
ଝାରସୁଗୁଡ଼ା, ୭ ଅକ୍ଟୋବର (ହି.ସ.): ଡିଏଭି ସ୍ପୋର୍ଟସ କ୍ଲଷ୍ଟର ଏବଂ ଜୋନସ୍ତରୀୟ କରାଟେ ଓ ତାଇକୋଣ୍ଡୋ ଚାମ୍ପିୟନଶିପ ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ଆନୁକୂଲ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ୧୪ ବର୍ଷରୁ କମ୍ ଓ ୧୭ ବର୍ଷରୁ କମ୍ ବିଭାଗରେ ଆୟୋଜିତ ଏହି ପ୍ରତିଯୋଗିତାରେ ମୋଟ ୧୪୬ ଜଣ ପ୍ରତିଯୋଗୀ, ୩୮ ଜଣ ଏସ୍କର୍ଟ ଶିକ୍ଷକ ଓ ୧୫ ଜଣ କ୍ରୀଡ଼ା ଅଧିକାରୀ ଯୋଗଦେଇଥିଲେ।
ଡିଏଭି ପବ୍ଲିକ ସ୍କୁଲ, ଝାରସୁଗୁଡ଼ାର ଅଧ୍ୟକ୍ଷ ତଥା କ୍ଲଷ୍ଟର ହେଡ୍ ଲକ୍ଷ୍ମୀକାନ୍ତ ଦେବତାଙ୍କ ସଭାପତିତ୍ୱରେ ଉଦ୍ଘାଟନୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ଆଥଲେଟିକ ଆସୋସିଏସନର କାର୍ଯ୍ୟକାରୀ ସଭାପତି, ଓଡ଼ିଶା ରାଜ୍ୟ କ୍ରୀଡ଼ା ପରିଷଦର ଉପସଭାପତି ତଥା ବରିଷ୍ଠ ଆଇନଜୀବୀ ତାପସ କୁମାର ରାୟ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବ୍ରଜରାଜନଗର ଇବ୍ ଭ୍ୟାଲି ଡିଏଭିର ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବୁର୍ଲା ଡିଏଭିର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ବେଦବାକ ଓ ବସୁନ୍ଧରା ଡିଏଭିର ଅଧ୍ୟକ୍ଷ ରଞ୍ଜନ କୁମାର ପଟେଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।
ଜାତୀୟସ୍ତରୀୟ ଅଭିଜ୍ଞ ରେଫରୀମାନଙ୍କ ମଧ୍ୟରେ ରାଜୀବ କୁମାର ସିଂହ, ମହେଶ ଚନ୍ଦ୍ର ବରାଳ, ସୁରେଶ ଚନ୍ଦ୍ର ଜାଲ, ମନୁ ଯୋଶୀ, ଅସୀମ ଭୋଇ, ସର୍ବେଶ ଅଗ୍ରୱାଲ, ରଞ୍ଜନ କୁମାର ପାତ୍ର ଓ ବ୍ୟୋମକେଶ ବେହେରା କରାଟେ ପ୍ରତିଯୋଗିତା ପରିଚାଳନା କରିଥିଲେ। ସେହିପରି ଏହସାସ ହୋତା, ମୁକେଶ କୁମାର ପଣ୍ଡା, ବିବେକାନନ୍ଦ ସାମଲ, କୁମାର କଶ୍ୟପ ଷଡ଼ଙ୍ଗୀ, ଶ୍ୱେତା ପୁଆରୀ, ଶେଫାଳି ବୁଡ଼ାସାଗର ଓ ମିନାକ୍ଷୀ ନାୟକ ତାଇକୋଣ୍ଡୋ ପରିଚାଳନା କରିଥିଲେ। କରାଟେ ବାଳକ ବିଭାଗରେ ଏ.ଏନ୍. ଖୋସଲା ଡିଏଭି ଚାମ୍ପିୟନ ଓ ଚନ୍ଦ୍ରଶେଖରପୁର ଡିଏଭି ରନର୍ସଅପ୍ ହୋଇଥିବା ବେଳେ ବାଳିକା ବିଭାଗରେ ଟିଟିଲାଗଡ଼ ଡିଏଭି ଚାମ୍ପିୟନ ଏବଂ ଏ.ଏନ୍. ଖୋସଲା ଡିଏଭି ରନର୍ସଅପ୍ ହୋଇଥିଲା।ତାଇକୋଣ୍ଡୋ ବାଳକ ବିଭାଗରେ ଇବ୍ ଭ୍ୟାଲି କ୍ଷେତ୍ର, ବ୍ରଜରାଜନଗର ଡିଏଭି ଚାମ୍ପିୟନ ଏବଂ ବଲାଣୀ ଡିଏଭି ରନର୍ସଅପ୍ ହୋଇଥିଲା। ବାଳିକା ବିଭାଗରେ ଗାନ୍ଧୀନଗର, ବ୍ରହ୍ମପୁର ଡିଏଭି ଚାମ୍ପିୟନ ଏବଂ ଶ୍ରୀବିହାର ଫୁଲବାଣୀ ରୋଡ୍, ଭଞ୍ଜନଗର ଡିଏଭି ରନର୍ସଅପ୍ ହୋଇଥିଲା। ବିଭିନ୍ନ ବର୍ଗରେ ଉତ୍କୃଷ୍ଟ ପ୍ରଦର୍ଶନ କରି ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ମଧ୍ୟ ଟ୍ରଫି ଓ ପୁରସ୍କାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ବିଦ୍ୟାଳୟର ପିଇଟି ବିଜୟ ଦାଶ ଓ ପୁନମ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ନୀଳିମା ପଟେଲ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ