ଏସ୍ଆଇଆର୍ରେ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର ଓ ଯୁବ ଭୋଟରଙ୍କୁ ତାଲିକାରେ ସାମିଲ ପାଇଁ ସୁଯୋଗ, ଅକ୍ଟୋବର ୭, ୮ ଓ ୯ରେ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଅଭିଯାନ
୧ ଅକ୍ଟୋବର ୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିବା ଯୁବକ-ଯୁବତୀ କରିପାରିବେ ଆବେଦନ ପୁରୀ, ୦୭ ଅକ୍ଟୋବର(ହି.ସ.) – ପୁରୀ ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ୍ଆଇଆର୍)-୨୦୨୬ ପରିପ୍ରେକ୍ଷୀରେ ଭୋଟର ତାଲିକାକୁ ଅଧିକ ସଠିକ, ସ୍ୱଚ୍ଛ ଓ ଅଦ୍ୟତନ କରିବା ଉଦ୍ଦ
ଏସ୍ଆଇଆର୍ରେ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର ଓ ଯୁବ ଭୋଟରଙ୍କୁ ତାଲିକାରେ ସାମିଲ ପାଇଁ ସୁଯୋଗ, ଅକ୍ଟୋବର ୭, ୮ ଓ ୯ରେ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଅଭିଯାନ


୧ ଅକ୍ଟୋବର ୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିବା ଯୁବକ-ଯୁବତୀ କରିପାରିବେ ଆବେଦନ

ପୁରୀ, ୦୭ ଅକ୍ଟୋବର(ହି.ସ.) – ପୁରୀ ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ୍ଆଇଆର୍)-୨୦୨୬ ପରିପ୍ରେକ୍ଷୀରେ ଭୋଟର ତାଲିକାକୁ ଅଧିକ ସଠିକ, ସ୍ୱଚ୍ଛ ଓ ଅଦ୍ୟତନ କରିବା ଉଦ୍ଦେଶ୍ୟରେ ଆଜି ଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଅକ୍ଟୋବର ୭, ୮ ଓ ୯ ତାରିଖରେ ଏହି ସ୍ୱତନ୍ତ୍ର ଅଭିଯାନ ପୁରୀ ନିର୍ବାଚନ ମଣ୍ଡଳୀ ସହ ରାଜ୍ୟବ୍ୟାପୀ ଅନୁଷ୍ଠିତ ହେଉଛି। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଏସ୍ଆଇଆର ପ୍ରକ୍ରିୟାରେ କୌଣସି କାରଣରୁ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର୍ମାନଙ୍କୁ ପୁନଃ ଭୋଟର ତାଲିକାରେ ସାମିଲ କରିବା ଏବଂ ନୂତନ ଭାବେ ଯୋଗ୍ୟ ହୋଇଥିବା ଯୁବ ଭୋଟର୍ମାନଙ୍କୁ ତାଲିକାରେ ସାମିଲ କରିବା ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ଯେଉଁ ଯୁବକ-ଯୁବତୀମାନେ ୦୧.୧୦.୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଛନ୍ତି, ସେମାନେ ଭୋଟର ତାଲିକାରେ ନିଜ ନାମ ସାମିଲ କରିବା ପାଇଁ ଆବେଦନ କରିପାରିବେ। ଯୋଗ୍ୟ ଯୁବ ଭୋଟରମାନେ ଫର୍ମ-୬ ମାଧ୍ୟମରେ ନାମ ପଞ୍ଜୀକରଣ ପାଇଁ ନିଜ ବୁଥ୍ସ୍ତରୀୟ ଅଧିକାରୀଙ୍କ ନିକଟରେ ଆବେଦନ କରିପାରିବେ ବୋଲି କହିଛନ୍ତି ପୁରୀ ଜିଲ୍ଲାର ସମସ୍ତ ଇଲେକ୍ଟ୍ରୋରାଲ ରେଜିଷ୍ଟ୍ରେସନ ଅଧିକାରୀ। ଏଥିସହିତ, ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟା ସମୟରେ ଯେଉଁ ଯୋଗ୍ୟ ଭୋଟରମାନଙ୍କ ନାମ କୌଣସି କାରଣରୁ ଚୂଡ଼ାନ୍ତ ଭୋଟର ତାଲିକାରେ ସାମିଲ ହୋଇପାରି ନାହିଁ, ସେମାନେ ମଧ୍ୟ ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ନିଜ ନାମ ଯୋଡ଼ିବା ପାଇଁ ଆବେଦନ କରିପାରିବେ। ଭୋଟର ତାଲିକାକୁ ଅଧିକ ନିର୍ଭୁଲ ଓ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ଚିହ୍ନଟ ହୋଇଥିବା ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ ଓ ଦୋହରା ଭୋଟରମାନଙ୍କ ସମ୍ପର୍କିତ ତାଲିକା ପୁରୀ ଜିଲ୍ଲା ଏବଂ ସିଇଓ ଓଡ଼ିଶାଙ୍କ ୱେବସାଇଟ୍ରେ ଉପଲବ୍ଧ କରାଯିବ। ଏହି ତାଲିକା ସମ୍ପର୍କରେ ଆବଶ୍ୟକ ଯାଂଚ କରିବା ଓ ଯଦି କୌଣସି ଯୋଗ୍ୟ ଭୋଟରଙ୍କ ନାମ ଭୁଲବଶତଃ ଏଥିରେ ବାଦ୍ ପଡ଼ିଥାଏ ତେବେ ତାହା ସମ୍ପର୍କରେ ଦାବି ଓ ଆପତି ଦାଖଲ କରିବା ପାଇଁ ସୁଯୋଗ ରହିବ। ସ୍ୱଚ୍ଛ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତି ପାଇଁ ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ ଓ ଦୋହରା ଭୋଟରଙ୍କ ସମ୍ପର୍କିତ ତାଲିକା ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ମଧ୍ୟ ପ୍ରଦାନ କରାଯିବ। ରାଜନୈତିକ ଦଳର ପ୍ରତିନିଧିମାନେ ତାଲିକାକୁ ଯାଂଚକରି ଆବଶ୍ୟକ ଦାବି ଓ ଆପତି ଦାଖଲ କରିପାରିବେ।

ଏହା ମାଧ୍ୟମରେ ଭୋଟର ତାଲିକାରେ ଯୋଗ୍ୟ ବ୍ୟକ୍ତିଙ୍କ ନାମ ସୁନିଶ୍ଚିତ କରିବା ସହ ଅଯୋଗ୍ୟ କିମ୍ବା ଅସଙ୍ଗତ ଏଂଟ୍ରି ଚିହ୍ନଟ ଓ ସଂଶୋଧନ କରିବାରେ ସହାୟତା ମିଳିବ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶାନୁଯାୟୀ, ଜିଲ୍ଲାସ୍ତରରେ ସମସ୍ତ ବୁଥ୍ସ୍ତରୀୟ ଅଧିକାରୀଙ୍କୁ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର ଓ ଯୁବ ଭୋଟରମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା ସମ୍ପର୍କରେ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଏଲ୍ଓମାନଙ୍କୁ ନିଜ ନିଜ ଅଧିନସ୍ଥ ଅଂଚଳରେ ଭୋଟର ତାଲିକାରେ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର ନାମ ଓ ନୂତନ ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପ୍ରକ୍ରିୟାକୁ ସୁଗମ କରିବା ନିମନ୍ତେ ଆବଶ୍ୟକ ସହଯୋଗ ଓ ମାର୍ଗଦର୍ଶନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନାମ ଯୋଡ଼ିବାକୁ ଇଚ୍ଛୁକ ଯୋଗ୍ୟ ଭୋଟରମାନେ ନିଜ ନିଜ ବୁଥ୍ସ୍ତରୀୟ ଅଧିକାରୀ(ବିଏଲ୍ଓ)ଙ୍କ ସହ ଯୋଗାଯୋଗ କରି ଆବେଦନ ପ୍ରକ୍ରିୟା ସମ୍ପର୍କରେ ସହାୟତା ନେଇପାରିବେ। ବୁଥ୍ସ୍ତରୀୟ ଅଧିକାରୀମାନେ ଯୋଗ୍ୟ ଭୋଟରଙ୍କୁ ଆବେଦନ ଦାଖଲ ପ୍ରକ୍ରିୟା ସମ୍ପର୍କରେ ଆବଶ୍ୟକ ସହଯୋଗ ପ୍ରଦାନ କରିବେ। ତେଣୁ, ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ରେ ନାମ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର, ନୂତନ ଭାବେ ଯୋଗ୍ୟ ହୋଇଥିବା ଯୁବ ଭୋଟର ଏବଂ ଭୋଟର ତାଲିକାରେ ନିଜ ନାମ ସାମିଲ କରିବାକୁ ଯୋଗ୍ୟ ସମସ୍ତ ବ୍ୟକ୍ତି ଅକ୍ଟୋବର ୭, ୮ ଓ ୯ ତାରିଖରେ ଆୟୋଜିତ ସ୍ୱତନ୍ତ୍ର ଅଭିଯାନର ସୁଯୋଗ ନେଇ ଫର୍ମ-୬ ମାଧ୍ୟମରେ ଆବେଦନ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଅନୁରୋଧ କରାଯାଇଛି। ଏହି ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ରାଜ୍ୟରେ ଏକ ସ୍ୱଚ୍ଛ, ନିର୍ଭୁଲ, ସମାବେଶୀ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟ ରହିଛି ବୋଲି ସୂଚନା ଦିଆଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande