
ଜୟପୁର, ୦୭ ଅକ୍ଟୋବର (ହି.ସ.) - ଲକ୍ଷ୍ନୌର ସିଏସଆଇଆର-ନ୍ୟାସନାଲ୍ ବୋଟାନିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ସହଯୋଗରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସୁନାବେଡ଼ା କ୍ୟାମ୍ପସରେ ଆଜି ଜୈବ ବିବିଧତା ଏବଂ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗ ବିସିଏନଆର ଏବଂ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଏକ ଦୁଇ ଦିନିଆ କର୍ମଶାଳା ଆରମ୍ଭ ହୋଇଯାଇଛି। କର୍ମଶାଳାର ବିଷୟବସ୍ତୁ ରହିଛି ଲାଇକେନ୍ ଉପରେ ପ୍ରାଧାନ୍ୟ ଦେଇ ଜୈବ ବିବିଧତା ଦସ୍ତାବିଜୀକରଣ ପ୍ରତି ଆଧୁନିକ ଦୃଷ୍ଟିକୋଣ' ।
ଏହି ଦୁଇ ଦିନିଆ କର୍ମଶାଳାକୁ ବିଶ୍ୱବିଦ୍ୟାଳୟର କୁଳପତି ତଥା ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ଡ. ଅଜିତ କୁମାର ଶାସନୀ ଉଦଘାଟନ କରିଥିଲେ। ଏହି ଅବସରରେ ମଂଚରେ ଦେଶର ଅନ୍ୟତମ ବିଶିଷ୍ଟ ବୈଜ୍ଞାନିକ ତଥା ଲକ୍ଷ୍ନୌର ସିଏସଆଇଆର-ଏନବିଆରଆଇ ର ବୈଜ୍ଞାନିକ-ଜି ଡ. ସଞ୍ଜୀବ ନାୟକ, ଲକ୍ଷ୍ନୌସ୍ଥିତ ବୀରବଲ୍ ସାହାଣୀ ଇନଷ୍ଟିଚ୍ୟୁଟ୍ ଅଫ୍ ପାଲିଓସାଇନ୍ସ ବିଏସଆଇପିର ନିର୍ଦ୍ଦେଶକ ଡ. ଏମ୍. ଜି. ଠାକ୍କର , ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳସଚିବ ଡ. ସଞ୍ଜୟ କୁମାର ପ୍ରଧାନ, ବିସିଏନଆର ବିଭାଗର ଭାରପ୍ରାପ୍ତ ମୁଖ୍ୟ ତଥା କର୍ମଶାଳାର ଆବାହକ ଡ. ଦେବବ୍ରତ ପଣ୍ଡା ଏବଂ ଉଦ୍ଭିଦ ବିଜ୍ଞାନ ବିଭାଗର ଭାରପ୍ରାପ୍ତ ମୁଖ୍ୟ ଡ. ବି. ଚନ୍ଦ୍ରଶେଖର ଉପସ୍ଥିତ ଥିଲେ।
ଏହି ଅବସରରେ ଉଦବୋଧନ ଦେଇ କୁଳପତି ପ୍ରଫେସର ଡ. ଶାସନୀ ଏକ ସଫଳ ଗବେଷଣା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ପ୍ରତ୍ୟେକ ଗବେଷକଙ୍କ ପାଇଁ ବିଜ୍ଞାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତାହା ପ୍ରାଚୀନ ବିଜ୍ଞାନ ହେଉ କିମ୍ବା ଆଧୁନିକ ବିଜ୍ଞାନ। ଆମେ ପ୍ରାଚୀନ ବିଜ୍ଞାନକୁ ଆଧୁନିକ ଉପାୟରେ ଅଧ୍ୟୟନ କରିବା ଉଚିତ୍ ବୋଲି ସେ ମତବ୍ୟକ୍ତ କରିଥିଲେ। କୋରାପୁଟ ଗବେଷଣା ତଥା ବିଜ୍ଞାନ ଅଧ୍ୟୟନ ପାଇଁ ଏକ ସର୍ବୋତମ ସ୍ଥାନ ହୋଇଥିବାରୁ ପ୍ରତ୍ୟେକ ଛାତ୍ରଛାତ୍ରୀ ବିଜ୍ଞାନରେ ନୂଆ ନୂଆ ଜିନିଷର ଅନୁସନ୍ଧାନ କରିବା ଉଚିତ, ଯାହା ବିଶ୍ୱବିଦ୍ୟାଳୟର ସାମଗ୍ରିକ ବିକାଶରେ ସହାୟକ ହେବ। ଲକ୍ଷ୍ନୌର ବିଏସଆଇପି ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଫଳରେ ଆମେ ନୂତନ ବିଷୟ ଶିଖିପାରିବା ଏବଂ ପାଲିଓସାଇନ୍ସ ତଥା ଅନ୍ୟାନ୍ୟ ଶାଖାରେ ବିଭିନ୍ନ ଅନୁଷ୍ଠାନ ସହ ମିଳିତ ଭାବେ କାର୍ଯ୍ୟ କରିପାରିବା ବୋଲି ସେ ଆଶାବ୍ୟକ୍ତ କରିଥିଲେ।
ଡ. ଏମ୍. ଜି. ଠାକ୍କର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ପ୍ରାଚୀନ କିସମର ମୃତିକା ଏବଂ ଲୌହ, କ୍ରୋମିୟମ୍ ଭଳି ପଥର/ଖଣିଜ ଥିବା କୋରାପୁଟ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଏବଂ ଏହି କ୍ଷେତ୍ରରେ ଆମକୁ ଅଧିକ ଗବେଷଣା କରିବା ଉଚିତ। ସେ ଆହୁରି ମଧ୍ୟ କହିଥିଲେ ଯେ ଲକ୍ଷ୍ନୌର ବିଏସଆଇପି ସହାୟତାରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ବିଜ୍ଞାନ କ୍ଷେତ୍ରରେ ଅଧିକ ଉନ୍ନତି ହାସଲ କରିପାରିବ। ପାଲିଓସାଇନ୍ସ ଅଧ୍ୟୟନ ପାଇଁ ଏହି ଅଂଚଳ ଅତ୍ୟନ୍ତ ଅନୁକୂଳ ହୋଇଥିବାରୁ, କୋରାପୁଟର ସମୃଦ୍ଧ ଐତିହ୍ୟକୁ ଜାଣିବାରେ ଏହି ମିଳିତ ଗବେଷଣା ବେଶ୍ ସହାୟକ ହେବ।
ଡ. ସଞ୍ଜୀବ ନାୟକ ତାଙ୍କର ମୁଖ୍ୟ ଅଭିଭାଷଣରେ କହିଥିଲେ ଯେ ଲାଇକେନର ଉପସ୍ଥିତି ଉପରେ ଅଧ୍ୟୟନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାର ସଠିକ୍ ଚିହ୍ନଟ ପ୍ରକ୍ରିୟା ଆବଶ୍ୟକ। ଏହି ଅବସରରେ ଲକ୍ଷ୍ନୌର ବିଏସଆଇପିର ବୈଜ୍ଞାନିକ ଡ. ଅଞ୍ଜଳି ତ୍ରିବେଦୀ ମଧ୍ୟ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଡ. ଦେବବ୍ରତ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଏଭଳି କର୍ମଶାଳା ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ଡ. ବି. ଚନ୍ଦ୍ରଶେଖର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର ସ୍କୁଲସ୍ ଡିନ୍ ପ୍ରଫେସର ନୃସିଂହ ଚରଣ ପଣ୍ଡା, ବିଜ୍ଞାନ ସାମ୍ବାଦିକ ଶ୍ରୀ ଏଲ୍. ଏନ୍. ବକ୍ସି, ବିଶ୍ୱବିଦ୍ୟାଳୟର ବିଭିନ୍ନ ଅଧ୍ୟାପକ, ଗବେଷକ ତଥା ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
ମିଳିତ ଭାବେ ଗବେଷଣା କରିବା ନେଇ ଏହି ଅବସରରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଲକ୍ଷ୍ନୌସ୍ଥିତ ବୀରବଲ୍ ସାହାଣୀ ଇନଷ୍ଟିଚ୍ୟୁଟ୍ ଅଫ୍ ପାଲିଓସାଇନ୍ସ ବିଏସଆଇପି ମଧ୍ୟରେ ଏକ ବୁଝାମଣାପତ୍ର ଏମଓୟୁ ସ୍ୱାକ୍ଷରିତ ହୋଇଥିଲା। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ଅଜିତ କୁମାର ଶାସନୀ ଏବଂ ବିଏସଆଇପି, ଲକ୍ଷ୍ନୌ ପକ୍ଷରୁ ଡ. ଏମ୍. ଜି. ଠାକ୍କରଙ୍କ ମଧ୍ୟରେ ଏହି ବୁଝାମଣାପତ୍ର ଆଦାନପ୍ରଦାନ କରାଯାଇଥିଲା। ଏହି ଦୁଇ ଦିନିଆ କର୍ମଶାଳାରେ ଉଦ୍ଭିଦ ବିଜ୍ଞାନ ଏବଂ ଜୈବ ବିବିଧତା ବିଶେଷ କରି ଲାଇକେନ୍, ପରାଗ ଏବଂ ଗଛଲତା ଗୁଡ଼ିକର ଅନ୍ୟାନ୍ୟ ଦିଗ ଉପରେ ଅନେକ ନୂତନ ଗବେଷଣା ପ୍ରସଙ୍ଗ ଆଲୋଚିତ ହେବ।
ହିନ୍ଦୁସ୍ଥାନ ସମାଚାର / ପିକେପି