

ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର
ପୁରୀ, ୦୭ ଅକ୍ଟୋବର(ହି.ସ.) – ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଛି ପୁରୀ ସବରେଜିଷ୍ଟର କାର୍ଯ୍ୟାଳୟ। କାର୍ଯ୍ୟାଳୟ ସମ୍ମୁଖରେ ରହିଛି ପୁରୁଣା ବରଗଛ। ବରଗଛର ମୂଳ ଗଛ ବିଲୁପ୍ତ ହୋଇ ସିଅ ଓ ଡାଳରେ ନୂଆ ଗଛ ବଢ଼ିଛି। କିଛି ପୁରୁଣା ଗଛର ଡାଳ ଗଣ୍ଡି ଭିତରେ ନୂଆ ଶାଖା ବୃଦ୍ଧି ପାଇଛି। ବରଗଛ ତଳେ ରହିଛି ନୃସିଂହ ମନ୍ଦିର। ଗଛତଳେ ଏକ ଗୋଲେଇ ସିମେଂଟ ଚାନ୍ଦିନି ରହିଛି। ସେହି ଚାନ୍ଦିନି ଉପରେ ମୋହରିର ଓ ଭେଣ୍ଡର ଡେସ୍କ ପକାଇ କାର୍ଯ୍ୟ କରୁଛନ୍ତି। ବୁଧବାର ମଧ୍ୟାହ୍ନରେ କିଛି ମାଙ୍କଡ଼ ଡିଆଁ ମାରୁଥିଲେ। ଗୋଟିଏ ଲୋଧା ପାତି ମାଙ୍କଡ଼ ହଠାତ ପୁରଣା ନୂଆ ମିଶା ଡାଳକୁ ଡେଇଁ ପଡ଼ିବାରୁ ତାହା ମଡ଼ ମଡ଼ ଶବ୍ଦ ହୋଇଥିଲା। ତଳେ ବସିଥିବା ବ୍ୟକ୍ତିମାନେ ଦେଖି ଦୌଡ଼ି ପଳାଇଥିଲେ। କିଛି ସମୟ ପରେ ଡାଳଟି ଭାଙ୍ଗି ପଡ଼ିଥିଲା। ଏହି ଗଛରେ ଅନେକ ପୁରୁଣା ଡାଳ ଶୁଖି ରହିଛି। ସବ୍ରେଜିଷ୍ଟରକୁ ଆସୁଥିବା ଜମି କିଣା-ବିକା ପାଇଁ ବ୍ୟକ୍ତିମାନେ ଏହି ଗଛମୂଳେ କିଛି ସମୟ ବସୁଛନ୍ତି। ଦିନ ୧୦ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ସିମେଂଟ ମଣ୍ଡପରେ ଷ୍ଟାମ୍ପ ଭେଣ୍ଡର, ମୋହରିର, ଓକିଲ ଓ ମହକିଲ ସମେତ ଅନ୍ୟାନ୍ୟ ବ୍ୟକ୍ତିଙ୍କ ଗହଳି ଲାଗି ରହୁଛି। ହଠାତ ଏହି ଡାଳ ଭାଙ୍ଗିଯିବାରୁ ଏକ ବଡ଼ ବିପତିରୁ ଅନେକ ବ୍ୟକ୍ତି ରକ୍ଷା ପାଇଯାଇଛନ୍ତି। ଏହି ଗଛ ଓ ମଣ୍ଡପର ସୁରକ୍ଷା ପାଇଁ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଓକିଲ, ମୋହରିର ଓ ଭେଣ୍ଡରମାନେ ଦାବି କରିଛନ୍ତି। ସେହିପରି ପ୍ରବେଶ ପଥରେ ଥିବା ପୁରୁଣା ବରଗଛ ତଳେ ଥିବା ଚୁଡ଼ାଭଜା ମାଉସୀ ବସିଥିବାବେଳେ ଓକିଲ ଓ ମହକିଲ ଯାତାୟାତ କରୁଛନ୍ତି। ସେହି ଗଛ ମଧ୍ୟ ଅସୁରକ୍ଷିତ ଅବସ୍ଥାରେ ରହିଛି। ପୁରୁଣା ଝାଉଁଗଛ ଖୋଳପା ଓ ପୁରୁଣା ବରଗଛ ଖୋଳପାରେ ଏହି ଗଛ ବୃଦ୍ଧି ପାଇଛି। ଏହି ବରଗଛ ତଳେ ମଧ୍ୟ ଅନେକ ବିକ୍ଷୋଭ ଓ ସମାବେଶ ଆୟୋଜିତ ହେଉଛି। ଏହି ଗଛର ସୁରକ୍ଷା ପାଇଁ ଦାବି ହେଉଛି।
.......................................
ହିନ୍ଦୁସ୍ଥାନ ସମାଚାର / ବିଜୟ