


ବଲାଙ୍ଗୀର, ୦୭ ଅକ୍ଟୋବର(ହି.ସ.) – ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ନିର୍ଦ୍ଦେଶନାରେ ବଲାଙ୍ଗୀର ଜିଲ୍ଲା ନୋଡାଲ କଲେଜ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ, ବଲାଙ୍ଗୀରର ପ୍ରେକ୍ଷାଳୟ ୦୨ ପରିସରରେ ଯୁବ ରେଡକ୍ରସ ଜିଲ୍ଲା କାର୍ଯ୍ୟକାରୀ କମିଟି ବୈଠକ ୨୦୨୬–୨୭ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ଅନୁବନ୍ଧିତ ଡିଗ୍ରୀ ଏବଂ ଯୁକ୍ତଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ସମୁଦାୟ ୧୦୪ ଜଣ ଅଧ୍ୟକ୍ଷ ତଥା ଯୁବ ରେଡକ୍ରସ କାଉନସିଲର ଅଂଶଗ୍ରହଣ କରିଥିଲେ। ପ୍ରଦୀପ ପ୍ରଜ୍ଜ୍ୱଳନ, ପ୍ରାରମ୍ଭିକ ସଙ୍ଗୀତଗାନ ଓ ଯୁବ ରେଡକ୍ରସ ଶପଥ ପାଠ ପରେ ଅନୁଷ୍ଠିତ ଏହି ବୈଠକରେ ସରକାରୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଡିଡବ୍ଲୁସି ଅଧ୍ୟକ୍ଷ ଡ. କୌତୁକ ପନ୍ଦର ଅଧ୍ୟକ୍ଷତା କରି କହିଲେ ଯେ ଯୁବ ସମାଜ ମଧ୍ୟରେ ମାନବସେବା, ଶୃଙ୍ଖଳା, ବିପର୍ଯ୍ୟୟ ପରିଚାଳନା ଏବଂ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବାରେ ଯୁବ ରେଡକ୍ରସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜିଲ୍ଲା ଆବାହକ ସମ୍ପାଦକ ଲେଫ୍ଟନାଂଟ କୁଶ କହଁର ବୈଠକର ଆଭିମୁଖ୍ୟ ଉପସ୍ଥାପନ କରି ଜିଲ୍ଲାରେ ବ୍ୟାପକ ସେବା କାର୍ଯ୍ୟକ୍ରମ, କାଉନସିଲର ତାଲିମ, ଜିଲ୍ଲାସ୍ତରୀୟ ଶିବିର ଆୟୋଜନ ଏବଂ ରିଅଲ-ଟାଇମ୍ ଡିଜିଟାଲ ତଦାରଖ ଉପରେ ଆଲୋକପାତ କରିଥିଲେ। ମଂଚରେ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଡ. ଦୈତାରୀ ପୂଜାରୀ, ବରିଷ୍ଠ ପ୍ରାଧ୍ୟାପକ ଡ. ଶ୍ରୀକାନ୍ତ କୁମାର ବାରିକ ଏବଂ ମଂଚ ସଂଚାଳକ ଶ୍ରୀ ଅର୍ପିତା ପରିଛା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିଗୁଡ଼ିକ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା
୧. ୩ଟି ଷ୍ଟଡି କ୍ୟାମ୍ପ ଓ ୧ଟି କାଉନସିଲର ତାଲିମ ଶିବିର: ଚଳିତ ଶିକ୍ଷାବର୍ଷରେ ବଲାଙ୍ଗୀର ଜିଲ୍ଲାରେ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀଙ୍କ ପାଇଁ ୩ଟି ଜିଲ୍ଲାସ୍ତରୀୟ ଅଧ୍ୟୟନ ତଥା ଆବାସିକ ଶିବିର ଏବଂ ଅଣତାଲିମପ୍ରାପ୍ତ କାଉନସିଲରମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ୧ଟି କାଉନସିଲର ତାଲିମ ଶିବିର ଆୟୋଜନ କରିବାକୁ ନିଷ୍ପତି ନିଆଗଲା।
୨. ୮ଟି ନିର୍ଦ୍ଦେଶିତ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟକ୍ରମ: ଉଚ୍ଚ କର୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ କଲେଜ ଓ ଯୁକ୍ତଦୁଇ ମାଧ୍ୟମିକ ବିଦ୍ୟାଳୟମାନଙ୍କରେ ରକ୍ତଦାନ ଓ ସଚେତନତା, ପ୍ରାଥମିକ ଚିକିତ୍ସା ତାଲିମ, ସଡ଼କ ସୁରକ୍ଷା, ଅଗ୍ନି ନିର୍ବାପକ ଡ୍ରିଲ୍, ବୃକ୍ଷରୋପଣ, ସ୍ୱଚ୍ଛତା ଅଭିଯାନ, ସ୍ୱାସ୍ଥ୍ୟ ସଚେତନତା ଏବଂ ରେଡ୍ ରିବନ କ୍ଲବ କାର୍ଯ୍ୟକ୍ରମ ବ୍ୟାପକ ଭାବେ ପାଳନ କରିବେ।
୩. ସ୍ଥାୟୀ ଗୁଗୁଲ ଫର୍ମ ଲିଙ୍କ୍ ଦ୍ୱାରା ରିଅଲ-ଟାଇମ୍ ଡାଟା ସଂଗ୍ରହ: ପ୍ରତ୍ୟେକ କାର୍ଯ୍ୟକ୍ରମର ତଥ୍ୟ ତୁରନ୍ତ ନୋଡାଲ କଲେଜକୁ ସ୍ଥାନାନ୍ତର ଓ ସଂରକ୍ଷଣ କରିବା ପାଇଁ ଏକ ସ୍ଥାୟୀ ଗୁଗୁଲ ଫର୍ମ ପୋର୍ଟାଲ କାର୍ଯ୍ୟକ୍ଷମ କରାଗଲା, ଯାହା ଫଳରେ ଉଚ୍ଚ କର୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ ତୁରନ୍ତ ରିପୋର୍ଟ ପ୍ରସ୍ତୁତ ଓ ପ୍ରେରଣ କରାଯାଇପାରିବ।
୪. ଶ୍ରେଷ୍ଠ କାଉନସିଲର ଓ ଶ୍ରେଷ୍ଠ ୟୁନିଟ୍ ଚୟନ: ଉକ୍ତ ଗୁଗୁଲ ଫର୍ମ ପୋର୍ଟାଲ ଏପରି ଭାବରେ ପ୍ରସ୍ତୁତ କରାଯାଇଛି, ଯାହା ମାଧ୍ୟମରେ ସ୍ୱଚ୍ଛ ଓ ତଥ୍ୟଭିତିକ ଭାବରେ ଜିଲ୍ଲାର ଶ୍ରେଷ୍ଠ କାଉନସିଲର ଏବଂ ଶ୍ରେଷ୍ଠ କାର୍ଯ୍ୟଦକ୍ଷ ଯୁବ ରେଡକ୍ରସ ୟୁନିଟ୍ ଚୟନ କରାଯାଇ ପୁରସ୍କୃତ କରାଯିବ। ଶେଷରେ ଡ. ଶ୍ରୀକାନ୍ତ କୁମାର ବାରିକ ସମସ୍ତଙ୍କୁ ଔପଚାରିକ ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ