
ଭଦ୍ରକ, ୭ ଅକ୍ଟୋବର (ହି.ସ.) - ଭାରତୀୟ ନିର୍ବାଚନ ଆୟୋଗ ଓ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଜିଲ୍ଲାରେ ବାଦ ପଡ଼ିଥିବା ଯୋଗ୍ୟ ଭୋଟର ଏବଂ ୧ ଅକ୍ଟୋବର ୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିବା ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଅଭିଯାନର ସୁଚାରୁ ରୂପାୟଣ ପାଇଁ ଅକ୍ଟୋବର ୭ ତାରିଖରେ ସମସ୍ତ ଏଇଆରଓଙ୍କ ପକ୍ଷରୁ ଭଦ୍ରକ ଜ଼ିଲ୍ଲାରେ ବିଭିନ୍ନ ବ୍ଲକସ୍ତରରେ ବୁଥ୍ ଲେଭେଲ୍ ଅଫିସର (ବିଏଲଓ) ଏବଂ ବିଏଲଓ ସୁପରଭାଇଜରମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପ୍ରଶିକ୍ଷଣ ସମୟରେ ଯୋଗ୍ୟ ଭୋଟରଙ୍କ ଚିହ୍ନଟ ଓ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପ୍ରକ୍ରିୟା ସମ୍ପର୍କରେ ବିଏଲଓ ଓ ସୁପରଭାଇଜରମାନଙ୍କୁ ସଚେତନ କରାଯାଇଛି। ସ୍ୱତନ୍ତ୍ର ଅଭିଯାନର ଅଂଶ ଭାବେ ଅକ୍ଟୋବର ୭ରୁ ୯ ତାରିଖ ପର୍ଯ୍ୟନ୍ତ ବୁଥ୍ସ୍ତରରେ ସ୍ୱତନ୍ତ୍ର ଶିବିର ଆୟୋଜିତ ହେବ। ଏହି ଶିବିରଗୁଡ଼ିକରେ ବିଏଲଓମାନେ ଉପସ୍ଥିତ ରହି ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ସମ୍ପର୍କିତ ସହାୟତା ପ୍ରଦାନ କରିବେ। ଭୋଟର ତାଲିକାକୁ ସଠିକ୍, ସମ୍ପୂର୍ଣ୍ଣ ଓ ସମାବେଶୀ କରିବା ସହିତ କୌଣସି ଯୋଗ୍ୟ ନାଗରିକ ଯେପରି ପଞ୍ଜୀକରଣରୁ ବଂଚିତ ନହୁଅନ୍ତି, ସେଥିପାଇଁ ବିଏଲ୍ଓ ଓ ସୁପରଭାଇଜରମାନଙ୍କୁ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ପ୍ରଶିକ୍ଷଣରେ ନିର୍ଦ୍ଦେଶ ଦିଆଯାଇଛି। ୧ ଅକ୍ଟୋବର ୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିବା ସମସ୍ତ ଯୋଗ୍ୟ ଯୁବକ-ଯୁବତୀ ଏବଂ ଏସଆଇଆର ୨୦୨୬ ସମୟରେ କୌଣସି କାରଣରୁ ଭୋଟର ତାଲିକାରେ ନାମ ସାମିଲ ହୋଇପାରିନଥିବା ବ୍ୟକ୍ତିମାନେ ନିଜ ଅଂଚଳର ବିଏଲଓଙ୍କ ନିକଟରେ ଯୋଗାଯୋଗ କରି ଫର୍ମ-୬ ଦାଖଲ କରି ଭୋଟର ଭାବେ ପଞ୍ଜୀକରଣ କରାଇପାରିବେ। ନିର୍ବାଚନ ଆୟୋଗର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଏଥର ଘୋଷଣାପତ୍ର ଦାଖଲ କରିବାର ଆବଶ୍ୟକତାକୁ ହଟାଇ ଦିଆଯାଇଛି। ତେଣୁ ଭଦ୍ରକ ଜିଲ୍ଲାର ସମସ୍ତ ଯୋଗ୍ୟ ନାଗରିକ ଏହି ସୁଯୋଗର ସଦୁପଯୋଗ କରି ନିଜ ନାମ ଭୋଟର ତାଲିକାରେ ସାମିଲ କରାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ