠଭୂମିରେ ମୁଖ୍ୟମନ୍ତ୍ରୀଙ୍କ ପ୍ଲାଂଟ ନିରୀକ୍ଷଣକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।
ମୁଖ୍ୟମନ୍ତ୍ରୀ ପ୍ଲାଂଟ ପରିସରରେ ୨.୨୩ କୋଟି ଟଙ୍କା ବ୍ୟୟରେ ନିର୍ମିତ କେନ୍ଦ୍ରୀୟ ରାଜ୍ୟ ପରୀକ୍ଷାଗାରର ସହାୟକ ଭବନର ଉଦ୍ଘାଟନ କରିଥିଲେ। ଏହି ପରୀକ୍ଷାଗାରର ନିର୍ମାଣ କ୍ଷୀର ଏବଂ ବିଭିନ୍ନ ଦୁଗ୍ଧଜାତ ଉତ୍ପାଦର ଅତ୍ୟାଧୁନିକ ଉପକରଣ ମାଧ୍ୟମରେ ସଠିକ୍ ଯାଂଚ ପାଇଁ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍)ର ନିର୍ଦ୍ଦେଶାବଳୀ ଅନୁରୂପ କରାଯାଇଛି।
ନୂଆ ପରୀକ୍ଷାଗାର ମାଧ୍ୟମରେ କ୍ଷୀର ଏବଂ ଦୁଗ୍ଧଜାତ ଉତ୍ପାଦର ଗୁଣବତା ତଥା ନିର୍ଦ୍ଧାରିତ ମାନଦଣ୍ଡର ଯାଂଚକୁ ଅଧିକ ପ୍ରଭାବଶାଳୀ କରିବାରେ ସହାୟତା ମିଳିବ। ଏହାଦ୍ୱାରା ଉପଭୋକ୍ତାମାନଙ୍କ ପାଖରେ ଗୁଣବତାପୂର୍ଣ୍ଣ କ୍ଷୀର ଏବଂ ଦୁଗ୍ଧଜାତ ଉତ୍ପାଦ ପହଂଚାଇବାର ବ୍ୟବସ୍ଥାକୁ ସୁଦୃଢ଼ କରିବାର ଆଶା ରହିଛି।
ମୁଖ୍ୟମନ୍ତ୍ରୀ ମାଧବରମ୍ ଆଭିନ୍ କ୍ଷୀର ପ୍ଲାଂଟ ପରିସରରେ ୧୫୨ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ନୂଆ ଭବନ ମଧ୍ୟ ନିରୀକ୍ଷଣ କରିଥିଲେ। ସେ ଅଧିକାରୀମାନଙ୍କଠାରୁ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଏବଂ ପ୍ଲାଂଟ ସହ ଜଡ଼ିତ ବ୍ୟବସ୍ଥାଗୁଡ଼ିକର ସୂଚନା ନେଇଥିଲେ।
---------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ