ଓଡ଼ିଶାରେ ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ, ନବରଙ୍ଗପୁର ଓ ନୂଆପଡ଼ାରେ ନୂଆ ଜିଲ୍ଲାପାଳ
ଭୁବନେଶ୍ୱର, ୭ ଅକ୍ଟୋବର (ହି.ସ.)। ଓଡ଼ିଶା ସରକାର ବୁଧବାର ଆଇଏଏସ୍ କ୍ୟାଡରରେ ସାମାନ୍ୟ ଅଦଳବଦଳ କରିଛନ୍ତି ଦୁଇଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି। ଏହାସହିତ ୭ ଜଣ ଆଇଏଏସ୍ ଅଧିକାରୀଙ୍କୁ ନୂତନ ଦାୟିତ୍ୱ ମିଳିଛି। ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯ
ଆଇଏଏସ ଅଦଳ ବଦଳ


ଭୁବନେଶ୍ୱର, ୭ ଅକ୍ଟୋବର (ହି.ସ.)। ଓଡ଼ିଶା ସରକାର ବୁଧବାର ଆଇଏଏସ୍ କ୍ୟାଡରରେ ସାମାନ୍ୟ ଅଦଳବଦଳ କରିଛନ୍ତି ଦୁଇଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି। ଏହାସହିତ ୭ ଜଣ ଆଇଏଏସ୍ ଅଧିକାରୀଙ୍କୁ ନୂତନ ଦାୟିତ୍ୱ ମିଳିଛି।

ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ନବରଙ୍ଗପୁରର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଡ. ମହେଶ୍ୱର ସ୍ୱାଇଁ (ଆଇଏଏସ୍, ଏସ୍ସିଏସ୍-୨୦୧୪)ଙ୍କୁ ବଦଳି କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

ଏହିପରି, ନୂଆପଡ଼ାର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ କାର୍ଯ୍ୟରତ ଶ୍ରୀ ମଧୁସୂଦନ ଦାଶ, ଆଇଏଏସ୍ (ଏସ୍ସିଏସ୍-୨୦୧୪)ଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (ଜିଏ ଆଣ୍ଡ ପିଜି) ବିଭାଗର ସରକାରୀ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଉପ ସଚିବ ଭାବେ କାର୍ଯ୍ୟରତ ଶ୍ରୀମତୀ ଅନ୍ୟା ଦାସ, ଆଇଏଏସ୍ (ଆର୍ଆର୍-୨୦୧୯)ଙ୍କୁ ନବରଙ୍ଗପୁରର ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତ କରାଯାଇଛି।

ନୂଆପଡ଼ା ପାଇଁ ଶ୍ରୀମତୀ ମଧୁମିତା, ଆଇଏଏସ୍ (ଆର୍ଆର୍-୨୦୨୦)ଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତ କରାଯାଇଛି। ସେ ମାତୃତ୍ୱ ଛୁଟି ନେବା ପରେ ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗରେ ଯୋଗ ଦେଇଥିଲେ।

ଆଦେଶରେ ଶ୍ରୀମତୀ ଅଶ୍ନି ଏ.ଏଲ୍., ଆଇଏଏସ୍ (ଆର୍ଆର୍-୨୦୨୩)ଙ୍କୁ ଭବାନୀପାଟଣାର ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଥିବାବେଳେ, ଶ୍ରୀମତୀ କସ୍ତୁରୀ ଶାହ, ଆଇଏଏସ୍ (ଆର୍ଆର୍-୨୦୨୪)ଙ୍କୁ ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗର ଅଂଡର ସେକ୍ରଟାରୀ ଭାବେ ଭାବେ ନିଯୁକ୍ତି ଦିଆଯାଇଛି।

ଏହାବ୍ୟତୀତ, ଶ୍ରୀ ପ୍ରଦୀପ କୁମାର ନାୟକ, ଆଇଏଏସ୍ (ଏସ୍ସିଏସ୍-୨୦୧୪)ଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ (ଏଫ୍ ଆଣ୍ଡ ଏଆର୍ଡି) ବିଭାଗର ସରକାରୀ ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande