
ଜୟପୁର, ୦୭ ଅକ୍ଟୋବର (ହି.ସ.) - ପୂର୍ବତଟ ରେଳପଥ ର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଭୂସ୍ଖଳନ ପ୍ରଭାବିତ ମାଳିଗୁଡ଼ା ଅଂଚଳ ପରିଦର୍ଶନ କରି ଯୁଦ୍ଧକାଳୀନ ଭିତିରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି।
ଏହି ପରିଦର୍ଶନ ସମୟରେ ପୂର୍ବତଟ ରେଳପଥର ପ୍ରମୁଖ ଯନ୍ତ୍ରୀ, ରେଳପଥ ନିର୍ମାଣ ସଂଗଠନର ମୁଖ୍ୟ ପ୍ରଶାସନିକ ଅଧିକାରୀ, ମଣ୍ଡଳ ରେଳ ପ୍ରବନ୍ଧକ (ଊଜଗ), ରାୟଗଡ଼ା ଏବଂ ଅନ୍ୟାନ୍ୟ ଡିଭିଜନାଲ ଅଧିକାରୀମାନେ ଉପସ୍ଥିତ ଥିଲେ।
ପୂର୍ବତଟ ରେଳପଥର ପ୍ରମୁଖ ଯନ୍ତ୍ରୀ ରାଜେଶ ଶେଖାୱତ ଏବଂ ରାୟଗଡା ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଅମିତାଭ ସିଂହଲ ପୁନରୁଦ୍ଧାର କାର୍ଯ୍ୟର ସ୍ଥଳରେ ରହି ୨୪ ଘଂଟିଆ ନିରୀକ୍ଷଣ କରୁଥିବାବେଳେ, ମହାପ୍ରବନ୍ଧକଙ୍କୁ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ଏବଂ ପ୍ରଭାବିତ ରେଳ ଲାଇନକୁ ଶୀଘ୍ର ସ୍ୱାଭାବିକ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ।
ମାଳିଗୁଡ଼ା ରେଳ ବ୍ରିଜ ନିକଟରେ କି.ମି. ୨୧୫/୧୭ ରୁ ୨୧୫/୨୬ ମଧ୍ୟରେ ଏବଂ ମାଲିଗୁଡ଼ା ଷ୍ଟେସନ ୟାର୍ଡରେ କି.ମି. ୨୧୭/୨୫ ରୁ ୨୧୭/୩୬ ମଧ୍ୟରେ ଭୂସ୍ଖଳନ ଯୋଗୁଁ ରେଳ ଲାଇନ ପ୍ରଭାବିତ ହୋଇଛି। ଏହି ସ୍ଥାନଗୁଡ଼ିକରେ ସିଭିଲ ଇଞ୍ଜିନିୟରିଂ, ଇଲେକ୍ଟ୍ରିକଲ ଟ୍ରାକ୍ସନ ଇଞ୍ଜିନିୟରିଙ୍ଗ ଏବଂ ସାଂକେତିକ ଓ ଦୂରସଂଚାର ଇଞ୍ଜିନିୟରିଙ୍ଗ ବିଭାଗର ଦଳଗୁଡ଼ିକ ନିରନ୍ତର କାର୍ଯ୍ୟକରି ରେଳ ଚଳାଚଳକୁ ଶୀଘ୍ର ସ୍ୱାଭାବିକ କରିବା ଦିଗରେ ପ୍ରୟାସ ଜାରି ରଖିଛନ୍ତି।
ମହାପ୍ରବନ୍ଧକ ଶ୍ରୀ ଫୁଙ୍କୱାଲ ପ୍ରଭାବିତ ସ୍ଥଳରେ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପ୍ରଭାବିତ ରେଳପଥର ଶୀଘ୍ର ପୁନରୁଦ୍ଧାର ଉପରେ ବିଶେଷ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ରେଳ କର୍ମଚାରୀ ଓ ଶ୍ରମିକମାନଙ୍କ ପାଇଁ ଉପଲବ୍ଧ ସୁବିଧାଗୁଡ଼ିକର ମଧ୍ୟ ମହାପ୍ରବନ୍ଧକ ସମୀକ୍ଷା କରିଥିଲେ। ପୁନରୁଦ୍ଧାର ସ୍ଥଳରେ ପ୍ରଥମିକ ଚିକିତ୍ସା ସୁବିଧା, ଙଜଝ ଏବଂ ଆବଶ୍ୟକ ଔଷଧ ସହିତ ମେଡିକାଲ ହେଲଥ କ୍ୟାମ୍ପ ବ୍ୟବସ୍ଥା କରାଯାଇଛି।
ରାତ୍ରି ସମୟରେ ମଧ୍ୟ ପୁନରୁଦ୍ଧାର କାର୍ଯ୍ୟ ନିରବଚ୍ଛିନ୍ନ ଭାବେ ଜାରି ରଖିବା ପାଇଁ କାର୍ଯ୍ୟରତ ଶ୍ରମିକମାନଙ୍କ ପାଇଁ ପର୍ଯ୍ୟପ୍ତ ଖାଦ୍ୟ ଏବଂ ପୁନରୁଦ୍ଧାର ସ୍ଥଳରେ ଉପଯୁକ୍ତ ଆଲୋକ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ମହାପ୍ରବନ୍ଧକ ନିର୍ଦ୍ଦେଶ ଦେଇଛନ୍ତି।
ମାଲିଗୁଡ଼ାର ଉଭୟ ପୁନରୁଦ୍ଧାର ସ୍ଥଳରେ ଚାଲିଥିବା କାର୍ଯ୍ୟକୁ ରାୟଗଡା ରେଳମଣ୍ଡଳ ଏବଂ ମୁଖ୍ୟାଳୟ ସ୍ତରରେ ୨୪ ଘଂଟିଆ ନିକଟରୁ ନିରୀକ୍ଷଣ କରାଯାଉଛି, ଯାହାଦ୍ୱାରା ସୁରକ୍ଷା ମାନଦଣ୍ଡ ବଜାୟ ରଖି ପ୍ରଭାବିତ ରେଳପଥର ପୁନରୁଦ୍ଧାର କାର୍ଯ୍ୟ ଶୀଘ୍ର ସମାପ୍ତ କରାଯାଇପାରିବ।
ହିନ୍ଦୁସ୍ଥାନ ସମାଚାର / ପିକେପି